ପୁଅ ଚିକିତ୍ସା ଚିନ୍ତାରେ ମା’ବାପା

ବାଲେଶ୍ୱର ଅଫିସ, ୧୨।୧୦: ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ତାଳପଦା ଗ୍ରାମର ସୁଶାନ୍ତ ପଟ୍ଟନାୟକ ଓ ସ୍ତ୍ରୀ ସଞ୍ଜୁଲତାଙ୍କ ୨ବର୍ଷର ପୁଅ ପୀୟୁଷ। ଜନ୍ମ ହେବାର ୨୫ଦିନ ପରେ ତାଙ୍କ କିଡ୍‌ନୀ ଖରାପ ଥିବା ଜଣାପଡିବା ପରେ ମା’ ବାପା କଟକର ଏକ ଘରୋଇ ହସ୍‌ପିଟାଲରେ ଅପରେଶନ କରାଇଥିଲେ। ପୁଅ ଭଲ ହୋଇଯିବାର ସ୍ବପ୍ନ ଦେଖି ମା’ବାପା ଚିକିତ୍ସା କରିବାରେ ସବୁ ଅର୍ଥ ଲଗାଇ ଦେଇଥିଲେ। ହେଲେ ସେ ସମ୍ପୂର୍ଣ୍ଣ ନିରୋଗ ହୋଇପାରି ନ ଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଏକ କିଡ୍‌ନୀରେ ସମସ୍ୟା ଥିବା ଜଣାପଡ଼ିବା ସହ ହାର୍ଟରେ କଣା, ଫୁସ୍‌ଫୁସ୍‌ରେ ସଂକ୍ରମଣ, ହାର୍‌ନିଆ ଓ ପୋଲିଓରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ମା’ବାପା ପୁଣି ପୁଅକୁ ଧରି କଟକ ବଡ଼ ଡାକ୍ତରଖାନାଠାରୁ ଆରମ୍ଭ କରି କୋଲକାତା ପର୍ଯ୍ୟନ୍ତ ଦୌଡି ଦୌଡି ନିରାଶ ହୋଇପଡିଛନ୍ତି। ଶେଷରେ ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଲାଗି ଶେଷରେ ସୋମବାର ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି।
ସୁଶାନ୍ତ ଗତ ୨୦୧୫ରେ ବିବାହ ପରେ ଗୁଜୁରାଟର ଏକ ଟାଇଲ୍‌ସ କମ୍ପାନୀରେ ରହି କାମ କରିବା ସହ ବେଶ୍‌ ଦି ପଇସା ଆୟ କରିଥିଲେ। ମହାମାରୀ କରୋନା ସମୟରେ ଘରକୁ ଫେରି ଗଚ୍ଛିତ ଟଙ୍କାରେ ଏକ ବୋଟ୍‌ କିଣି ମାଛ ବ୍ୟବସାୟରେ ଲଗାଇଥିଲେ। ସେଥିରେ ମଧ୍ୟ କିଛି ପଇସା କମାଇ ପରିବାରରେ ଥିବା ବୃଦ୍ଧ ମା’ବାପା ଓ ସ୍ତ୍ରୀ ସହିତ ଭଲରେ ସମୟ ଅତିବାହିତ ହୋଇଥିଲା। ଗତ ୨୦୨୦ ନଭେମ୍ବରରେ ପୁଅଟିଏ ଜନ୍ମ ହୋଇଥିଲା। ଜନ୍ମର କିଛିଦିନ ପରେ ସେ ରୋଗାଗ୍ରସ୍ତ ହୋଇଥିଲା। ନିକଟରେ ଥିବା ସମସ୍ତ ଟଙ୍କା ସହିତ ଜମି ବିକ୍ରି ଓ ସ୍ତ୍ରୀର ଗହଣା ସବୁ ବିକ୍ରି କରି ଅଦ୍ୟାବଧି ପୁଅ ପଛରେ ୧୩ଲକ୍ଷ ୬୫ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଲେଣି। ଏବେ ପରିବାର ଭରଣପୋଷଣ ପାଇଁ ଟଙ୍କାଟିଏ ନ ଥିବା ବେଳେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି। ଏପରିକି ପୁଅକୁ ଚିକିତ୍ସା କରିବା ପାଇଁ ମାସରେ ଅଧାରୁ ଅଧିକ ଦିନ ବିଭିନ୍ନ ଡାକ୍ତରଖାନାରେ ସମୟ ବିତାଉଥିବାରୁ ପରିବାର ଚଳାଇବାକୁ ମଧ୍ୟ ଅସମର୍ଥ ହୋଇପଡିଛନ୍ତି। ମିଳୁଥିବା ସରକାରୀ ରାଶନ କାର୍ଡ଼ର ସାମଗ୍ରୀକୁ ନେଇ ପରିବାର ଚଳୁଥିବା ସେ ପ୍ରକାଶ କରିଛନ୍ତି। ଏପରି ଅବସ୍ଥାରେ ପୁଅକୁ ବଞ୍ଚାଇବା ପାଇଁ ଆବଶ୍ୟକ ଅର୍ଥ କେଉଁଠୁ ଆଣିବେ ଚିନ୍ତା କରି ଦିନ ସରୁନି। କୌଣସି ସହୃଦୟ ବ୍ୟକ୍ତି ସହଯୋଗର ହାତ ବଢ଼ାଇବାକୁ ଚାହୁଁଥିଲେ ସୁଶାନ୍ତଙ୍କ ମୋବାଇଲ୍‌ ନଂ. ୬୩୫୩୨୪୭୩୬୭ରେ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି।