ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ। ବିଜେଡି ପକ୍ଷରୁ ୮ ପଞ୍ଚାୟତ ତଥା ବ୍ରାହ୍ମଣୀଗାଁ ସମେତ କାଟିଙ୍ଗିଆ, କୁମ୍ଭାରୀଗାଁ, ଝିଞ୍ଜିରୀଗୁଡା, ଗଦାପୁର, ହାତୀମୁଣ୍ଡା, ସରାମୁଳି ଏବଂ ତାଜୁଙ୍ଗିଆର ବିଜେଡି କର୍ମୀ ଓ ନେତା ବ୍ରାହ୍ମଣୀଗାଁରେ ଏକାଠି ହୋଇଥିଲେ। ବୈଠକରେ ଜି. ଉଦୟଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଧାନସଭାର ପୂର୍ବତନ ଉପବାଚସ୍ପତି ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦଳକୁ ଆସନ୍ତା ତ୍ରିସ୍ତରୀୟ ନିର୍ବାଚନରେ ନିଜ ଦଳ ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଜିଲାପରିଷଦ ପ୍ରାର୍ଥୀଙ୍କୁ ନିର୍ବାଚନ ଜିତେଇବାକୁ ମନ୍ତ୍ରଣା ଦେଇଥିଲେ। ସେ କର୍ମୀଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ସାଙ୍ଗଠନିକ ମଜଭୁତ ପାଇଁ ସମସ୍ତେ ପରିଶ୍ରମ କରିବା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ ଯେ, ବିଜେଡି ଶାସନ କରିବା ସମୟରେ ଗାଁ ଗାଁରେ ବିକାଶ ହେବା ସହ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ନିକଟରେ ସୁବିଧାଜନକ ଭାବେ ପହଞ୍ଚି ପାରୁଥିଲା, ଯାହା ଭାଜପା ସରକାର ଲୋକଙ୍କୁ ନିର୍ବାଚନ ଜିତିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦେଇ ତାକୁ ପାଳନ କରୁ ନ ଥିବା ପୂର୍ବତନ ବିଧାୟକ ଭାଜପା ଉପରେ ବର୍ଷିଥିଲେ। ସେହିପରି ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ଶାସନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଅଞ୍ଚଳର ଲୋକଙ୍କ ସମସ୍ୟାକୁ ସେ ବୁଝୁ ନ ଥିବା ଓ ମାଳମାଳ ସମସ୍ୟା ଲୋକଙ୍କ ମୁଣ୍ଡ ଉପରେ ଲଦି ହୋଇରହିଥିବା କୁହାଯାଇଥିଲା। ତେଣୁ ଅଞ୍ଚଳର ବିକାଶ ପାଇଁ ପୁଣି ଆଞ୍ଚଳିକ ଦଳ ବିଜେଡି ସାଙ୍ଗଠନିକ ଆହୁରି ମଜଭୁତ ପାଇଁ ପରାମର୍ଶ ଦେଇଥିଲେ।

ଏହି କର୍ମୀ ମିଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, କାଟିଙ୍ଗିଆ ସରପଞ୍ଚ ସୁଭଦ୍ରା ପଡ୍ରା, ବହୁମୁଖୀ ସମବାୟ ସମିତିର ଅଧ୍ୟକ୍ଷା ନୀଳମତି ମଲିକ, ଜିଲା ସାଧାରଣ ସମ୍ପାଦକ ଦିଲ୍ଲୀପ ପ୍ରଧାନଙ୍କ ସମେତ ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି, କର୍ମୀ ଓ ନେତାମାନେ ଯୋଗଦାନ କରିଥିଲେ। ଏହି ମିଳନରେ ଏକାଧିକ କଂଗ୍ରେସ କର୍ମୀ ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ଜିଲା ସାଧାରଣ ସମ୍ପାଦକ ଦିଲ୍ଲୀପ ପ୍ରଧାନ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share