ଚୋରାଚାଲାଣ ବେଳେ ଧାନବୋଝେଇ ଗାଡ଼ି ଜବତ କଲା ଯୋଗାଣ ବିଭାଗ

କୋକସରା,୧୬ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଯୋଗାଣ ବିଭାଗ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଧର୍ମଗଡ଼ ଉପଖଣ୍ଡ ଜୟପାଟଣା, କୋକସରା ବ୍ଲକ ଦେଇ ବାହାର ରାଜ୍ୟ ଓ ଜିଲାକୁ ସଂଯୋଗ କରୁଥିବା ରାସ୍ତାରେ ତନାଘନା ଯାଞ୍ଚ ଜାରି ରଖିଛି। ଶୁକ୍ରବାର ମଧ୍ୟାହ୍ନରେ ଜାତୀୟ ରାଜପଥ ୨୬ ମୋଟେର ନିକଟରେ ଚୋରା ଚାଲାଣ ଧାନ ବୋଝେଇ ଟ୍ରକ୍‌କୁ ଜବତ କରି ୧୦୪ କ୍ୱିଣ୍ଟାଲ ଧାନ ମୋଟେର ଏମ୍‌ଆର ରାଇସ ମିଲ୍‌ରେ ଜିମା ଦିଆଯାଇଛି। ପରେ ରାତିରେ ପାଟ୍ରୋଲିଂ ସମୟରେ ଆମପାଣି ଥାନା ଚେକ୍‌ ଗେଟ୍‌ ନିକଟରେ କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାକୁ ଚୋରା ଚାଲାଣ ସମୟରେ ଆମପାଣିରେ ଛକି ବସିଥିବା ଯୋଗାଣ ବିଭାଗ ପକ୍ଷରୁ ଯାଞ୍ଚ ସମୟରେ ୪୦୭ ମିନି ଟ୍ରକ୍‌ ନମ୍ବର ଓଡି ୨୪ ଏଫ୍‌ ୬୪୨୩କୁ ଅଟକ ରଖି କାଗଜପତ୍ର ସଠିକ ନ ଥିବାରୁ ଯୋଗାଣ ବିଭାଗ ଅଧିକାରୀ ବଙ୍ଗୋମୁଣ୍ଡାସ୍ଥିତ ଜେ.କେ ଫୁଡ୍‌ସ ରାଇସ୍‌ ମିଲର ଜିମା ଦେଇଥିଲେ। ଜବତ ଗାଡ଼ିରେ ୩୧.୦୪ କ୍ୱିଣ୍ଟାଲ ଧାନ ରହିଥିବା ବେଳେ ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖାଯାଇଛି। ଆଜି ଜବତ ମିନି ଟ୍ରକରେ ଥିବା ଧାନକୁ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ ସମେତ ଧର୍ମଗଡ଼ ବ୍ଲକ ଏମ୍‌ଆଇ ପ୍ରଶାନ୍ତ ଦାସ, ଜୟପାଟଣା ଏମ୍‌ଆଇ ପ୍ରିୟ ରଞ୍ଜନ ନାଏକ ଓ କୋକସରା ଏମ୍‌ଆଇ ଜଗାରାମ ମୁର୍ମୁ ତଦନ୍ତ କରୁଛନ୍ତି। ଏଭଳି ଚଢ଼ାଉ ଜାରି ରହିବ ବୋଳି ଜିଲା ଯୋଗାଣ ଅଧିକାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି। ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ର ଚଢ଼ାଉ ପରେ ଅସାଧୁ ଚୋରା ବ୍ୟବସାୟୀ ଓ ମିଲରଙ୍କ ମଧ୍ୟରେ ଛନକା ପଶିଛି।