ରାତିସାରା ଷ୍ଟେଶନରେ ଶୋଉଛନ୍ତି ଯାତ୍ରୀ

କେନ୍ଦୁଝର,୧୪ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ଏକ ଗରିବ ଓ ଆଦିବାସୀ ବହୁଳ ଜିଲା। ଜିଲାବାସୀ ବିଭିନ୍ନ ସ୍ଥାନକୁ ସ୍ବଳ୍ପ ଖର୍ଚ୍ଚରେ ଯିବା ଆସିବା ପାଇଁ ରେଳ ଉପରେ ଭରସା କରିଥାନ୍ତି। ମାତ୍ର କେନ୍ଦୁଝର ସହରରୁ ଗୋଟିଏ ମାତ୍ର ଟ୍ରେନ ଦୈନିକ ଚଳାଚଳ କରୁଛି। ତାହା ପୁଣି ସକାଳେ କେନ୍ଦୁଝର ଛାଡୁଥିବା ବେଳେ ରାତିରେ ଆସି ପହଞ୍ଚୁଛି। ବିଭିନ୍ନ ଅଞ୍ଚଳର ଶ୍ରମିକ, ଛାତ୍ରୀଛାତ୍ର, ରୋଗୀ ଆଦି ଟ୍ରେନରେ ଯିବା ପାଇଁ ପୂର୍ବଦିନ ସାରୁ ଆସି ଷ୍ଟେଶନରେ ରହୁଛନ୍ତି। ବିଭିନ୍ନ ଜନ୍ତୁ ଭୟ ଥିଲେ ମଧ୍ୟ ଷ୍ଟେଶନ ପରିସରରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ସୁରକ୍ଷା ଦୃଷ୍ଟିରୁ ଆର୍‌ପିଏଫ୍‌ ଘଉଡାଇଲେ ଯାତ୍ରୀମାନେ ଗଛମୂଳେ ଆଶ୍ରୟ ନେଉଛନ୍ତି। ଅନୁରୂପ ଭାବେ ଟ୍ରେନ ଯୋଗେ ଆସୁଥିବା ଯାତ୍ରୀମାନେ ମଧ୍ୟ ରାତିରେ ଘରକୁ ଯାଇ ନ ପାରି ଷ୍ଟେଶନ ପରିସରରେ ଶୋଇବାକୁ ବାଧ୍ୟ ହେଉଛନ୍ତି। ଜିଲା ଖଣିଜ ପାଣ୍ଠିର ବିନିଯୋଗ କରି ଷ୍ଟେଶନ ନିକଟସ୍ଥ ଗୁମୁରାଠାରେ ଏକ ବିଶ୍ରାମ ଗୃହ ନିର୍ମାଣ କରିବାକୁ ଜିଲା ପ୍ରଶାସନ ନିକଟରେ ଦାବି ହୋଇଛି।