Posted inଫୁରସତ

ପଖାଳ କଥା

ଓଡ଼ିଆଙ୍କର ପ୍ରିୟ ପଖାଳ। କେବେ ଦିନେ ଗାଁର ଖାଦ୍ୟ ବୋଲି କୁହାଯାଥିବା ଏହି ପଖାଳ ଏବେ ସହରୀ ଲୋକଙ୍କର ବି ମନ କିଣି ନେଇଛି। ଆମ ପାରମ୍ପରିକ ଖାଦ୍ୟ ଯେମିତି ସ୍ବାଦିଷ୍ଟ ସେମିତି ସ୍ବାସ୍ଥ୍ୟ ଉପଯୋଗୀ।

ଯେମିତି ପଖାଳ ସେମିତି ନାଁ: ଦିନଥିଲା ଗାଁରେ ପ୍ରତ୍ୟେକଙ୍କ ଘରେ ଦେଖିବାକୁ ମିଳୁଥିଲା ମାଟି ଚୁଲି। କାଠର ଜାଳେଣି। ଢିଙ୍କିକୁଟା ଦେଶୀ ଶାରଦ ଧାନର ଉସୁନା ଓ ଅରୁଆ ଚାଉଳ। ଏସବୁକୁ ମାଟିହାଣ୍ଡିରେ ରନ୍ଧା ଯାଉଥିଲା। ରାତିରେ ଏହି ଭାତରେ ପାଣି ଢଳାଯାଇ ପଖାଳ ପ୍ରସ୍ତୁତ କରାଯାଉଥିଲା। ଯାହାକୁ ବାସି ପଖାଳ କୁହାଯାଉଥିଲା। ଏହାର ବାସ୍ନା ଯେମିତି ସ୍ବାଦ ବି ସେମିତି। କେହି କେହି ସାଙ୍ଗେ ସାଙ୍ଗେ ଭାତ ରାନ୍ଧି ସେଥିରେ ପାଣି ଢାଳି ସଜ ପଖାଳ କରି ଖାଆନ୍ତି। ଏଥିରେ ଲେମ୍ବୁଚିପୁଡ଼ି ଖିଆଯାଏ। ସେମିତି ସଜ ପଖାଳରେ ଅଳ୍ପ ତୋରାଣି ରଖି ସେଥିରେ ଦହି ମିଶାଇଲେ ତାହା ଦହିପଖାଳ ହୁଏ। ଭଜା ଜିରାଗୁଣ୍ଡ, ଲୁଣ ଭୁର୍ସୁଙ୍ଗପତ୍ର ଓ ଧନିଆ ପତ୍ର, ଆମ୍ବକଷିଅଦା ଏଥିରେ ଉପଯୋଗକରି ଖାଇଲେ ଭଲଲାଗେ। ସଜପଖାଳରେ ଭୁର୍ସୁଙ୍ଗ, ଧନିଆ ପତ୍ର ସହ ଜିରା ଛୁଙ୍କ କରାଯାଇ ଜିରାପଖାଳ ପ୍ରସ୍ତୁତ କରାଯାଇଥାଏ। ରନ୍ଧାଭାତରେ ଆମ୍ବକଷିଅଦା, ଭଜାଜିରା, ଗୋଲମରିଚଗୁଣ୍ଡ, କଳାଲୁଣ, ଦହି ଓ ପାଣି ମିଶାଇ ସୁଗନ୍ଧି ପଖାଳ ପ୍ରସ୍ତୁତ କରାଯାଇଥାଏ। ଆବଶ୍ୟକ ସ୍ଥଳେ କିଛି ମାତ୍ର ଲେମ୍ବୁ କିମ୍ବା କମଳାପତ୍ର ଏଥିରେ ମିଶାଇଲେ ତାହାର ବାସ୍ନା ମହକିଥାଏ, ଖାଇବାକୁ ସୁସ୍ବାଦ ଲାଗେ। ସୁଗନ୍ଧି ପଖାଳରେ କଳାଜିରା, ତେଜପତ୍ର, ଅଳ୍ପଚିନି, କମଳାଲେମ୍ବୁର କିଛିପାଖୁଡ଼ାକୁ ବ୍ୟବହାର କରାଯାଇଥାଏ। ଏହା ପ୍ରାୟତଃ ଓଡ଼ିଶାରେ କେତେକ ଦେବଦେବୀଙ୍କ ପୀଠରେ ଭୋଗରୂପେ ଅର୍ପଣ କରାଯାଇଥାଏ ଏହାକୁ ମିଠା ପଖାଳ କୁହାଯାଏ। ବିଭିନ୍ନ ପରିବାକୁ ସିଝାଇ ତାକୁ ସଜପଖାଳରେ ଛୁଙ୍କ କରି ପରିବା ପଖାଳକୁ ପ୍ରସ୍ତୁତ କରାଯାଇଥାଏ। ଜିରା, ଭୁର୍ସୁଙ୍ଗ ପତ୍ର, ଶୁଖିଲା ଲଙ୍କାଙ୍କୁ ଛୁଙ୍କକରି ପଖାଳରେ ମିଶାଇଲେ ତାହାକୁ ଛୁଙ୍କପଖାଳ କୁହାଯାଇଥାଏ। ସେହିପରି ଖୁଦପିତା ଓ କାଞ୍ଜି ପଖାଳର ଏକ ଅନ୍ୟଏକ ରୂପାନ୍ତର। ପେଯମିଶା ତୋରାଣି ସହ ଖୁଦ (ଗୁଣ୍ଡ ଚାଉଳ) ରନ୍ଧାଯାଇ ସେଥିରେ ନିମ୍ବପିତା ଓ ଦହିଛୁଙ୍କ କରାଯାଇଥାଏ।

ପଖାଳର ଔଷଧୀୟଗୁଣ: ଖରାଦିନେ ଅଂଶୁଘାତରୁ ମୁକ୍ତି ପାଇଁ ପଖାଳ ଖାଇବା ଓ ତୋରାଣି ପିଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି। ଏ ସମ୍ପର୍କରେ ଆୟୁର୍ବେଦିକ ଡାକ୍ତର ବାସୁଦେବ ପ୍ରଧାନ କୁହନ୍ତି,‘ପଖାଳର ଅନେକ ଔଷଧୀୟ ଗୁଣ ରହିଛି। ନିଦ୍ରାହୀନତା ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ପଖାଳ ମହୋଷଧି ପରି କାମକରେ। ଖରାଦିନେ ଶରୀରରୁ ଜଳୀୟଅଂଶ କମିଯାଉଥିବାରୁ ପଖାଳ ତୋରାଣି ପିଇବାକୁ ପରାମର୍ଶ ଦିଆଯାଏ। କାରଣ ଏହା କ୍ଳାନ୍ତି ନିବାରକ, ଶକ୍ତି ବର୍ଦ୍ଧକ ଓ ଅର୍ସରୋଗ ନିବାରକ। ପଖାଳ କୋଷ୍ଠକାଠିନ୍ୟ ଦୂରକରେ ଓ ଏହାଦ୍ୱାରା ବାତ ପିତ୍ତ ଦୂରହୁଏ। ପଖାଳକୁ ସକାଳେ ଖାଇଲେ ଶରୀରର ମେଦ ବୃଦ୍ଧି ହୁଏ ନାହିଁ। ପୁଣି ରକ୍ତଚାପ ସ୍ବାଭାବିକ ରହେ। ହଜମ ଶକ୍ତି ବଢ଼ାଏ। ଶରୀରର ତାପମାତ୍ରାକୁ ନିୟନ୍ତ୍ରଣରେ ରଖେ। ପାକସ୍ଥଳୀ ସୁସ୍ଥ ରଖେ। ଢିଙ୍କିକୁଟା ଅକାଣ୍ଡିଆ ଚାଉଳରୁ ପ୍ରସ୍ତୁତ ପଖାଳ ଦେହପାଇଁ ସବୁଠୁ ଭଲ। କଂସାବେଲାରେ ପଖାଳଭାତ, ପେଯ ସହିତ ପାଣି ମିଶାଇ ଖାଇଲେ ତାହା ଅଧିକ ପୁଷ୍ଟିକର ହୋଇଥାଏ। ପଖାଳରେ ଲୌହ, ସୋଡିୟମ, କ୍ୟାଲ୍‌ସିୟମ, ଲାକଟିକ ଏସିଡ୍‌ ଥାଏ। । ମାତ୍ର ପଖାଳରେ ବିପଦ ହେଲା ମଲାଭାତ, ଏଥିରେ ଆଲଫାଟକସିନ୍‌ ଜାତୀୟ ବିଷ ରହିଥାଏ। ଭାତ ରାନ୍ଧିବା ପୂର୍ବରୁ ଚାଉଳରୁ ଏହାକୁ ବାହାର କରିବା ଉଚିତ।

ପଖାଳ: କେତେ କଥା, କେତେ କାହାଣୀ: ପଖାଳର ପ୍ରଚଳନ କେବେ ଓଡ଼ିଆଙ୍କ ପ୍ରିୟ ଖାଦ୍ୟରେ ପରିଣତ ହେଲା ତା’ର ହୁଏତ ଇତିହାସ ଜଣା ନାହିଁ। କିନ୍ତୁ ବିଭିନ୍ନ ସମୟରେ କବି ଲେଖକମାନଙ୍କ ରଚିତ ବିଭିନ୍ନ କୃତି ମଧ୍ୟରେ ପଖାଳ ସ୍ଥାନ ପାଇ ଆସିଛି। କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ରଚିତ କାଳଜୟୀ ଗୀତ- ‘ଆସ ଜୀବନ ଧନ ମୋର ପଖାଳ କଂସା…’। ଖନାବଚନରେ- ଗାଧୁଆ ସୁଖ ସକାଳ, ଦେହରେ ଯେବେ ଯାଏ ଖାଇବା ସୁଖ ପଖାଳ, ଭଜାଭଜି ଯେବେ ଥାଏ। ସେହିପରି ପଦ୍ମଶ୍ରୀ କବି ସଚ୍ଚି ରାଉତରାୟଙ୍କ ‘ପଲ୍ଲୀସଞ୍ଜ’ କବିତାରେ- ଧୂଆଁ ଉଠେ ଚାଳ ଉପରେ/ ଲାଗିଲାଣି ଚୁଲି କାନସିରି ଦେଇ /ଚଲାଇନିଏ କେ ପଖାଳେ…। ସେହିପରି ସହି ହୁଏ ନାହି ଟାଣଖରାକୁ ମନ ଝୁରିଲାଣି ପଖାଳ ସଙ୍ଗେ ବଡ଼ିଚୂରାକୁ। ପ୍ରାବନ୍ଧିକ ଗୋବିନ୍ଦଚନ୍ଦ୍ର ତ୍ରିପାଠୀ ତାଙ୍କ ବଟୁଆ ପ୍ରବନ୍ଧରେ ପଖାଳକଂସା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେହିପରି ଓଡ଼ିଆ ଢଗଢମାଳି- ‘ଅଖାଇ ନାନୀର ବାର ବରତ, ସକାଳୁ ଖାଇଛି ପଖାଳ ଭାତ। ଏମିତି ଦିଅଁ କେଉଁଠି ଅଛି, ପଖାଳଭାତରେ ଘିଅ ଖାଉଛି। ମଦରଙ୍ଗା ଶାଗ ରାଇ, ପଖାଳ ଭାତକୁ ଚିଲିକା ଶୁଖୁଆ, ମାଣିକପାଟଣା ଦହି। ପଖାଳକୁ ନେଇ ଅନେକ ଭଜନ, ଆଧୁନିକ ଓ ଆଲବମ ଗୀତ ରହିଛି। ଯେମିତିକି – କହ୍ନେଇ ଖାଉଛି ଦହି ପଖାଳ, ଆ ଖାଇବା ଦହି ପଖାଳ, ମାଧବ ହେ ମାଧବ/ମୁଠେପଖାଳରେ ପେଟ ପୂରେ ମୋର, ଛପନ ଭୋଗରେ ନାହିଁ ତ ଲୋଭ… ଇତ୍ୟାଦି।

ପଖାଳ ପାଇଁ ବିଭିନ୍ନ କଂସାବେଲା: ଆଗରୁ କଂସାରେ ହିଁ ପଖାଳ ଖିଆ ଯାଉଥିଲା। ବ୍ୟବହାରରେ ସମସ୍ୟା ହେବାରୁ ଲୋକ ଷ୍ଟିଲ ଆଦିକୁ ଆପଣେଇଲେ। କିନ୍ତୁ କଂସାର ସ୍ବସ୍ଥ୍ୟୋପଯୋଗୀ ଦିଗକୁ ଦେଖିବା ପରେ ଏବେ ପୁଣି କଂସା ପ୍ରତି ଲୋକଙ୍କ ଆଗ୍ରହ ବଢିଛି। ବିଶେଷକରି ପଖାଳ ଖାଇବା ପାଇଁ ଲୋକ କଂସାର ବ୍ୟବହାର କରୁଛନ୍ତି। ଏହି ପଖାଳ କଂସାର ବିଭିନ୍ନ ନାମ ରହିଛି। ଏସମ୍ପର୍କରେ ସଂଗ୍ରାହକ ଓ ଗବେଷକ ସୁଦର୍ଶନ ସାହୁ କୁହନ୍ତି,‘ପାରମ୍ପରିକ କଂସାବେଲାର ବିଭିନ୍ନ ନାମ ରହିଛି – ଯଥା ତୋରାଣି ବେଲା, ଫାସ ବେଲା, ସହରୀବାବୁ କଂସାବେଲା, ରାମସାଇ ବେଲା, ମାଣବେଲା, ପୋଚ ବେଲା, ଅଣ୍ଟାଭଙ୍ଗା ପଖାଳ ବେଲା, ଦୁଦୁରାଫୁଲିଆ ବେଲା, ବାଲୋବରୀ ବେଲା, ମାଟୁ କଂସା ବେଲା, ବଇଠି ବେଲା, ମଣ୍ଡା ବେଲା, ଔଖମା ବେଲା, ହାତୀପାହୁଲିଆ ବେଲା,ମାଟିଆ କେଲା ବେଲା, ଟଭା ଫାଳିଆ ବେଲା ଇତ୍ୟାଦି ରହିଛି। ବିଭିନ୍ନ ବର୍ଗର ଲୋକମାନେ ପଖାଳ ଖାଇବା ପାଇଁ ବିଭିନ୍ନ ପ୍ରକାରର କଂସାବେଲାକୁ ବ୍ୟବହାର କରିଥାନ୍ତି।

ଶ୍ରୀମନ୍ଦିରରେ ପଖାଳ ଲାଗି: ମାଦଳା ପାଞ୍ଜିରେ ଉଲ୍ଲେଖ ରହିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରେ ପଖାଳର ସ୍ଥାନ ସ୍ବତନ୍ତ୍ର। ଏ ସମ୍ପର୍କରେ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ର. ସୁରେନ୍ଦ୍ରନାଥ ଦାଶ କୁହନ୍ତି,‘ପ୍ରଭୁ ଶ୍ରୀ ଜଗନ୍ନାଥ ପଖାଳ ପ୍ରିୟ। ଶ୍ରୀମନ୍ଦିରରେ ଅଭଡ଼ାରେ ପାଣି ଓ ଦହି ଦେଇ ପଖାଳ ପ୍ରସ୍ତୁତ କରି ପ୍ରତିଦିନ ଠାକୁରଙ୍କୁ ଅର୍ପଣ କରାଯାଏ। କିଛି ସ୍ବତନ୍ତ୍ର ପୂଜାପର୍ବରେ ବି ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି କରାଯାଏ। ସେହିପରି ଶ୍ରୀମନ୍ଦିରର ବଡ଼ୁ ସୁଆର ଭୁବନେଶ୍ୱର ପଣ୍ଡା କୁହନ୍ତି,‘ ମହାପ୍ରଭୁଙ୍କୁ ପ୍ରତିଦିନ ଦ୍ୱିପ୍ରହର ଧୂପରେ ସୁବାସିତ ପଖାଳ, ସନ୍ଧ୍ୟା ଧୂପରେ ଦହି ପଖାଳ ଓ ବଡ଼ ସିହାଂରଭୋଗରେ ମିଠା ପଖାଳ ଲାଗି କରାଯାଏ। ଏହାବାଦ ଅଖିତୃତୀୟା ପରଦିନଠୁ ସ୍ନାନ ପର୍ଣ୍ଣିମା ପୂର୍ବଦିନ ପର୍ଯ୍ୟନ୍ତ ଯାତ୍ରାଭୋଗ ପଖାଳ ଲାଗି କରାଯାଏ। ଏହାପରେ ଯାଇ ମହାପ୍ରଭୁ ଚନ୍ଦନ ଯାତ୍ରା ପାଇଁ ବିମାନକୁ ଯାଆନ୍ତି। ଗୁଣ୍ଡିଚା ଘରେ ବି ପଖାଳ ହୁଏ। ମକର ସଂକ୍ରାନ୍ତି, ଦିପାବଳୀରେ ନିତିଦିନର ପଖାଳ ବାଦ ଅଲଗା ଅଧିକ କିଛି ପଖାଳ କରାଯାଏ। ଷୋଳପୂଜାରେ ସନ୍ଧ୍ୟା ଧୂପ ବେଳେ ମହାପ୍ରଭୁଙ୍କ ପାଖରେ ପଖାଳ ଲାଗି ହେବା ପରେ ସେହି ପଖାଳ ପୁଣି ମା’ ବିମଳାଙ୍କ ପାଖରେ ଯାଇ ଭୋଗ ଲାଗି କରାଯାଏ।’

ପଖାଳ ଦିବସ: ପଣ୍ଡିତ ଗୋପୀନାଥ ନନ୍ଦଶର୍ମାଙ୍କ ମତରେ ପଖାଳ ହେଉଛି ତୋରାଣି ମିଶାଭାତ। ପଖାଳରେ ଅନେକ ଉପାଦେୟ ଗୁଣ ରହିଥିବା ବେଳେ ଓଡ଼ିଆ ସଂସ୍କୃତି ଓ ଜନଜୀବନ ସହିତ ଜଡ଼ିତ। ପ୍ରତିିବର୍ଷ ମାର୍ଚ୍ଚ ୨୦ତାରିଖରେ ବିଶ୍ୱ ପଖାଳ ଦିବସ ପାଳନ ହୋଇଥାଏ ଯାହାକୁ ଲକ୍ଷ୍ୟ ରଖି ଆଜକାଲି ବିଭିନ୍ନ ଅନୁଷ୍ଠାନ ଓ ହୋଟେଲରେ ପଖାଳ ଦିବସ ପାଳନ କରାଯାଉଛି। ଜଟଣୀ ଉତ୍ତରାଣୀ କ୍ଲବର ସଂପାଦକ ବିପ୍ଳ୍ଲବକେଶରୀ ଶତପଥୀ କୁହନ୍ତି, ‘ କିଛିବର୍ଷ ପୂର୍ବରୁ ଆମ କ୍ଳବର ସଦସ୍ୟମାନେ ଏକାଠି ହୋଇ ବର୍ଷର ଏକ ନିର୍ଦ୍ଦିଷ୍ଟ ଦିନରେ ପଖାଳଭାତ, ଆମ୍ବ ଚଟଣି, କଖାରୁ ଫୁଲ ପିଠଉ, ପଣସକଠା ତରକାରି କରି ଏକାଠି ବସି ଖାଉଥିଲୁ । କିନ୍ତୁ କିଛି ବର୍ଷ ହେବ ପଖାଳ ଦିବସ ଉପଲକ୍ଷେ ଅନୁଷ୍ଠାନ ତରଫରୁ ଏହି ଦିବସର ଗୋଟିଏ ଦିନ ପୂର୍ବରୁ ମାଟି ହାଣ୍ଡିରେ ଭାତ ରାନ୍ଧି ରଖାଯାଇଥାଏ। ପଖାଳ ଦିବସ ଦିନ ଦହି ପଖାଳ, ଛୁଙ୍କପଖାଳ, ଅଦା ପଖାଳ, ପୋଦିନା ପଖାଳ, ସାଦା ପଖାଳକୁ ପ୍ରସ୍ତୁତକରି ଆମ ଅଞ୍ଚଳର ମାରଓ୍ବାଡି ଯୁବାମଞ୍ଚ, ରୋଟାରୀ କ୍ଲବ, ବରିଷ୍ଠ ନାଗରିକ ମଞ୍ଚ ସମେତ ଏକାଧିକ ସାମାଜିକ ଅନୁଷ୍ଠାନର ଶତାଧିକ ସଦସ୍ୟ/ସଦସ୍ୟାମାନେ ଏକାଠି ପଖାଳ ଖାଇ ପଖାଳ ଦିବସକୁ ପାଳନ କରିଥାଉ। ଏଥି ସହିତ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ତରଫରୁ ମଧ୍ୟ ବିଭିନ୍ନ ସ୍ଥାନରେ ପଖାଳ ଦିବସ ପାଳନ କରାଯାଇଥାଏ।

ଗାଁରୁ ସହର ସବୁଠି ପଖାଳ: ଛୋଟ ଚାଳିଆ ହୋଟେଲଠାରୁ ଆରମ୍ଭକରି ପଞ୍ଚତାରକା ହୋଟେଲ ଆଦିରେ ପଖାଳ ଖାଇବାକୁ ମିଳେ। ଯାହାର ଦର ବି ସେମିତି ଭିନ୍ନ ଭିନ୍ନ ରହିଥାଏ। ଭୁବନେଶ୍ୱରର ପେଟପୂଜା ହୋଟେଲର ଜ୍ୟୋତି ରଞ୍ଜନ ବେହେରା କୁହନ୍ତି,‘ଆମର ଏଠାରେ ସାଦା ପଖାଳ ଏବଂ ମସଲା ପଖାଳ ମିଳେ। ସାଦା ପଖାଳ ବେଲାର ଦାମ ୧୦୦ଟଙ୍କା ରହିଛି।ଏଥିରେ ବଡ଼ିଚୂରା, ଶାଗଭଜା, କଖାରୁ ଫୁଲ ସେକା, ଆଳୁଭର୍ତ୍ତା, ଚଟଣି, ପୋଟଳ ମସଲା, ଭେଣ୍ଡିଭଜା, ପାମ୍ପଡ଼, କାକୁଡ଼ି, ପିଆଜ ପରଷା ଯାଇଥାଏ। ମସଲା ପଖାଳ ବେଲା-୧୨୦ ଟଙ୍କା। ମସଲା ପଖାଳରେ ପୋଦିନାପତ୍ର, ଲେମ୍ବୁପତ୍ର, ଆମ୍ବକଷିଆ ଅଦା, ଧନିଆପତ୍ର ପାଗ ହୋଇଥାଏ। ଏଥିରେ ବଡ଼ିଚୂରା, ଶାଗଭଜା, କଖାରୁ ଫୁଲ ପିଠଉ, ପଣସକଠା ପିଠଉ, ସୋରିଷ କଲରା, ଆଳୁଭର୍ତ୍ତା(ତେନ୍ତୁଳି, ରସୁଣ, ଧନିଆପତ୍ର, କଞ୍ଚାଲଙ୍କା ମିଶି ଚଟଣି), ପୋଟଳ ମସଲା, ଭେଣ୍ଡିଭଜା, ପାମ୍ପଡ଼, କାକୁଡ଼ି, ପିଆଜ ଦିଆଯାଏ। ଯଦି କେହି ଗରାଖ ଆମିଷ ଖାଇବାକୁ ଚାହିଁବେ ସେଥିପାଇଁ ପ୍ରତି ଖଣ୍ଡ ରୋହିମାଛ ବେସର-୫୦ ଟଙ୍କା, ଚିଙ୍ଗୁଡ଼ିପୋଡ଼ା-୨୨୦, ଖଇଙ୍ଗା ଶୁଖୁଆ ଭଜା-୧୦୦, ଭାକୁର ପୋଡ଼ା-୧୦୦ଟଙ୍କା ଦେବାକୁ ହେବ। ସେହିପରି ସହିଦନଗର ଫାଣ୍ଡି ନିକଟରେ ଥିବା ହୋଟେଲ ମହାରାଜାର ପରିଚାଳକ ମନୋଜ କୁମାର ସାହୁ କୁହନ୍ତି- କେବଳ ଖରାଦିନେ ସାଦା ପଖାଳ ୭୦ ଟଙ୍କାରେ ମିଳିଥାଏ। ଏହାସହ ବଡ଼ିଚୂରା, ଶାଗ, ଆଳୁଭଜା/ଆଳୁଭର୍ତ୍ତା, ଆଚାର, ମିକ୍ସ ତରକାରି, କଖାରୁ ଫୁଲ ପିଠଉ ପରଷାଯାଏ। ଯଦି ପଖାଳ ସହିତ ଚୂନାମାଛ ବେସର କିମ୍ବା ଭଜା ଖାଇବାକୁ ଚାହାନ୍ତି ତେବେ ଗରାଖଙ୍କୁ ୧୨୦ଟଙ୍କା ଦେବାକୁ ପଡ଼ିଥାଏ। ସେହିପରି ଭୁବନେଶ୍ୱର-ପୁରୀ ନୂଆ ସଡ଼କ ନିକଟରେ ରହିଛି ହୋଟେଲ ସେକେଣ୍ଡ ଓ୍ବାଇଫ। ଏହାର ମାଲିକ ମିର୍ଜା ଆକ୍ରାମ କୁହନ୍ତି, ପ୍ରତିବର୍ଷ ମାର୍ଚ୍ଚ ୨୦ରୁ ଏଠାରେ ପଖାଳ ମିଳେ। କେବଳ ମାଟିହାଣ୍ଡିରେ ପ୍ରସ୍ତୁତ ନାଲି ଚାଉଳର ଛୁଙ୍କ ପଖାଳକଂସା ଦର ୨୫୦ଟଙ୍କା ରହିଥାଏ। ଆଳୁ, ବାଇଗଣ ଏବଂ ଟମାଟୋପୋଡ଼ା, ଆଳୁଭର୍ତ୍ତା, ଶାଗମୁଗ, ବଡ଼ିଚୂରା, ଛୁଇଁବେସର, ଦହି, କଖାରୁଫୁଲ ଆଦି ୨୨ ପ୍ରକାର ଖାଦ୍ୟକୁ ମାଟିପାତ୍ରରେ ପରଷା ଯାଇଥାଏ। ଫାୟାର ଷ୍ଟେଶନ ଛକରୁ ସମ୍‌ ହସ୍‌ପିଟାଲ ଯିବା ରାସ୍ତାକଡ଼ରେ ରହିଛି ମହାରାଜ ଦହିପଖାଳ ହୋଟେଲ। ଏହି ହୋଟେଲର ଅନିଲ ନାୟକ କୁହନ୍ତି,‘ସାଦା ଦହିପଖାଳ ଦର ୭୦ଟଙ୍କା ରହିଥିବା ବେଳେ ମାଛବେସର ଦେଲେ ୮୦ ଟଙ୍କା ଗରାଖଙ୍କୁ ଦେବାକୁ ପଡ଼ିଥାଏ। ଖରାଦିନେ ବିଭିନ୍ନ ସ୍ଥାନରେ ରହିଥିବା ଏକାଧିକ ହୋଟେଲରେ ଭିନ୍ନ ଭିନ୍ନ ଦରରେ ପଖାଳ ଖାଇବାକୁ ମିଳେ।

ଓଡ଼ିଆ ପରମ୍ପରାରେ ପଖାଳ: ପଖାଳ ପ୍ରିୟ ୭୮ ବର୍ଷୀୟା ସୌରୀ ପ୍ରଧାନ କୁହନ୍ତି- ପ୍ରତ୍ୟେକ ଓଡ଼ିଆଘର ହାଣ୍ଡିଶାଳ କେବେ ହାଣ୍ଡିଶୂନ୍ୟ ରହେନାହିଁ ବରଂ ହାଣ୍ଡିରେ ପଖାଳ ଭାତ ସହିତ ତୋରାଣି ମୁନ୍ଦେ ସାଇତା ହୋଇ ରହିଥାଏ। ଓଡ଼ିଆ ଘରର ଝିଅଟିଏ ଯେବେ ବିବାହ ନିମନ୍ତେ ଶାଶୁଘର ଯିବା ପାଇଁ ଦିନବାର ଠିକ୍‌ ହୋଇଯାଏ ତା’ର କିଛିଦିନ ପୂର୍ବରୁ କନ୍ୟାଙ୍କୁ ସାହି ପଡ଼ୋଶୀ, ବନ୍ଧୁ ବାନ୍ଧବମାନେ ପଖାଳ ଖାଇବା ପାଇଁ ଡାକିଥାନ୍ତି। ଏହାକୁ ତୋରାଣିପିଆ କୁହାଯାଏ, ଯାହା ବାହାଘରର ବିଭିନ୍ନ ପରମ୍ପରା ଭିତରୁ ଅନ୍ୟତମ। ଝିଅଟିି (ପଖାଳ ଖାଇବା) ତୋରାଣି ପିଇବା ବିଧିରେ ତା’ର ଆତ୍ମୀୟସ୍ବଜନଙ୍କୁ ମନେପକାଇଥାଏ। ସେହିପରି ଓଡ଼ିଆ ଘରେ କାହାରି ମୃତ୍ୟୁ ଘଟିଲେ କୋକେଇ ନେଉଥିବା ମାଲଭାଇମାନେ ଏକ ଶିକାରେ ମାଟିହାଣ୍ଡି କିମ୍ବା କଂସାପାତ୍ରରେ ଘରୁ ପଖାଳ ମଧ୍ୟ ନେଉଥିବାର ପରମ୍ପରା ରହିଛି। ଦିନ ଥିଲା ପ୍ରତ୍ୟେକ ଓଡ଼ିଆ ଘର ହାଣ୍ଡିଶାଳରେ ବାସିପଖାଳ ସାଇତା ହୋଇ ରହୁଥିଲା। ସୋରଣ ଗାଁର ଗାୟକ ପ୍ରବୀଣ -ଇନ୍ଦ୍ରମଣି ପ୍ରଧାନ କୁହନ୍ତି, ଆମ ପିଲାଦିନେ ଯେଉଁ ସମୟରେ ଯେତେବେଳେ ଘରକୁ ଯେ କେହି ବନ୍ଧୁବାନ୍ଧବ ଆସୁଥିଲେ ପଖାଳ ଖାଇବାରେ ଏକ ଭିନ୍ନ ଭାବ ସୃଷ୍ଟି ହେଉଥିଲା। ବିଲରେ ଚାଷକାମ ସାରି ହିଡ଼ରେ ବସି ପଖାଳ ଖାଇବାରେ ଯେଉଁ ତୃପ୍ତି ମିଳେ ତାହା ଚଷାପୁଅ ହିଁ ଜାଣେ। ଖରାଦିନେ ଆମ୍ବତୋଟାରେ ଗଛମୂଳେ ବସି ପଖାଳ ଖାଇଲେ ପେଟ ପୂରି ଯାଉଥିଲା।

ସତରେ ପଖାଳ କେବଳ ଖାଦ୍ୟ ନୁହେଁ, ଓଡ଼ିଆଙ୍କ ମନ ଓ ହୃଦୟ ସହ ଜଡ଼ିତ ଏକ ଭାବପ୍ରବଣତାର ନିଆରା ରୂପ। କେଉଁ ଆଦିମ ଯୁଗରୁ ପଖାଳ ଆମ ଜୀବନଧାରା ସହିତ ଯୋଡ଼ି ହୋଇ ରହିବା ସହିତ ଓଡ଼ିଆ ଜାତିର ସ୍ବତନ୍ତ୍ର ପରିଚୟ ବହନ କରିଛି। -ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସରକାର କାହାକୁ ଦିଅନ୍ତି ଅଧିକ ଦରମା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନା ରାଜ୍ୟପାଳ, ମୋଦିଙ୍କୁ ମିଳେ…

ଜାଣନ୍ତି କି ଭାରତ ସରକାର କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରନ୍ତି? ସେ କେଉଁ ପଦବୀରେ ରହିଥାନ୍ତି ଏବଂ କେତେ ଟଙ୍କା ଦରମା ପାଆନ୍ତି।...

ୟୁଟ୍ୟୁବର ଏହି ଥମ୍ବନେଲରେ ହେବ ଖୁବ ରୋଜଗାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୧୫।୬: ୟୁଟ୍ୟୁବର୍ସ ଏହାର କ୍ରିଏଟରଙ୍କୁ ଧ୍ୟାନରେ ରଖି ୟୁଟ୍ୟୁବ ‘ଥମ୍ବନେଲ ଟେଷ୍ଟ ଆଣ୍ଡ କମ୍ପେୟାର’ ନାମକ ଏକ ନୂତନ ଉପକରଣ ବାହାର କରିଛି। ୟୁଟ୍ୟୁବ ବ୍ୟବହାରକାରୀଙ୍କ...

ମୁଖ୍ୟମନ୍ତ୍ରୀଙ୍କ ଠାରୁ ଅଧିକ ପାଓ୍ବାରଫୁଲ ଉପ ମୁଖ୍ୟମନ୍ତ୍ରୀ! ମନ୍ତ୍ରୀମାନଙ୍କ ଠାରୁ ମିଳେ କେତେ ଅଧିକ ଦରମା?

ନୂଆଦିଲ୍ଲୀ,୧୪।୬: ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ନୂଆ ସରକାର ଶପଥ ନେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶାସନ କମାଣ ଧରିଥିବାବେଳେ ଓଡ଼ିଶାରେ ୨୪ବର୍ଷରେ କ୍ଷମତାକୁ...

କୁଏଟ୍‌ ଦୁର୍ଘଟଣାରେ ଚାଲିଗଲା ୨ ଓଡ଼ିଆ ପୁଅଙ୍କ ଜୀବନ, କାହିଁକି ଏଠାକୁ ଖଟିବାକୁ ଯାଆନ୍ତି ଭାରତୀୟ, ଦରମା ଜାଣିଲେ ତାଜୁବ ହେବେ…

ନୂଆଦିଲ୍ଲୀ,୧୪।୬: କୁଏଟ୍‌ର ଏକ ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ୪୫ଜଣ ଭାରତୀୟ। ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ମଧ୍ୟରେ...

କ୍ୟାବିନେଟ ଓ ରାଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଫରକ୍‌ କ’ଣ? କାହାକୁ ମିଳେ କେତେ ଦରମା କେଉଁ ସୁବିଧା

ନୂଆଦିଲ୍ଲୀ,୧୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ସରକାରର ସମସ୍ତ ମନ୍ତ୍ରୀ ଚାରିଦିନ ପୂର୍ବରୁ ଶପଥ ଗ୍ରହଣ କରିଛନ୍ତି। ମୋଦି ସରକାରଙ୍କ ୭୧ ସଦସ୍ୟ ବିଶିଷ୍ଟ...

ଗିନିଜ୍‌ ୱାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଲେ ଏହି ଦମ୍ପତି: ଉଚ୍ଚତା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ରାସିଲିଆ:ଗିନିଜ ୱାଲର୍‌ଡ ରେକର୍ଡସ୍‌ ସଂଗଠନ କ୍ରମାଗତ ବିଭିନ୍ନ ଉଲ୍ଲେଖନୀୟ ମାନବୀୟ ସଫଳତାକୁ ସ୍ବୀକୃତି ଦେଇଥାଏ। ନିକଟରେ ଏହା ବ୍ରାଜିଲର ଏକ ଦମ୍ପତିଙ୍କୁ ବିଶ୍ୱର ସବୁଠାରୁ କମ୍‌...

ମଣିଷ ବେଶରେ ରୁହନ୍ତି ଏଲିଅନ

ଲଣ୍ଡନ, ୧୪।୬:ସାରା ବିଶ୍ୱର ବୈଜ୍ଞାନିକମାନେ ଏଲିଅନଙ୍କ ରହସ୍ୟକୁ ନେଇ ଦଶନ୍ଧି ଦଶନ୍ଧି ଧରି ଗବେଷଣା କରୁଥିଲେ ମଧ୍ୟ ଏବେ ସୁଦ୍ଧା ଏହି ପ୍ରଶ୍ନର କୌଣସି ଠୋସ୍‌...

ଜଳୁଛି ୫,୫୯,୫୪,୨୭,୯୫୦ ଟଙ୍କାର କୋକେନ… ଦେଖନ୍ତୁ କେମିତି ଦେଖାଯାଉଛି ଭିଡିଓ

ଏଲସାଲଭେଡର,୧୬।୬: ଆପଣ ନିଶ୍ଚୟ ଅନେକ ଦାମୀ କାର, ବଡ ଅଟ୍ଟାଳିକା ଇତ୍ୟାଦି ନିଆଁକୁ ଆୟତ୍ତ କରୁଥିବା ଦେଖିଥିବେ, କିନ୍ତୁ ଆପଣ କେବେ ଦେଖିଛନ୍ତି କି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri