ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ ଏହାକୁ ଅବମାନନା କରି ଯାତ୍ରୀବାହୀ ବସକୁ ବସଷ୍ଟାଣ୍ଡ ଭିତରକୁ ନ ନେଇ ପୁରୁଣା ବସଷ୍ଟାଣ୍ଡ ମୁଖ୍ୟରାସ୍ତା କଡ ଏବଂ ପୁଞ୍ଜିକଂୟା ଛକ ରାସ୍ତା ଉପରେ ଦୀର୍ଘ ସମୟ ଧରି ରଖି ଆସୁଛନ୍ତି। ଏହାଦ୍ୱାରା ଟ୍ରାଫିକ ସମସ୍ୟର ସୃଷ୍ଟି ହେଉଛି। ବିଭିନ୍ନ ଗ୍ରାମାଞ୍ଚଳରୁ ଆସୁଥିବା ଯାତ୍ରୀମାନେ ନିଜ ନିଜର ଗନ୍ତବ୍ୟସ୍ଥଳକୁ ଯିବାପାଇଁ ନୂଆ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରି ହନ୍ତସନ୍ତ ହେଉଛନ୍ତି। ଏନେଇ ପୂର୍ବରୁ ସ୍ଥାନୀୟ ପ୍ରଶାସନ ନୂଆ ବସଷ୍ଟାଣ୍ଡରେ କେବଳ ବସ ରହଣି ପାଇଁ ବସ ମାଲିକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବସ ମାଲିକମାନେ କର୍ଣ୍ଣପାତ କରୁନାହାନ୍ତି। ଏପରିକି ଦୂର ଦୂରାନ୍ତକୁ ଯା’ଆସ କରୁଥିବା ବସ୍ ଗୁଡ଼ିକ ବସଷ୍ଟାଣ୍ଡ ମୁଖ୍ୟ ଫାଟକରେ ରହି ଯାତ୍ରୀଙ୍କୁ ସେଠାରେ ଓହ୍ଲାଇ ଦେଉଛନ୍ତି। ଯାତ୍ରୀମାନେ ବାଧ୍ୟ ହୋଇ ସେଠାରୁ ବସରେ ବିପଦପୂର୍ଣ୍ଣ ଭାବେ ଚଢୁଛନ୍ତି। ଯଦ୍ୱାରା ସର୍ବଦା ଟ୍ରାଫିକ ସମସ୍ୟା ଉପୁଜୁଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଦିଗପହଣ୍ଡି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ କର୍ମଚାରୀ ବୃନ୍ଦ ପୁରୁଣା ବସଷ୍ଟାଣ୍ଡ ଏବଂ ପୋଲିସ ଥାନା ନିକଟ ତନଖି ଫାଟକ ସମ୍ମୁଖରେ ରହି ବ୍ରହ୍ମପୁର ଭାୟା ଦିଗପହଣ୍ଡି ଦେଇ ରାୟଗଡ଼ା, କୋରାପୁଟ, ଗଜପତି, ମାଲିକାନାଗିରି, କନ୍ଧମାଳ ଆଦି ଜିଲାର ବିଭିନ୍ନ ଅଞ୍ଚଳକୁ ଯା’ଆସ କରୁଥିବା ସମସ୍ତ ଯାତ୍ରୀବାହୀ ବସକୁ ଅଟକାଇ ଦିଗପହଣ୍ଡି ସ୍ଥିତ ସନ୍ଥ ଅରକ୍ଷିତ ଦାସଙ୍କ ନାମରେ ନାମିତ ନୂତନ ବସଷ୍ଟାଣ୍ଡ ଭିତରକୁ ପ୍ରବେଶ କରିବା ପାଇଁଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ବସ ମାଲିକ ଏବଂ ଚାଳକ ମାନେ ଏହାକୁ ଅବମାନନା କରନ୍ତି, ତେବେ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲିି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନୋଟିସ କରିଛନ୍ତି।


