ଘନ କୁହୁଡ଼ି ବଳୟରେ ପାଟଣା: ଜନଜୀବନ ଅସ୍ତବ୍ୟସ୍ତ

ପାଟଣା,୧୩ା୧(ସ୍ବ.ପ୍ର.): ଘନ କୁହୁଡ଼ି ବଳୟରେ ଶୁକ୍ରବାର ସକାଳୁ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳର ରାସ୍ତା ଘାଟ ଆଚ୍ଛାଦିତ ହୋଇଥିବାରୁ ସକାଳ ୯ଟା ପର୍ଯ୍ୟନ୍ତ ଗମନାଗମନରେ ବ୍ୟାହତ ସୃଷ୍ଟି ହୋଇଥିଲା। କୁହୁଡ଼ି ଯୋଗୁ ୨ ଶହ ମିଟର ରାସ୍ତା ପର୍ଯ୍ୟନ୍ତ ଦୃଶ୍ୟମାନ ହେଉ ନ ଥିଲା। ରାସ୍ତା ଘାଟ ଗାଡ଼ି ମୋଟର ସବୁ ଅଦିନିଆ ବର୍ଷା ଭଳି ଭିଜି ଯାଇଥିଲା। ଘନ କୁହୁଡ଼ି ଯୋଗୁ ପାଟଣା ମୁଖ୍ୟାଳୟ ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ଓ ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥରେ ଶହ ଶହ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇ ଗାଡ଼ି ମୋଟର ଛିଡ଼ା ହୋଇ ରହିଥିବା ଦେଖିବାକୁ ମିଳିଛି। କାଁ ଭାଁ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ଶୀତର ପ୍ରକୋପ କେନ୍ଦୁଝର ଜିଲାରେ କମି ନ ଥିବା ବେଳେ ଘନ କୁହୁଡ଼ି ଆଚ୍ଛାଦିତ କରି ରଖୁଛି। ଆଗାମୀ କିଛି ଦିନ ପାଇଁ ଏହି ଭଳି କୁହୁଡ଼ି ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି।