ଯାତ୍ରୀଙ୍କୁ ମିଳୁନି ବସ୍‌ ଟିକେଟ, ପଥହୁଡ଼ି ଭୋଗୁଛନ୍ତି ହୀନସ୍ତା

ଆନନ୍ଦପୁର,୨୧ା୫(ସ୍ବ.ପ୍ର.): ୫୩ ନଂ ରାଜ୍ୟ ରାଜପଥ ଆନନ୍ଦପୁର ବ୍ରିଜଛକ ନିକଟରେ ଜଣେ ଯାତ୍ରୀ ପଥହୁଡ଼ି କ୍ୟାବିନ ତଳେ ଆଶ୍ରୟ ନେବା ଭଳି ଘଟଣା ଚର୍ଚ୍ଚାକୁ ଆସିଛି। ଯାତ୍ରୀଙ୍କୁ ସମସ୍ତ ଘଟଣା ସମ୍ପର୍କରେ ପଚରାଯିବା ପରେ ବସର କଣ୍ଡକ୍ଟର ତାଙ୍କ ପାଖରୁ ଦୁଇ ଶହ ଟଙ୍କା ନେଇଥିବା ଏବଂ ଓହ୍ଲାଇବା ବେଳେ ବଳକା ଫେରସ୍ତ ନ ଦେବା ଜଣାପଡ଼ିଥିଲା। ହେଲେ ଯାତ୍ରୀଙ୍କ ପାଖରେ ସେ ସମ୍ପର୍କରେ କୌଣସି ବସ୍‌ ଟିକେଟ୍‌ ନ ଥିଲା।

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା କେନ୍ଦୁମୁଣ୍ଡି ଗ୍ରାମର ୬୫ ବର୍ଷୀୟ ରମ୍ପା ପୂର୍ତ୍ତି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ସମୟରେ ଠାକୁରମୁଣ୍ଡା – ଭଦ୍ରକ ଭାୟା ଆନନ୍ଦପୁର ଦେଇ ଆସୁଥିବା ଏକ ଘରୋଇ ବସ୍‌ କଣ୍ଡକ୍ଟର ତାଙ୍କୁ ଭୁବନେଶ୍ୱର ଯିବା କହି ଗାଡ଼ିକୁ ଉଠାଇ ଆଣିଥିଲେ। ରମ୍ପା ଭଡ଼ା ବାବଦକୁ କଣ୍ଡକ୍ଟରଙ୍କୁ ଦୁଇ ଶହ ଟଙ୍କା ଦେଇଥିଲେ। କିନ୍ତୁ ତାଙ୍କୁ ସମ୍ପୃକ୍ତ ବସ୍‌ର ଟିକେଟ୍‌ ମିଳି ନ ଥିଲା। ଭଦ୍ରକ ଗସ୍ତରେ ଆସୁଥିବା ବସ୍‌ଟି ଯାତ୍ରୀଙ୍କୁ ଆନନ୍ଦପୁର ବ୍ରିଜଛକ ଠାରେ ଶନିବାର ଅପରାହ୍ନ ୩ଟା ୩୦ରେ ଓହ୍ଲାଇଦେଇ ପଳାଇଥିଲା। ହେଲେ ବଳକା ଅର୍ଥ ଫେରସ୍ତ କରି ନ ଥିଲା ବୋଲି ଯାହା ଯାତ୍ରୀଙ୍କ ମୁହଁରୁ ଶୁଣିବାକୁ ମିଳିଛି। ଯାତ୍ରୀ ରମ୍ପା କାହାକୁ କିଛି କହି ନ ପାରି କୌଣସି ଉପାୟ ନପାଇ ଆନନ୍ଦପୁର ବ୍ରିଜଛକ ଠାରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ହେବା ପରେ ଏକ କ୍ୟାବିନରେ ଆଶ୍ରୟ ନେଇଥିଲେ। ରବିବାର ଭୋର ସମୟରେ ତାଙ୍କ ଅସହାୟତା ସମ୍ପର୍କରେ ଶୁଣିବା ପରେ ପ୍ରତାପ ସିଂହ ନାମକ ସ୍ଥାନୀୟ ସମାଜସେବୀ ଯାତ୍ରୀଙ୍କ ଖାଇବାର ବ୍ୟବସ୍ଥା କରାଇବା ସହିତ ତାଙ୍କ ଗାଁକୁ ବସ୍‌ ଯୋଗେ ପଠାଇବାର ବ୍ୟବସ୍ଥା କରିଥିଲେ। ତେବେ ଯାତ୍ରୀଙ୍କ ନିକଟରେ ସେ ଯାତ୍ରା କରୁଥିବା ବସ୍‌ର ଟିକେଟ୍‌ ନ ଥିବାରୁ ତାଙ୍କୁ ଏପରି ହୀନସ୍ତା ଭୋଗିବାକୁ ପଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି। ବସ୍‌ର ନାମଥିବା ଟିକେଟ୍‌ ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା ହେଲେ ଅନେକାଂଶରେ ବାଟ ହୁଡୁଥିବା କିମ୍ବା ଠକାମୀର ଶିକାର ହେଉଥିବା ଯାତ୍ରୀମାନେ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।