ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା

ଫୁଲବାଣୀ ଅଫିସ,୨୧ା୧: ଡାକ୍ତରଙ୍କ କ୍ୱାର୍ଟର୍ସରେ ଚାଲିଛି ରୋଗୀସେବା। ରୋଷେଇ ଘରେ ପରୀକ୍ଷାଗାର । ଆଡମିଶନ ହେବାକୁ ନାହିଁ ବେଡ । ନାହାନ୍ତି ଆବଶ୍ୟକ ଡାକ୍ତର। ଏଭଳି ଚାଲିଛି ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା। ଏହି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରୀପଡା ବ୍ଲକର ଦୁର୍ଗମ ପଞ୍ଚାୟତ ବିଲାବାଡ଼ିରେ। ବିଲାବାଡ଼ିରେ ଥିବା ଏକମାତ୍ର ଡାକ୍ତରଖାନାର ପୁରୁଣା ବିଲ୍ଡିଂ ବହୁ ବର୍ଷ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ନୂତନ ବିଲ୍ଡିଂ ନିର୍ମାଣ ହେଉନାହିଁ ା ଡାକ୍ତରଙ୍କ କ୍ୱାର୍ଟର୍ସରେ ରୋଗୀ ସେବା ଚାଲିଛି । ବିଗତ କିଛି ବର୍ଷ ହେବ ମେଡିକାଲରେ କେହି ଡାକ୍ତର ନ ଥିଲେ । ଗତ ଡିସେମ୍ବର ୧୫ରୁ ଏକ ଏନ୍‌ଜିଓ ସଂସ୍ଥା ଏହି ମେଡିକାଲ ଚଳାଉଛି ା ଏବେ ସେଠାରେ ଏନ୍‌ଜିଓ ପକ୍ଷରୁ ଜଣେ ଆୟୂଷ ଡାକ୍ତର ଏବଂ ଜଣେ ଲେଖାଏଁ ଏଏନ୍‌ଏମ୍‌, ଜିଏନ୍‌ଏମ୍‌, ଲ୍ୟାବ ଟେକନିସିଆନ, କମ୍ପାଉଣ୍ଡର, ସ୍ବାସ୍ଥ୍ୟ ସମ୍ପର୍କ କୋଅର୍ଡିନେଟର, ସିକ୍ୟୁରିଟି, ୱାଚମ୍ୟାନଙ୍କୁ ନିଯୁକ୍ତି ଦିଆଯାଇଛି ା ପ୍ରତ୍ୟେକ ଦିନ ଏହି ମେଡିକାଲକୁ ୨୦ରୁ ୩୦ ଜଣ ରୋଗୀ ଆସୁଛନ୍ତି । ବେଡର ସୁବିଧା ସହ ଡାକ୍ତରଙ୍କ ଅଭାବ ଯୋଗୁ ରୋଗୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ମିଳୁନାହିଁ । ସେହିପରି ମେଡିକାଲ ବିଲଡିଂ ନ ଥିବାରୁ ରୋଗୀଙ୍କୁ ଆଡମିଶନ କରି ହେଉନାହିଁ । ବାଧ୍ୟ ହୋଇ ଡାକ୍ତର ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରୁଛନ୍ତି ।
ଆହୁରି ବଡ ସମସ୍ୟା ହୋଇଛି ଷ୍ଟାଫ ମାନେ ରହିବା ଲାଗି । ଡାକ୍ତରଙ୍କ କ୍ୱାର୍ଟର୍ସକୁ ମିଶାଇ ମୋଟ ୩ଟି କ୍ୱାର୍ଟର୍ସ ରହିଛି । ଡାକ୍ତରଙ୍କ କ୍ୱାର୍ଟର୍ସରେ ମେଡିକାଲ ଚାଲୁଥିବାରୁ ସବୁ ଷ୍ଟାଫ ବାକି ଦୁଇଟି କ୍ୱାର୍ଟର୍ସରେ ରହିବାକୁ ବାଧ୍ୟ ହେଉଛନ୍ତି । ଗୋଟିଏରେ ମହିଳା ଏବଂ ଅନ୍ୟଟିରେ ଡାକ୍ତରଙ୍କୁ ମିଶାଇ ସବୁ ପୁରୁଷ ଷ୍ଟାଫ ରହୁଛନ୍ତି । ବିଦ୍ୟୁତ୍‌ ବ୍ୟବସ୍ଥା ଠିକ୍‌ ନ ଥିବାରୁ ଖରାପ ହୋଇପଡିଥିବା ସୋଲାର ବ୍ୟବସ୍ଥାକୁ ଷ୍ଟାଫମାନେ ପ୍ରୟାସ ରି ଠିକ୍‌ କରିଛନ୍ତି  । ଏହି ମେଡିକାଲ ଉପରେ ଡଙ୍ଗା, ଡୁଗୁଡା, କିଲୁମାହା, ମହାପାତ୍ର, ଗୁଡୁ, ବଡଝରି, କାର୍ନାରଦେଇ, ସୁଡ୍ରେଜୁ, ସାକାଡି, ପାତଳସୁଗା, ବାନ୍ଧଣପାଜୁ, କରଡା, ସମାପାଜୁ, କୁଟିବାରୀ, ଘାଟିତଳ, କାକେନ୍ଦ୍ରି ଆଦି ୨୦ଟି ଗ୍ରାମର ଲୋକେ ନିର୍ଭର କରନ୍ତି। ପୂର୍ବତନ ଏମ୍‌ପି ଏହି ମେଡିକାଲକୁ ନିଜସ୍ବ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ଦେଇଥିଲେ। ଗୁରୁତର ରୋଗୀଙ୍କୁ ରେଫର କରିବା, ଗର୍ଭବତୀଙ୍କୁ ଆଣି ମେଡିକାଲରେ ପହଞ୍ଚାଇବା ଲାଗି। କିଛି ବର୍ଷ ହେବ ମେଡିକାଲ ବନ୍ଦ ପଡିବାରୁ ଆମ୍ବୁଲାନ୍ସକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି ା ଆଗରୁ ମେଡିକାଲ ବନ୍ଦ ଥିଲା । ଆମେ ବାଧ୍ୟ ହୋଇ ଫୁଲବାଣୀ ଯାଉଥିଲୁ । ଏବେ ଆମ୍ବୁଲାନ୍ସ ନ ଥିବାରୁ ଅଟୋରେ ରୋଗୀଙ୍କୁ ନିଆଯାଉଛି । କିଛି ଦିନ ହେବ ମେଡିକାଲ ଖୋଲିଛି ା ହେଲେ ଡାକ୍ତରଙ୍କ ଅଭାବରୁ ସବୁ ପ୍ରକାର ଚିକିତ୍ସା ସେବା ମିଳୁନାହିଁ । ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରକାଶ ଚନ୍ଦ୍ର ମଲ୍ଲିକ, ଶାନ୍ତିଲତା କହଁର, ବୁନ୍ଦେଇ ମଲ୍ଲିକ ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି। ପୂର୍ବତନ ଏମ୍‌ପି ପ୍ରତ୍ୟୁଷା ରାଜେଶ୍ୱରୀ ସିଂ ଏହାକୁ ଆଦର୍ଶ ପଞ୍ଚାୟତ ଭାବେ ଗ୍ରହଣ କରିଥିଲେ । ଲୋକେ ଆଶା ବାନ୍ଧିଥିଲେ ସେମାନଙ୍କ ଦୁଃଖ ଦୂରହେବ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ସ୍ବାସ୍ଥ୍ୟସେବା ମିଳିବ । ହେଲେ ସେପରି ହେଲା ନାହିଁ । ଯେଉଁଭଳି ଥିଲେ ଏବେ ବି ସେପରି ଅଛନ୍ତି । ସ୍ବାସ୍ଥ୍ୟସେବା ପାଇଁ ସବୁବେଳେ ହଇରାଣ ହେଉଛନ୍ତି ।