Categories: Home Leftଖେଳ

ଦଣ୍ଡିତ ହେଲା ପାକିସ୍ତାନ

ମୀରପୁର,୧୫ା୫: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳ ଦଣ୍ଡିତ ହୋଇଛି। ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ ଜରିମାନା ହୋଇଥିବା ବେଳେ ଚଳିତ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ୨୦୨୫-୨୭ ସାଇକେଲ (ଚକ୍ର)ରେ ଦଳକୁ ୮ ପଏଣ୍ଟ ଜରିମାନା ହୋଇଛି।

ଭ୍ରମଣକାରୀ ଦଳ ଟାର୍ଗେଟଠାରୁ ୮ ଓଭର ପଛରେ ରହିଯାଇଥିଲା। ଏହି ଦଣ୍ଡ ପରେ ପାକିସ୍ତାନ ବର୍ତ୍ତମାନ ଡବ୍ଲ୍ୟୁଟିସି ଷ୍ଟାଣ୍ଡିଂରେ ୪ ପଏଣ୍ଟ ସହ ଓ୍ବେଷ୍ଟଇଣ୍ଡିଜ ଉପରେ ୮ମ ସ୍ଥାନରେ ଅଛି। ଅନ୍ତିମ ଦିବସରେ ପାକିସ୍ତାନ ଚମତ୍କାର ବୋଲିଂ କରି ମ୍ୟାଚ୍‌କୁ ୧୦୪ ରନରେ ଜିତିନେଇଥିଲା। ନାହିଦ ରାଣାଙ୍କ ୫ଉଇକେଟ ସଫଳତା ଉଲ୍ଲେଖନୀୟ ଥିଲା। ପାକିସ୍ତାନ ଅଧିନାୟକ ଶାନ୍‌ ମାସୁଦ ଦୋଷ ସ୍ବୀକାର କରିବା ସହ ଦଣ୍ଡବିଧାନକୁ ମାନି ନେଇଥିବାରୁ ଆନୁଷ୍ଠାନିକ ଶୁଣାଣିର ଆବଶ୍ୟକତା ପଡ଼ି ନ ଥିଲା।

ପାକିସ୍ତାନ ଦଳ ବିରୋଧରେ ଫିଲ୍ଡ ଅମ୍ପାୟର ରିଚାର୍ଡ କିଟେଲ ଓ କୁମାର ଧର୍ମସେନା, ତୃତୀୟ ଅମ୍ପାୟର ଆଲ୍ଲାହୁଦ୍ଦିନ ପାଲେକର ଏବଂ ଚତୁର୍ଥ ଅମ୍ପାୟର ଗାଜି ସୋହେଲଙ୍କ ତରଫରୁ ଅଭିଯୋଗ ଅଣାଯାଇଥିଲା। ଏମିରେଟ୍ସ ଏଲିଟ୍‌ ପ୍ୟାନେଲ ମ୍ୟାଚ ରେଫରି ଜେଫ୍‌ କ୍ରୋ ଦଣ୍ଡବିଧାନ କରିଥିଲେ।

Share