‘ମିରର ମେଜ୍‌’ରେ ବାଟବଣା

କଟକ ଅଫିସ, ୨।୮:ଲୋକଙ୍କ ମନୋରଞ୍ଜନ ପାଇଁ କଟକସ୍ଥିତ ରାଜ୍ୟ ନୌବାଣିଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ‘ମିରର ମେଜ୍‌’। ଏହା ଭୁଲ ଭୁଲେୟା ସଦୃଶ। ଏଥିମଧ୍ୟରେ ଲୋକେ ପାଦ ରଖିଲେ ବାଟବଣା ହେଉଛନ୍ତି। କାରଣ ‘ମିରର ମେଜ୍‌’ ମଧ୍ୟକୁ ପ୍ରବେଶ କରୁ କରୁ ସାମ୍ନାରେ ଆସିଯିବ ଅନେକ ରାସ୍ତା। ଏଥିରୁ ବାହାରିବା ପାଇଁ ଠିକ ରାସ୍ତା ବାଛିବାକୁ ପଡ଼ିବ। ନଚେତ ଦର୍ପଣରେ ପିଟି ହୋଇଯିବେ। ତେବେ ଠିକ ବାଟ ବାଛିବା ପାଇଁ ଅନେକ ସମୟ ଲାଗିଥାଏ। ଭୁଲ ବାଟରେ ପଶିଗଲେ ଅନ୍ୟର ସାହାରା ନେବାକୁ ପଡ଼େ। ଏଥିସହ ଏହା ମଧ୍ୟରେ ରହିଛନ୍ତି ଅନେକ ଥ୍ରୀଡି ଜଳଜନ୍ତୁ, ଯାହା ଏଠାକାର ଅନ୍ୟତମ ଆକର୍ଷଣ। ଏଠାରେ ପ୍ରତିଦିନ ଦର୍ଶକଙ୍କ ଭିଡ଼ ଲାଗୁଛି। ୫୫ ଲକ୍ଷ ଟଙ୍କା ବ୍ୟୟରେ ‘ମିରର ମେଜ୍‌’ ନିର୍ମାଣ ହୋଇଛି। କାର୍ଟୁନ ସାଙ୍ଗକୁ ବିଭିନ୍ନ ରଙ୍ଗର ଆଲୋକ ଲାଗିଛି, ଯାହା ଦର୍ଶକଙ୍କ ମନକୁ ଅଧିକ ଆନନ୍ଦିତ କରୁଛି। ଏଠାରେ ପ୍ରବେଶ ପାଇଁ ଟିକେଟ ଦାମ୍‌ ୨୦ ଟଙ୍କା ରହିଛି। ସେହିପରି ସଂଗ୍ରହାଳୟ ବୁଲି ଦେଖିବା ଲାଗି ଟିକେଟ ମୂଲ୍ୟ ୨୦ ଟଙ୍କା ଧାର୍ଯ୍ୟ ହୋଇଛି। ମୋଟ ୪୦ ଟଙ୍କାରେ ପର୍ଯ୍ୟଟକ ଏହି ସ୍ଥାନ ବୁଲି ଯାଇପାରିବେ। ସଂଗ୍ରହାଳୟରେ ଆରୋଆନା, ପିରାନା, ରେଡ୍‌ କ୍ୟାଟ୍‌ ଫିସ୍‌ ଭଳି ଦେଶ ବିଦେଶର ବହୁ ବିରଳ ମାଛ ଓ ସାମୁଦ୍ରିକ ମାଛ ରଖାଯାଇଛି। ସଂଗ୍ରହାଳୟରେ ଏହି ଦୁଇ ନୂତନ ଯୋଜନା ଯୋଡ଼ି ହେବା ପରେ ଏଠାକୁ ଲୋକଙ୍କ ସୁଅ ଛୁଟୁଛି। ଆଗାମୀ ଦିନରେ ‘ମିରର ମେଜ୍‌’କୁ ସମ୍ପ୍ରସାରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଠାକୁ ଯାତାୟାତ ସୁବିଧା ରହିଛି। ବାଇକ୍‌, ଅଟୋ ସମେତ ଯେ କୌଣସି ଗାଡ଼ି ଯୋଗେ ଯାଇ ପହଞ୍ଚତ୍ହେବ।