ଇସଲାମାବାଦ୍,୧୪।୮: ଅପରେଶନ ସିନ୍ଦୂରରେ ପାକିସ୍ତାନ ପରାଜିତ ହୋଇଥିଲା। କିନ୍ତୁ ପାକିସ୍ତାନର ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ କେହି ମିଛ କହିବାରୁ ନିବୃତ୍ତ ହେଉନାହାଁନ୍ତି। ଦେଶର ସ୍ବାଧୀନତା ଦିବସ ଅବସରରେ ଶେହବାଜ ଶରିଫ କହିଛନ୍ତି, ପାକିସ୍ତାନ ସହିତ ସଂଘର୍ଷ ପାଇଁ ଭାରତ ଦାୟୀ। ଏବେ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ କହିଛନ୍ତି, ପାକିସ୍ତାନ ଉପରେ ଆକ୍ରମଣ କରି ଭାରତ ଭୁଲ କରିଛି, କିନ୍ତୁ ପାକିସ୍ତାନ ମଧ୍ୟ ଏହାର ଭଲ ଜବାବ ଦେଇଛି। ଜର୍ଦ୍ଦାରୀ କଶ୍ମୀର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ଜର୍ଦ୍ଦାରୀ କହିଛନ୍ତି, ଭାରତ ଆକ୍ରମଣ କରି ଭୁଲ କରିଛି, କିନ୍ତୁ ପାକିସ୍ତାନ ସାହସ ଏବଂ ସଂଯମର ସହିତ ଜବାବ ଦେଇଛି। ବିଶ୍ୱ ଏହା ମଧ୍ୟ ଜାଣିସାରିଛି ଯେ, ଆମ ଦେଶ ଶାନ୍ତି ଚାହୁଁଛି, କିନ୍ତୁ ଏହାର ଅଖଣ୍ଡତାକୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ। ଆମେ କାହାର ଚାପ ଆଗରେ ମୁଣ୍ଡ ନୁଆଁଇ ନାହୁଁ ଏବଂ କେବେ ମୁଣ୍ଡ ନୁଆଁଇବୁ ନାହିଁ।
ଜର୍ଦ୍ଦାରୀ ଅପରେଶନ ସିନ୍ଦୂରରେ ପାକିସ୍ତାନର ପରାଜୟକୁ ଲୁଚାଇ କହିଛନ୍ତି,ପାକିସ୍ତାନୀ ସେନା ଭାରତ ସହିତ ସଂଘର୍ଷରେ ଜିତିଛି। ଏହି ସଂଘର୍ଷରେ ବିଜୟ ଆମକୁ ମନେ ପକାଇ ଦେଇଥିଲା ଯେ ସମସ୍ତେ ଏକଜୁଟ। ଆମର ସମସ୍ତଙ୍କର ଲକ୍ଷ୍ୟ ସମାନ।
ଜର୍ଦ୍ଦାରୀ କାଶ୍ମୀର ବିଷୟରେ କହିଛନ୍ତି, ପାକିସ୍ତାନ ସର୍ବଦା ଏହାକୁ ସମର୍ଥନ କରିବ। ଆମେ ସମସ୍ତେ କଶ୍ମୀର ସହିତ ଅଛୁ। ନ୍ୟାୟ ପାଇଁ ସେମାନଙ୍କର ସାହସ ଏବଂ ସଂଘର୍ଷ ଆମ ହୃଦୟର ନିକଟତର। ସେମାନଙ୍କର ଆତ୍ମନିର୍ଣ୍ଣୟର ଅଧିକାର ହାସଲ ନ ହବା ପର୍ଯ୍ୟନ୍ତ ପାକିସ୍ତାନ ତା’ର ଅଟଳ କୂଟନୈତିକ, ନୈତିକ ଏବଂ ରାଜନୈତିକ ସମର୍ଥନ ଜାରି ରଖିବ।


