ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା କରିଛି । ‘ନିଶାନ-ଏ-କାଇଦ-ଏ-ଆଜମ’ ସମ୍ମାନ ଦେବାକୁ ଘୋଷଣା କରିଛି । ଅଗଷ୍ଟ ୧୪ରେ ପାକିସ୍ତାନ ସରକାର ଜାରି କରିଥିବା ନୋଟିଫିକେସନରେ ମୋଟ ୩୭୨ ଜଣଙ୍କୁ ବିଭିନ୍ନ ସିଭିଲ୍ ଆୱାର୍ଡ ଦେବାକୁ ଘୋଷଣା କରାଯାଇଛି । ଏଥିରେ ଏହି ଦୁଇ ଭାରତୀୟ ଡାକ୍ତରଙ୍କ ନାମ ମଧ୍ୟ ରହିଛି।

୧୯୫୭ ମସିହାରେ ଆରମ୍ଭ ହୋଇଥିବା ‘ନିଶାନ-ଏ-କାଇଦ-ଏ-ଆଜମ’ ହେଉଛି ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ । ମହମ୍ମଦ ଅଲୀ ଜିନ୍ନାଙ୍କ ସ୍ମୃତିରେ ସମାଜସେବା କ୍ଷେତ୍ରରେ ଏହି ସମ୍ମାନ ପ୍ରଦାନ କରାଯାଏ। ଏହା ପୂର୍ବରୁ ମାତ୍ର ୪ ଜଣଙ୍କୁ ଏହି ସମ୍ମାନ ମିଳିଥିବା ସୂଚନା ରହିଛି । ଇତିହାସକାର ଅକବର ଅହମଦଙ୍କ ପୁସ୍ତକ ଅନୁଯାୟୀ, ଜିନ୍ନା ୧୯୩୦ ଦଶକରୁ ଟିବି ଭଳି ଏକ ଗୁରୁତର ରୋଗରେ ପୀଡ଼ିତ ଥିଲେ। ସେତେବେଳେ ଟିବି ଏକ ଅତ୍ୟନ୍ତ ବିପଜ୍ଜନକ ରୋଗ ଥିଲା ଏବଂ ଏହାର ପ୍ରଭାବଶାଳୀ ଆଣ୍ଟିବାୟୋଟିକ୍ ଚିକିତ୍ସା ମଧ୍ୟ ଉପଲବ୍ଧ ନଥିଲା।

୧୯୪୬ ମସିହାରେ ଦୁଇ ପାର୍ସୀ ଡାକ୍ତର ଜିନ୍ନାଙ୍କ ଫୁସଫୁସର ଏକ୍ସ-ରେ ଦେଖିବା ପରେ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଗୁରୁତର ଆଶଙ୍କା କରିଥିଲେ । ସେମାନଙ୍କ ଆକଳନ ଅନୁସାରେ, ଜିନ୍ନା ଆଉ ମାତ୍ର ଏକ କିମ୍ବା ଦୁଇ ବର୍ଷ ବଞ୍ଚିପାରନ୍ତି ବୋଲି ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ, ଏହି ଦୁଇ ଡାକ୍ତର ଜିନ୍ନାଙ୍କ ରୋଗ ବିଷୟରେ ଜବାହରଲାଲ ନେହରୁ, ମହାତ୍ମା ଗାନ୍ଧୀ କିମ୍ବା ବ୍ରିଟିଶ୍ ସରକାରଙ୍କୁ ଜଣାଇନଥିଲେ । ଜିନ୍ନାଙ୍କ ଅସୁସ୍ଥତା ବିଷୟରେ କେବଳ ତାଙ୍କର କିଛି ଅତ୍ୟନ୍ତ ଘନିଷ୍ଠ ବ୍ୟକ୍ତି ଜାଣିଥିଲେ। ଏମାନଙ୍କ ମଧ୍ୟରେ ତାଙ୍କ ଭଉଣୀ ଫାତିମା ଜିନ୍ନା ମଧ୍ୟ ଥିଲେ।

ଅସୁସ୍ଥତାର ଖବର ପ୍ରକାଶ ପାଇଲେ ଜିନ୍ନାଙ୍କ ରାଜନୈତିକ ପ୍ରଭାବ ଓ ସାଖ ଉପରେ ପ୍ରଭାବ ପଡ଼ିପାରେ ବୋଲି ଆଶଙ୍କା କରାଯାଉଥିଲା। ତେଣୁ ତାଙ୍କ ରୋଗକୁ ଅତ୍ୟନ୍ତ ଗୁପ୍ତ ରଖାଯାଇଥିଲା। ଏହି ଘଟଣାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ଭାରତ ବିଭାଜନ। ରିପୋର୍ଟରେ ଦାବି କରାଯାଇଛି ଯେ, ଯଦି ସେତେବେଳେ ଲର୍ଡ ମାଉଣ୍ଟବ୍ୟାଟେନଙ୍କୁ ଜିନ୍ନାଙ୍କ ଗୁରୁତର ଅସୁସ୍ଥତା ବିଷୟରେ ଜଣାପଡ଼ିଥାନ୍ତା, ତେବେ ସ୍ୱାଧୀନତା ଓ ବିଭାଜନର ନିଷ୍ପତ୍ତି କିଛି ମାସ ପାଇଁ ଟଳିପାରିଥାନ୍ତା।

 

Dharitri – Odisha’s No.1 Odia Daily

Share