ଆଜି ସରିବ ପଞ୍ଚ ଠାକୁରାଣୀଙ୍କ ଯାତ୍ରା

ପୁରୁଷୋତ୍ତମପୁର,୩୦।୫(ଡି.ଏନ୍‌.ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଦୀର୍ଘ ୨୮ ଦିନଧରି ଚାଲିଥିବା ଐତିହାସିକ କିମ୍ବଦନ୍ତୀ ପୂର୍ଣ୍ଣକନକା, କାଳୁଆ, ତାରାତାରିଣୀ, କାଳୀ ଓ ଫୁଲ ସୁନ୍ଦରୀ ଆଦି ପଞ୍ଚଠାକୁରାଣୀଙ୍କ ଯାତ୍ରା ମଙ୍ଗଳବାର ବିଳମ୍ବିତ ରାତିରେ ଶେଷ ହେବ । ଏଥିଲାଗି ସକାଳୁ ସମସ୍ତ ସାହିରେ ନାଚଗୀତର ଆସର ଜମିଛି। ମା’ ସନ୍ଧ୍ୟା ୭ଟାରୁ ଅସ୍ଥାୟୀ ପୀଠରୁ ବାହାରି ନରସିଂହ ଦାଶ ହାଇସ୍କୁଲ ପଡିଆରେ ପହଞ୍ଚି ବାଣଯାତ୍ରାରେ ଯୋଗଦେବା ପରେ ସହର ପରିକ୍ରମାକରି ବିଳମ୍ବିତ ରାତ୍ରରେ ନିଜ ନିଜର ମୁଖ୍ୟ ମନ୍ଦିରକୁ ଫେରିଯିବେ । ଯାତ୍ରା ଶେଷ ହେବା ପୂର୍ବରୁ ଅସ୍ଥାୟୀ ପୀଠରେ ପରମ୍ପରା ଅନୁସାରେ ବିଭିନ୍ନ ରୀତିନୀତି ପ୍ରକାରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଛି। ସକାଳେ ଅସ୍ଥାୟୀ ପୀଠରୁ ମା’ଙ୍କ ଫୁଲ ଚାଙ୍ଗୁଡିକୁ ବିରାଟ ପଟୁଆରରେ ନରସିଂହ ଦାସ ହାଇସ୍କୁଲ ପଡ଼ିଆକୁ ନିଆଯାଇଥିଲା। ସେଠାରେ ଆୟୋଜିତ ଅନ୍ନଯଜ୍ଞରେ ମା’ ଯୋଗଦେଇଥିଲେ। ମା’ଙ୍କୁ ପୂଜାର୍ଚ୍ଚନା କରାଯିବାସହ ଅନ୍ନ ଭୋଗ କରାଯାଇଥିଲା। ଏହା ପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ। ସେପଟେ ଆଜି ଯାତ୍ରାର ଶେଷ ଦିନ ଯୋଗୁ ସହରର ସାହି ସାହିରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହା ସାଙ୍ଗକୁ ମିନା ବଜାର ଓ ଦୋଳିପଡ଼ିଛି। ଯାତ୍ରା କମିଟି ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।