PoKରେ ବଡ଼ ନାଟକ: ନିର୍ବାଚନ ହାରିଥିବା ନେତା ହେଲେ ନୂଆ PM! ନୱାଜଙ୍କ ଏକଚାଟିଆ ନିଷ୍ପତ୍ତିକୁ ନେଇ ହଙ୍ଗାମା

ଇସଲାମାବାଦ,୨୮।୮: ପାକିସ୍ତାନ ଅଧିକୃତ କାଶ୍ମୀର (PoK) ସାଧାରଣ ନିର୍ବାଚନ ପରେ ଏବେ ପ୍ରଧାନମନ୍ତ୍ରୀ ପଦକୁ ନେଇ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ (PML-N) ଭିତରେ ଗୃହଯୁଦ୍ଧ ଓ ନାଟକୀୟ ସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନରେ ସବୁଠାରୁ ଅଧିକ ଆସନ ଜିତି ସରକାର ଗଠନ କରିବାକୁ ଯାଉଥିବା PML-N ବାରିଷ୍ଟର ଇଫ୍‌ତିଖାର ଅଲୀ ଗିଲାନୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମନୋନୀତ କରିବା ପରେ ଏହି ବିବାଦ ଚରମ ସୀମାରେ ପହଞ୍ଚିଛି ।

ବାରିଷ୍ଟର ଇଫ୍‌ତିଖାର ଗିଲାନୀ ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ନିଜ ଆସନରୁ ପରାଜିତ ହୋଇଥିଲେ । ଏହା ପୂର୍ବରୁ ୨୦୨୧ ନିର୍ବାଚନରେ ମଧ୍ୟ ସେ ବିଜୟୀ ହୋଇପାରି ନ ଥିଲେ । ଏହା ସତ୍ତ୍ୱେ PML-N ତାଙ୍କୁ ବୈଷୟିକ ବିଶେଷଜ୍ଞ (ଟେକ୍ନୋକ୍ରାଟ୍‌)ଙ୍କ ପାଇଁ ସଂରକ୍ଷିତ ଥିବା ଆସନରୁ ବିଧାନସଭାକୁ ପଠାଇଥିଲା । ଏବେ ଦଳର ସୁପ୍ରିମୋ ନୱାଜ ଶରୀଫ ତାଙ୍କୁ ସିଧାସଳଖ ପ୍ରଧାନମନ୍ତ୍ରୀ ପଦ ପାଇଁ ମନୋନୀତ କରିବା ପରେ ଦଳୀୟ ନେତା ଓ ସାଧାରଣ ଜନତା ପ୍ରଶ୍ନ ଉଠାଇଛନ୍ତି ଯେ, ଯାହାଙ୍କୁ ଜନସାଧାରଣ ସିଧାସଳଖ ନିର୍ବାଚନରେ ପ୍ରତ୍ୟାଖ୍ୟାନ କଲେ, ତାଙ୍କୁ କିପରି ସରକାରର ନେତୃତ୍ୱ ଦିଆଯାଉଛି । ତେବେ PoK ରାଜନୀତିରେ ସଂରକ୍ଷିତ ଆସନରୁ ଆସି କେହି ପ୍ରଧାନମନ୍ତ୍ରୀ ହେବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମୁସଲିମ୍ କନ୍‌ଫରେନ୍ସ ନେତା ସରଦାର ଅବ୍‌ଦୁଲ କୟୁମ୍ ଖାନ୍ ଧର୍ମଗୁରୁ ଓ ପଣ୍ଡିତଙ୍କ ପାଇଁ ସଂରକ୍ଷିତ ଆସନରୁ ଜିତି ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ PoKର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିସାରିଛନ୍ତି ।

ଗିଲାନୀଙ୍କ ନାମ ଘୋଷଣା ହେବା ପରେ PML-Nର PoK ସଭାପତି ଶାହ ଗୁଲାମ କାଦିରଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ନିରାଶା ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ଶହବାଜ ଶରୀଫଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଗିଲାନୀ ଓ କାଦିରଙ୍କ ନାମ ଉପରେ ଆଲୋଚନା ହୋଇଥିଲା ଏବଂ ଚୂଡ଼ାନ୍ତ ନିଷ୍ପତ୍ତି ନୱାଜ ଶରୀଫଙ୍କ ଉପରେ ଛଡ଼ାଯାଇଥିଲା । ନୱାଜ ଶରୀଫ ଗିଲାନୀଙ୍କ ନାମରେ ମୋହର ମାରିବା ପରେ କାଦିରଙ୍କ ସମେତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜା ଫାରୁକ୍ ହାଇଦରଙ୍କ ପରି ବରିଷ୍ଠ ନେତାମାନେ ମଧ୍ୟ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଅନ୍ୟପଟେ ସୋସିଆଲ ମିଡିଆରେ ମଧ୍ୟ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରାଯାଉଛି । ସମ୍ବାଦପତ୍ର ଓ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ଯେ PoKରେ ଆନ୍ଦୋଳନ ଚାଲିଥିବା ସମୟରେ ଜଣେ ପରାଜିତ ଟେକ୍ନୋକ୍ରାଟ୍‌ଙ୍କୁ ପ୍ରଧାନମନ୍ତ୍ରୀ କରିବା ନିଆଁରେ ଘିଅ ଢାଳିବା ସଦୃଶ ।

ଦଳ ଭିତରେ ଯେତେ ବିବାଦ ଓ ଅସନ୍ତୋଷ ଥିଲେ ବି PML-N ସରକାର ଗଠନ ଉପରେ କୌଣସି ଆଞ୍ଚ ଆସିବ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । PoK ବିଧାନସଭାରେ PML-N ପାଖରେ ୩୨ଟି ଆସନ ରହିଥିବା ବେଳେ ପ୍ରଧାନମନ୍ତ୍ରୀ ନିର୍ବାଚନ ପାଇଁ କେବଳ ୨୭ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏହି ପରିସ୍ଥିତିରେ ଯଦି ଦଳର ଦୁଇଜଣ ବରିଷ୍ଠ ନେତା ଭୋଟଦାନରୁ ଦୂରେଇ ମଧ୍ୟ ରହନ୍ତି, ତଥାପି PML-N ପାଖରେ ସରକାର ଗଢ଼ିବା ପାଇଁ ସ୍ପଷ୍ଟ ବହୁମତ ରହିଛି ।

Dharitri – Odisha’s No.1 Odia Daily

Share