କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଟିମ ଇଣ୍ଡିଆ କଲମ୍ବୋରେ ପହଞ୍ଚିଛି। ମ୍ୟାଚ ପୂର୍ବରୁ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସଲମାନ ଭାରତ ପାଇଁ ଅଭିଷେକ ଶର୍ମା ଖେଳିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।
ଆମେରିକା ବିପକ୍ଷ ମ୍ୟାଚ ପୂର୍ବରୁ ଅଭିଷେକ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା, କିନ୍ତୁ ସେ ସେହି ମ୍ୟାଚ ଖେଳିଥିଲେ। ଏହା ପରେ ଅଭିଷେକଙ୍କୁ ଦିଲ୍ଲୀରେ ଦୁଇ ଦିନ ପାଇଁ ହସ୍ପିଟାଲରେ ରଖାଯାଇଥିଲା, ଯଦିଓ ସେ ନାମ୍ବିଆ ବିପକ୍ଷ ମ୍ୟାଚ ପୂର୍ବରୁ ଦଳରେ ପୁନର୍ବାର ଯୋଗ ଦେଇଥିଲେ। ଅଭିଷେକ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଏକ ଚ୍ୟାଲେଞ୍ଜିଂ ସ୍ବରରେ କହିଛନ୍ତି, ଆମେ ଅଭିଷେକଙ୍କୁ ଖେଳୁଥିବା ଦେଖିବାକୁ ଚାହୁଁ। କାରଣ ଆମେ ଭାରତର ସର୍ବଶ୍ରେଷ୍ଠ ଦଳକୁ ସାମ୍ନା କରିବାକୁ ପ୍ରସ୍ତୁତ। ମୁଁ ଆଶା କରୁଛି ଅଭିଷେକ ଶର୍ମା ସୁସ୍ଥ ହୋଇଯିବେ।
ଭାରତ-ପାକିସ୍ତାନ ମ୍ୟାଚ ଫେବୃଆରୀ ୧୫, ସନ୍ଧ୍ୟା ୭ଟାରୁ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଭାରତ ଏବଂ ପାକିସ୍ତାନ ପୂର୍ବରୁ ଆର. ପ୍ରେମଦାସା ଷ୍ଟାଡିୟମରେ ଥରେ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟିମ ଇଣ୍ଡିଆ ପାକିସ୍ତାନକୁ ୮ ଉଇକେଟରେ ପରାସ୍ତ କରିଥିଲା।
Dharitri – Odisha’s No.1 Odia Daily

