ଦିଗପହଣ୍ଡି,୧୪|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରୁ ବୁଧବାର ସକାଳେ ୨୦ କେଜି ୮ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏହାସହ ସେଣ୍ଟ୍ରାଲ ନୂଆଦିଲ୍ଲୀ ପଟେଲ ନଗରର ଦୁଇଜଣ ଅଣଓଡ଼ିଆ ଯୁବକଙ୍କୁ ପାଟପୁର ପୋଲିସ ଗିରଫ କରିଛି । ଗିରଫ ଯୁବକ ଦ୍ବୟ ହେଲେ ରିତେଶ ମାଲହୋତ୍ରା ଏବଂ ସବୀର କୁମାର ।
ପାଟପୁର ଥାନା ଏସ ଆଇ ଶ୍ରୀନିବାସ ଦାସ ଟିମ୍ ସହ ତପ୍ତପାଣି, ଟି.ଗୋବିନ୍ଦପୁର ପ୍ରଭୃତି ଇଲାକାରେ ପାଟ୍ରୋଲିଂ କରୁଥିବା ବେଳେ ଯୁବକ ଦ୍ୱୟ ପୋଡ଼ାମାରି ବସଷ୍ଟାଣ୍ଡ ନିକଟରେ ସନ୍ଦେହଜନକ ଭାବେ ଠିଆ ହୋଇଥିଲେ ।ପୋଲିସ ଉଭୟଙ୍କୁ ପଚରାଉଚରା କରିବା ସମୟରେ ସେମାନେ ବ୍ରହ୍ମପୁର ଯିବାପାଇଁ ବସକୁ ଅପେକ୍ଷା କରିଥିବା କହିଥିଲେ। ଉଭୟଙ୍କ କଥାବାର୍ତ୍ତାରେ ତାଳମେଳ ନରହିବାରୁ ସେମାନେ ଧରିଥିବା ଏୟାର ବ୍ୟାଗକୁ ପୋଲିସ କର୍ମଚାରୀମାନେ ତଲାସି କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା।
ଉଭୟଙ୍କୁ ପୋଲିସ ଟିମ୍ ଥାନାକୁ ଉଠାଇ ଆଣିଥିଲେ । ଏନେଇ ଏତଲା ହେବାପରେ ଆଇଆଇସି ମାମଲା ନଂ.୨୫/୨୬ ଅନୁଯାୟୀ ଅଭିଯୁକ୍ତ ଦ୍ବୟଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଛି । ଥାନାରେ ଅଟକ ଅଭିଯୁକ୍ତ ଦ୍ବୟଙ୍କୁ ଗୁରୁବାର ବ୍ରହ୍ମପୁର ଜିଲା ଦୌରାଜଜ କୋର୍ଟକୁ ଚାଲାଣ କରାଯିବ ବୋଲି ଆଇଆଇସି ଦୀପ୍ତିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।


