ବିଶ୍ୱ ହକିକପ୍‌ ଉପଲକ୍ଷେ ଢେଙ୍କାନାଳରେ ପଥ ଉତ୍ସବ

ଢେଙ୍କାନାଳ ଅଫିସ,୮ା୧: ହକି ବିଶ୍ୱକପ୍‌ ଉପଲକ୍ଷେ ରବିବାର ଢେଙ୍କାନାଳ ପୌରାଞ୍ଚଳ, କାମାକ୍ଷାନଗର, ଭୁବନ ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲା କାର୍ଯ୍ୟାଳୟ ସମ୍ମୁଖସ୍ଥିତ ମହାତ୍ମା ଗାନ୍ଧୀ ମାର୍ଗଠାରେ ଢେଙ୍କାନାଳ ପୌରସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏହି ପଥ ଉତ୍ସବରେ ସ୍କୁଲ, କଲେଜ ଛାତ୍ରୀଛାତ୍ର ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, କ୍ରୀଡ଼ାବିତ୍‌ ଓ ହକି ଖେଳାଳିମାନେ ସାମିଲ ହୋଇଥିଲେ। ରାସ୍ତାରେ ଝୋଟି, ଯୋଗ, କୀର୍ତ୍ତନ, ଇସ୍କନ ପକ୍ଷରୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ, ସ୍କେଟି, ମାର୍ଶାଲ ଆର୍ଟ, ହକି ଖେଳ, ନୃତ୍ୟ ସଂଗୀତ, ଭାରୋତ୍ତଳନ ଖେଳ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲାପାଳ ସରୋଜ କୁମାର ସେଠୀ ପଥ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୌରଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ଅତିରିକ୍ତ ଜିଲାପାଳ ଉଦୟ କୁମାର ମହାପାତ୍ର ଓ ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପଥ ଉତ୍ସବ ଦେଖବା ପାଇଁ ବିପୁଳ ଜନ ସମାଗମ ହୋଇଥିଲା। ଅନୁରୂପ ଭାବେ କାମାକ୍ଷାନଗର, ହିନ୍ଦୋଳ ଓ ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳରେ ପଥ ଉତ୍ସବ ଅନୁଷ୍ଠିତ ହୋଇଥିଲା।