ଯାତ୍ରୀବାହୀ ବସ୍‌-ସ୍କୁଟି ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୧୭ା୫(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ-ସମରଝୋଳ ମଧ୍ୟବର୍ତ୍ତୀ ରାସ୍ତାରେ ଯାତ୍ରୀବାହୀ ବସ୍‌ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ହିଞ୍ଜିଳି ଥାନା ବ୍ଲକ କଲୋନୀ ଅଞ୍ଚଳର ରୋଶନ ବେହେରା (୨୬) ଓ ଆହତ ଜଣଙ୍କ ହେଲେ ହିଞ୍ଜିଳିକାଟୁ ପୌରାଞ୍ଚଳ ବଜାର ସାହିର ମନୋଜ ଦାସ (୨୩)।

ପ୍ରକାଶ ଯେ, ବୁଧବାର ଅପରାହ୍ନରେ ରୋଶନ ଓ ମନୋଜ ସ୍କୁଟି(ଓଡି୦୭ଏଇ ୭୬୧୮) ଯୋଗେ ହିଞ୍ଜିଳିକାଟୁଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁରଠାରୁ କୁରୁଳା ଅଭିମୁଖେ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍‌ (ଓଡି୦୨ ଏଏନ ୬୪୦୨) ସହ ହିଞ୍ଜିଳି ଥାନା ସାରୁ ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ରୋଶନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ମନୋଜ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍‌ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି।