ଅଭିଭାବକଙ୍କ ଚିନ୍ତା

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨୯ ଅଗଷ୍ଟରେ ‘ଅନ୍‌ଲକ୍‌-୪’ ପାଇଁ ନିୟମାବଳୀ ଘୋଷଣା କରିଥିଲା। ସେଥିରେ ଦର୍ଶାଯାଇଥିଲା ଯେ, ୨୧ ସେପ୍ଟେମ୍ବରରେ ସ୍କୁଲଗୁଡ଼ିକୁ ଆଂଶିକ ଖୋଲିବା ସକାଶେ ଅନୁମତି ଦିଆଗଲା। ଶିକ୍ଷକମାନଙ୍କ ତତ୍ତ୍ୱାବଧାନରେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ସ୍କୁଲଗୁଡ଼ିକ ଖୋଲାଯାଇପାରିବ, ଯେଉଁଥିରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏ ପିଲାମାନେ ସ୍ବଇଚ୍ଛାରେ ପଢ଼ିବାକୁ ଯାଇପାରିବେ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ କରାଯାଇଥିଲା। ତେବେ ସେହିଦିନ ଉପସ୍ଥିତ ହେବା ପରେ ଦେଖାଯାଇଛି ଯେ, ଦେଶର ୮ଟି ରାଜ୍ୟ ଆସାମ, ମେଘାଳୟ, ନାଗାଲାଣ୍ଡ, ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କଶ୍ମୀର, ହରିୟାଣା ଏବଂ ହିମାଚଳ ପ୍ରଦେଶରେ ସ୍କୁଲ ଖୋଲିଛି। କିନ୍ତୁ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଅତ୍ୟନ୍ତ ନଗଣ୍ୟ ରହିଛି। ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ହେଉଥିବା ଏଥିରୁ ବୁଝିବାକୁ ହେବ। ଏଭଳିସ୍ଥଳେ ଓଡ଼ିଶା ସରକାର ଦୁର୍ଗାପୂଜା ପରେ ସ୍କୁଲ ପୁନଃ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଥିବାରୁ ଅଭିଭାବକ ଓ ଶିକ୍ଷକ ମହଲରେ ଏହାକୁ ସ୍ବାଗତ କରାଯାଇଛି। ଦେଖିବାକୁ ଗଲେ ଏବେ ଓଡ଼ିଶାରେ କୋଭିଡ୍‌-୧୯ ସଂକ୍ରମଣ ଯେଭଳି ବଢ଼ିଚାଲିଛି, ସେହି ସମୟରେ ପିଲାମାନଙ୍କୁ ବିଦ୍ୟାଳୟ ଛାଡ଼ିବା ଠିକ୍‌ ନୁହେଁ ବୋଲି ସମସ୍ତେ ହୃଦ୍‌ବୋଧ କଲେଣି। ଗତ ୪ ଦିନର ତଥ୍ୟ ଦେଖିଲେ ଓଡ଼ିଶାରେ ସଂକ୍ରମଣ ସଂଖ୍ୟା ୪ ହଜାର ଉପରେ ରହିଛି। ସେଥିପାଇଁ ଅଭିଭାବକମାନେ କହୁଛନ୍ତି ଯେ, କୋଭିଡ୍‌-୧୯ ଲାଗି ଟିକା ନ ବାହାରିବା ଯାଏ କିମ୍ବା ଓଡ଼ିଶା କୋଭିଡ୍‌ମୁକ୍ତ ନ ହେବା ଯାଏ ସେମାନେ ସେମାନଙ୍କ ପିଲାମାନଙ୍କୁ ସ୍କୁଲ ଛାଡ଼ିବେ ନାହିଁ।
ଅଭିଭାବକଙ୍କ ଚିନ୍ତାକୁ ଏଠାରେ ଗୁରୁତ୍ୱ ଦିଆଯିବା ଉଚିତ। ଯେତେବେଳେ ମଧ୍ୟବୟସ୍କ ଓ ବରିଷ୍ଠ ଲୋକମାନେ କୋଭିଡ୍‌ ନିୟମ ଠିକ୍‌ ଭାବେ ପାଳନ କରିପାରୁନାହାନ୍ତି, ସେତେବେଳେ ସ୍କୁଲରେ ପିଲାମାନଙ୍କୁ କିଏ ଜଗିବେ। ସେମାନେ ପାଖାପାଖି ବସିବେ, ଖାଇବେ, ଖେଳିବେ, ପ୍ରାର୍ଥନା କରିବେ ଓ ପାଠାଗାର ଯିବା ଆଦି ପ୍ରତିଟି କାର୍ଯ୍ୟ ମିଳିମିଶି କରିଥାଆନ୍ତି। ପିଲାମାନେ ଠିକ୍‌ ଭାବେ ମାସ୍କ ପିନ୍ଧିଲେ କି ନାହିଁ, ଶାରୀରିକ ଦୂରତା ବଜାୟ ରଖୁଛନ୍ତି କି ନାହିଁ ସେଗୁଡ଼ିକ ତଦାରଖ କରିବା ଶିକ୍ଷୟିତ୍ରୀଶିକ୍ଷକ ବା ସ୍କୁଲର କର୍ମଚାରୀଙ୍କ ଦ୍ୱାରା ସମ୍ଭବ ହୋଇପାରିବ ନାହିଁ। ଏମିତିକି ହୋଇପାରେ ସ୍କୁଲ କର୍ମଚାରୀଙ୍କ ଦ୍ୱାରା ପିଲାମାନେ ସଂକ୍ରମିତ ହୋଇପାରନ୍ତି କିମ୍ବା ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍କୁଲ କର୍ମଚାରୀମାନେ ଆକ୍ରାନ୍ତ ହୋଇପାରନ୍ତି। ତେବେ ବହୁ ସଂଖ୍ୟକ ପିଲା ଏକସଙ୍ଗେ ସଂକ୍ରମିତ ହେଲେ ‘ନେଡ଼ିଗୁଡ଼ କହୁଣିକୁ ବୋହିଯିବ’। ଏବେ ଆମେରିକାରେ ସେଭଳି ସ୍ଥିତି ପରିଲକ୍ଷିତ ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଏକଜିଦିଆ ନିଷ୍ପତ୍ତି ଯୋଗୁ ତାଙ୍କ ଦଳ ଦ୍ୱାରା ଶାସିତ ଅନେକ ରାଜ୍ୟରେ ସ୍କୁଲ ଓ କଲେଜ ଖୋଲି ଦିଆଗଲା। ତତ୍‌କ୍ଷଣାତ୍‌ ଏହିସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍‌ ପଜିଟିଭ୍‌ ପିଲାଙ୍କ ସଂଖ୍ୟା ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଗଲା। ଆମେରିକାରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକାଂଶ ଶିକ୍ଷୟିତ୍ରୀଶିକ୍ଷକ ସ୍କୁଲ ଖୋଲିବା ବିରୋଧରେ ମତ ଦେଇଛନ୍ତି। ତଥାପି ସରକାରଙ୍କ ଭୁଲ୍‌ ନିଷ୍ପତ୍ତି ଯୋଗୁ ଅନେକ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଯାଇଛି। ଭାରତରେ ବିଦ୍ୟାଳୟଗୁଡ଼ିକୁ ପୁନଃ ଖୋଲି ଦିଆଗଲେ ଦେଶର ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ବଡ଼ ବିପଦ ସୃଷ୍ଟି କରିବ।
୨୦୨୦ ମାର୍ଚ୍ଚ ଅଧାଅଧି ବେଳକୁ କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖାଯାଇ ସ୍କୁଲଗୁଡ଼ିକୁ ବନ୍ଦ ରଖାଯାଇଛି। ପ୍ରାୟ ପ୍ରତ୍ୟେକ ସ୍କୁଲରେ ଅନ୍‌ଲାଇନ୍‌ କ୍ଲାସ କରାଯାଉଛି। ଏହା ମଧ୍ୟ ସ୍ବୀକାରଯୋଗ୍ୟ ଯେ ଅନେକ ଗରିବ ପରିବାରର ପିଲାମାନେ ପାଠପଢ଼ା ପାଇଁ ଆବଶ୍ୟକ ସାଧନ ଯଥା କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ସଂଯୋଗ ନ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇତିମଧ୍ୟରେ ପାଠ୍ୟକ୍ରମ ୩୦ ପ୍ରତିଶତ ହ୍ରାସ କରିଦିଆଯାଇଛି। ତେବେ ଶ୍ରେଣୀ କକ୍ଷରେ ପଢ଼ାଯାଇ ଆସୁଥିବା ଭଳି ଅନ୍‌ଲାଇନ୍‌ ଶିକ୍ଷା ସମକକ୍ଷ ହୋଇପାରୁ ନାହିଁ। ତଥାପି ମହାମାରୀକୁ ଦୃଷ୍ଟିରେ ରଖାଯାଇ ପଦକ୍ଷେପ ନିଆଯିବାର ଆବଶ୍ୟକତା ସୃଷ୍ଟି ହୋଇଛି। ଏଥିସହିତ କୋଭିଡ୍‌ ଯୋଗୁ ଶିକ୍ଷା ବ୍ୟବସ୍ଥାରେ ଘଟିଥିବା ପରିବର୍ତ୍ତନ ଯଥା ପାଠ୍ୟକ୍ରମ ହ୍ରାସ କରାଯାଇଥିବା ଭଳି ନିଷ୍ପତ୍ତି ଭବିଷ୍ୟତରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ଉପରେ ଦୀର୍ଘମିଆଦୀ ପ୍ରଭାବ ପକାଇପାରେ।
ଏବେ ବିଶ୍ୱବ୍ୟାପୀ କୋଭିଡ୍‌-୧୯ ତା’ର ଉପସ୍ଥିତି ସୁଦୃଢ଼ କରିଥିବାରୁ ପ୍ରତ୍ୟେକଙ୍କୁ ଏହି ବିଷମ ସମୟରେ ତା’ ସହିତ ରହି ଚଳିବାକୁ ପଡ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି। ତେଣୁ ସାର୍ବଜନୀନ ଟିକା ନ ବାହାରିବା ଯାଏ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ। ଏଭଳି ପରିପ୍ରେକ୍ଷୀରେ ଭାରତ ବିଶେଷକରି ଓଡ଼ିଶାର ସ୍ଥିତି ଦେଖିଲେ ସଂକ୍ରମଣ ଦିନକୁ ଦିନ ଡେଇଁ ଚାଲୁଥିବାରୁ ସ୍କୁଲଗୁଡ଼ିକୁ ଆସନ୍ତାବର୍ଷ ମାର୍ଚ୍ଚ ଯାଏ ବନ୍ଦ ରଖିବା ଲାଗି ଘୋଷଣା ହେବା ଦରକାର।
ଏଠରେ ଉଲ୍ଲେଖଯୋଗ୍ୟ ଯେ, ୨୨ ସେପ୍ଟେମ୍ବର ୨୦୨୦ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ତାଙ୍କ ଦେଶବାସୀଙ୍କୁ ଅନୁରୋଧ କରି କହିଛନ୍ତି ଯେ, ଆଗାମୀ ୬ ମାସ ପାଇଁ ଘରେ ରହି କାର୍ଯ୍ୟ କରନ୍ତୁ। ସମସ୍ତେ ଏହି ନିବେଦନକୁ ମାନିଲେ କରୋନାକୁ ରୋକି ହେବ ବୋଲି ପ୍ରଧାନମନ୍ତ୍ରୀ ଜନସନ୍‌ କହିଛନ୍ତି। ଅତଏବ ଭାରତରେ ସ୍କୁଲ ଖୋଲିବା ନେଇ ଦ୍ୱନ୍ଦ୍ୱ ଦୂର କରାଯାଇ ସ୍ପଷ୍ଟ ନୟମାବଳୀ ପ୍ରକାଶ ପାଇବା ଜରୁରୀ ହୋଇପଡ଼ିଲାଣି। ତାହାହେଲେ ଅଭିଭାବକ ଓ ସେମାନଙ୍କ ପିଲାମାନେ ଚିନ୍ତାମୁକ୍ତ ହେବେ। ଛାତ୍ରୀଛାତ୍ର ନିଜ ତରିକାରେ ଯେଭଳି ଘରେ ରହି ପଢ଼ି ଆସୁଛନ୍ତି ସେଥିରେ ମନକୁ ସ୍ଥିର କରିନେବେ। କାରଣ ସେମାନଙ୍କ ଶାରୀରିକ ସୁରକ୍ଷା ସବୁଠାରୁ ଆଗରେ ରହିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଧୈର୍ଯ୍ୟ, କ୍ଷମା ଲୋଡ଼ା

ହୃଦୟରେ ଅନ୍ୟ ପ୍ରତି ଏପରିକି ପରମ ଶତ୍ରୁ ପ୍ରତି କୌଣସି ପରିସ୍ଥିତିରେ ଘୃଣାଭାବ ପୋଷଣ ନ କରି କ୍ଷମା, ଅନୁକମ୍ପା, କରୁଣା, ତିତିକ୍ଷା, ଦୟା ଭାବ ପ୍ରଦର୍ଶନକରିବା…

ଜଳ ହିଁ ଜୀବନ

ଜଳର ଅନ୍ୟ ନାମ ଜୀବନ। ମଣିଷପାଇଁ ଉପଲବ୍ଧ ଅତ୍ୟାବଶ୍ୟକ ପ୍ରାକୃତିକ ଉପାଦାନ ମଧ୍ୟରେ ଜଳ ଅନ୍ୟତମ। କେବଳ ମଣିଷ ନୁହେଁ, ସମଗ୍ର ପ୍ରାଣୀ ଓ ଉଦ୍ଭିଦଜଗତ ପାଇଁ…

ରାଲିରେ ବୈଷୟିକ ତ୍ରୁଟି

ରାଜସ୍ଥାନ ବାଂଶୱାଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଦଶ ମିନିଟ୍‌ର ଏକ ବୈଷୟିକ ତ୍ରୁଟି ଯୋଗୁ ସ୍କ୍ରିନ୍‌ କିଛି ସମୟ ପାଇଁ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା…

ସ୍ବାର୍ଥ ଓ ପରମାର୍ଥ

ଯୁଗେ ଯୁଗେ ଆମ ସମାଜରେ ସ୍ବାର୍ଥ ଓ ପରମାର୍ଥକୁ ନେଇ ଅନେକ ବାଦବିବାଦ ଓ ତର୍କବିତର୍କ ରହି ଆସିଛି। ସାଧାରଣ ଭାବେ ସମସ୍ତେ କୁହନ୍ତି ସାଂସାରିକ ବନ୍ଧୁମାନେ…

ତିରୁପତିରେ ଉତ୍କଳ ପୀଠ

ବିଶ୍ୱରେ ଅନେକ ସ୍ଥାନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ମନ୍ଦିର ଅଛି। ତେବେ ମହାପ୍ରଭୁଙ୍କ ସଂସ୍କୃତି ଉପରେ ଗବେଷଣା ପାଇଁ ସୁଦୂର ଆନ୍ଧ୍ରପ୍ରଦେଶର ତିରୁପତି ନଗରରେ ଏକ ଉତ୍କଳ ପୀଠ…

ସମ୍ବଳ ପ୍ରତିଯୋଗିତାର ନୂଆ ଯୁଗ

ବୈଶ୍ୱିକ ବ୍ୟବସ୍ଥା ଏବେ ଚାପରେ। ଖଣିଜ ଓ ଶକ୍ତି ନିୟନ୍ତ୍ରଣ ପାଇଁ ବୃଦ୍ଧି ପାଉଥିବା ତୀବ୍ର ପ୍ରତିଯୋଗିତାକୁ ଜାତୀୟ ସୁରକ୍ଷାର ବିଷୟ ଭାବେ ଦେଖାଯାଉଛି। ଭେନେଜୁଆଲାଠାରୁ ଆରମ୍ଭ…

ଦୁଇ ଭିନ୍ନ ଦେଶ

ଚାଇନା ଓ ଭାରତକୁ ବହୁ ସମୟରେ ରାଜନୈତିକ ରୂପେ ସ୍ୱତନ୍ତ୍ର ତଥା ବିକାଶଶୀଳ ଦେଶ ଭାବେ ତୁଳନା କରାଯାଏ। ତାହା ଭ୍ରମାତ୍ମକ। ଚାଇନା ହେଉଛି ସର୍ୱପ୍ରଥମ ଓ…

ଇନ୍ଧନ ଓ ରନ୍ଧନ ସଙ୍କଟ

ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ବିଶ୍ୱବ୍ୟାପୀ ଅନୁଭୂତ ହେଲାଣି। ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ଇରାନକୁ କ୍ରୋଧିତ କରି ରଖିଛି। ତା’ର ପଡ଼ୋଶୀ ଦେଶ ସାଉଦି ଆରବ, କୁଏଟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri