Categories: ଖେଳ

ଅହମଦାବାଦରେ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ: ପିସିବି

କରାଚୀ,୮ା୬: ଭାରତରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ବ୍ୟତୀତ ଅହମଦାବାଦରେ ଅନ୍ୟ କୌଣସି ମ୍ୟାଚ ଖେଳିବାକୁ ଚାହୁଁନାହିଁ ପାକିସ୍ତାନ। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଚେୟାରମ୍ୟାନ ନଜାମ ସେଠୀ ଏନେଇ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍‌ସିଲ (ଆଇସିସି) ଚେୟାରମ୍ୟାନ ଗ୍ରେଗ୍‌ ବାର୍କଲେଙ୍କୁ ଏ ବିଷୟ ଜଣାଇଛନ୍ତି।

ପ୍ରତିଯୋଗିତାରେ ପାକିସ୍ତାନ ଏହାର ମ୍ୟାଚଗୁଡ଼ିକ କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁରେ ଖେଳିବାକୁ ଚାହୁଁଥିବା ପୂର୍ବରୁ ଏକ ରିପୋର୍ଟରେ ପ୍ରକାଶ ପାଇଥିଲା। ବାର୍‌କ୍ଲେ ଓ ଆଇସିସି ଜେନେରାଲ ମ୍ୟାନେଜର ଜେଫ୍‌ ଆଲାର୍‌ଡିସ୍‌ ନିକଟରେ କରାଚୀ ଯାଇଥିଲେ। ପାକିସ୍ତାନ ଏହାର ମ୍ୟାଚଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳିବା ଲାଗି ଯେପରି ଦାବି ନ କରେ ସେ ନେଇ ପିସିବିଠାରୁ ସେମାନେ ପ୍ରତିଶ୍ରୁତି ଲୋଡିଥିଲେ।

ଅନ୍ୟପକ୍ଷେ ପାକିସ୍ତାନ ଏଥର ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜକ ରହିଛି। ହେଲେ ସୁରକ୍ଷା କାରଣ ଦର୍ଶାଇ ଭାରତ ପାକିସ୍ତାନରେ ମ୍ୟାଚ ଖେଳିବାକୁ ରାଜି ହେଉ ନାହିଁ। ଏପରିକି ନିରପେକ୍ଷ ଭେନ୍ୟୁରେ ଖେଳିବାକୁ ପ୍ରସ୍ତାବ ଦେଇଛି। ହେଲେ ପିସିବି ଏହାକୁ ଗ୍ରହଣ କରୁନାହିଁ।

Share