ରାତିଅଧିଆ ପଞ୍ଚାୟତ ସମିତି ବୈଠକ ବାତିଲ: ଜନପ୍ରତିନିଧିଙ୍କ ତୀବ୍ର ଅସନ୍ତୋଷ

ପୁରୁଷୋତ୍ତମପୁର,୧୮।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ବୈଠକ ହେବାନେଇ ଶୁକ୍ରବାର ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ବୈଠକକୁ ରାତିଅଧିଆ ବାତିଲ କରିଦିଆଯାଇଛି। ଏହାକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଅନ୍ୟପକ୍ଷେ ବୈଠକରେ ଯୋଗଦେବା ନେଇ ଅଧିକାଂଶ ସରପଞ୍ଚ, ସମିତି ସଭ୍ୟ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ହେଲେ ଗେଟରେ ଚାବି ପଡିଥିବା ଦେଖି ଉପସ୍ଥିତ କର୍ମଚାରୀଙ୍କୁ ପଚାରିବା ପରେ ବୈଠକ ବାତିଲ ହୋଇଥିବା ଜାଣିବାକୁ ପାଇଥିଲେ। ଫଳରେ ଏହାକୁ ନେଇ ଜନପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହାର ପ୍ରତିବାଦ କରି ଆସିଥିବା ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ସଭ୍ୟ ବିଡିଓ ବିଜୟ କୁମାର ବେହେରାଙ୍କ ନିକଟରେ ଫେରାଦ ହୋଇ ଆଗରୁ ସୂଚନା ନ ଦେଇ କେଉଁ କାରଣରୁ ରାତିଅଧିଆ ବୈଠକ ବନ୍ଦ କରାଗଲା ବୋଲି ପ୍ରଶ୍ନ କରିଥିଲେ। କୌଣସି ସୂଚନା ନ ଦେଇ ବୈଠକ ବନ୍ଦ କରିବା ଗଣତନ୍ତ୍ରକୁ ହତ୍ୟା କରାଯାଉଛି ବୋଲି ଜନପ୍ରତିନିଧି ଅଭିଯୋଗ କରିଛନ୍ତି। ଏଭଳି ବୈଠକ ବାରମ୍ବାର ବନ୍ଦ କରାଯାଉଥିବାରୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ବିକାଶ ଧାରା ସମ୍ପୂର୍ଣ୍ଣ ଠପ୍‌ ହୋଇ ପଡୁଛି। ଏନେଇ ତୁରନ୍ତ ବୈଠକ ଡାକିବା ଲାଗି ଏକ ସ୍ମାରକପତ୍ର ଜିଲାପାଳ ଓ ଗଞ୍ଜାମ ଜିଲା ପରିଷଦ ଉନ୍ନୟନ ଅଧିକାରୀ ତଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରିଛନ୍ତି।

ଏପରିକି ପୂର୍ବରୁ ଗତ ସେପ୍ଟେମ୍ବର ୩୦ରେ ବୈଠକ ଡାକି ତାକୁ ମଧ୍ୟ ବାତିଲ କରିଦିଆଯାଇଥିଲା। ଶେଷ ବୈଠକ ଏପ୍ରିଲ ୪ରେ ହୋଇଥିବା ବେଳେ ଦୀର୍ଘ ୭ ମାସ ବିତିଯାଇଥିଲେ ସୁଦ୍ଧା ବୈଠକ କରାଯାଉ ନ ଥିବା ଜନପ୍ରତିନିଧିମାନେ କହିଛନ୍ତି। ଅନ୍ୟପକ୍ଷେ ବାରମ୍ବାର ସମିତି ବୈଠକ ନ ହେବା ଏକ ବଡ଼ଧରଣର ଦୁର୍ନୀତି ପଦାରେ ପଡିବା ଚର୍ଚ୍ଚା ହେଉଛି। ଏନେଇ ବିଡିଓ ବିଜୟ କୁମାର ବେହେରାଙ୍କୁ ପଚାରିବାରୁ ଅଧ୍ୟକ୍ଷା ପିଙ୍କି ବେହେରା ବୈଠକ ବାତିଲ କରିବା ଲାଗି ରାତିରେ ନିର୍ଦ୍ଦେଶ ଦେଇଥିଲେ। ଫଳରେ ବୈଠକକୁ ବାତିଲ କରି ଦିଆଯାଇଥିଲା। ଏପରିକି ରାତିରେ ଗ୍ରୁପରେ ମେସେଜ କରାଯାଇଥିବା ସେ କହିଛନ୍ତି।