ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ):ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ସବୁଠାରୁ ଅଧିକ। ଜିଲାରେ ବର୍ତ୍ତମାନ ଚାଲିଛି ରବିଋତୁର ଧାନ କିଣାବିକା। ଆଉ ୩ଦିନ ପରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। କିନ୍ତୁ ଧାନ କିଣାବିକା ସମସ୍ୟା ଅସମାହିତ ରହି ଯାଇଛି। ମଣ୍ଡିକୁ ଧାନ ଆସୁଛି। କିନ୍ତୁ ଧାନ ଉଠାଇବା ପାଇଁ ମିଲର୍ସ ଆସୁ ନାହାନ୍ତି। ସେହିପରି ଟୋକନ କଟକଣା ଧାନ ବିକ୍ରିବଟାରେ ବଡ଼ ସମସ୍ୟା ପାଲଟିଛି। ଚାଷୀମାନେ ଧାନ ଅମଳ କରି ସାରିଛନ୍ତି। କିନ୍ତୁ ଅନେକ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ଧାନବିକ୍ରି ଟୋକନ ପହଞ୍ଚି ନାହିଁ। ଯେଉଁ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିଛି, ସେମାନଙ୍କ ମଧ୍ୟରୁ ଅନେକ ଚାଷୀଙ୍କ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ କମ ରହିଛି। ଫଳରେ ଚାଷୀଙ୍କ ଅମଳ ଧାନ ବିକ୍ରି ହୋଇ ନ ପାରି ଜିଲାର ବିଭିନ୍ନ ମଣ୍ଡି ଏବଂ ଚାଷୀଙ୍କ କ୍ଷେତ,ଖଳାରେ ବିକ୍ରି ଅପେକ୍ଷାରେ ପଡ଼ି ରହିଛି । ଅନ୍ୟପଟେ ଜିଲାରେ ତୁହାକୁ ତୁହା ଝଡ଼ବର୍ଷା ମାଡ଼ି ଆସୁଛି। ଗୁରୁବାର ସା ପ୍ରାୟ ୭ଟାରେ ଜିଲାର ବିଭିନ୍ନ ସ୍ଥାନରେ ଏଭଳି ଝଡ଼ବର୍ଷା ହୋଇଛି। ଏଭଳି ସ୍ଥିତିକୁ ନେଇ ଜିଲାର ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଗତ ୧୧ତାରିଖରୁ ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମ୍ସି) ଅଧିନରେ ୧୮୩ଟି ମଣ୍ଡି ଖୋଲିଛି। ମଣ୍ଡି ଖୋଲିବା ଦିନଠାରୁ ବିଭିନ୍ନ ମଣ୍ଡିକୁ ଚାଷୀମାନେ ଧାନ ବିକ୍ରି ପାଇଁ ଆଣୁଛନ୍ତି। କିନ୍ତୁ ମିଲର୍ସମାନେ ନିୟମିତ ଆସୁ ନାହାନ୍ତି। ଫଳରେ ଆରମ୍ଭରୁ ଧାନ କିଣାବିକା ବାଧାପ୍ରାପ୍ତ ହୋଇଛି। ମଣ୍ଡି ଗୁଡିକୁ ଯେଉଁ ଅନୁପାତରେ ଧାନ ଆସୁଛି, ସେହି ଅନୁପାତରେ ଧାନ କିଣାଯାଉ ନାହିଁ କିମ୍ବା ଧାନକୁ ଉଠାଯାଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସେହିପରି ଟୋକନ ସମସ୍ୟା ଯୋଗୁ ଚାଷୀମାନେ ମଣ୍ଡିକୁ ଧାନ ଆଣି ନ ପାରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅମଳ ଧାନକୁ ଖଳା ଏବଂ ରାସ୍ତା ପାଶର୍ବରେ ଖରାରେ ଶୁଖାଉଛନ୍ତି। ତେବେ ସେଠାରେ ଧାନ ରହିଥିବାବେଳେ ଥରକୁ ଥର ଝଡ଼ବର୍ଷା ମାଡି ଆସୁଛି। କେତେକ ସ୍ଥାନରେ ସେହି ଧାନ ବର୍ଷାରେ ଭିଜୁଛି ତ ଆଉ କେଉଁଠି ତାରପୋଲିନ ଘୋଡାଇ ଚାଷୀମାନେ ଧାନକୁ ସୁରକ୍ଷିତ ରଖୁଛନ୍ତି।
ଏଭଳି ସ୍ଥିତିରେ ବେପାରୀମାନେ ସକ୍ରିୟ ହୋଇପଡି ଥିବାବେଳେ ମଣ୍ଡି ଗୁଡିକରେ କଟନୀଛଟନୀ ମଧ୍ୟ ଆରମ୍ଭ ହୋଇ ଯାଇଛି। ବିଭିନ୍ନ ଆଳଦେଖାଇ କୁଇଣ୍ଟାଲ ପ୍ରତି ୨ରୁ ୫ କିଲୋ ପର୍ଯ୍ୟନ୍ତ ଧାନ କଟନୀଛଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେବେ କଟନୀଛଟନୀରେ ରାଜି ନ ହେଲେ ମଣ୍ଡିରୁ ଚାଷୀଙ୍କ ଧାନ ଉଠାଯାଉ ନଥିବାବେଳେ ମଣ୍ଡିକୁ ଆସି ନ ଥିବା ଧାନକୁ କମ ଦରରେ କିଣାଯାଇ ବେପାରୀ ମାଧ୍ୟମରେ ସିଧାସଳଖ କେତେକ ରାଇସ ମିଲକୁ ପଠାଯାଉଛି ଏବଂ କାଗଜାତରେ ତାକୁ ଫଲ୍ସ ଏଣ୍ଟ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଛି। ମାତ୍ର ଫଲ୍ସ ଏଣ୍ଟ୍ରି ରୋକିବା ଦିଗରେ ଠୋସ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ଏବଂ ଏଥିରେ ବିଭାଗୀୟ କର୍ମଚାରୀମାନଙ୍କ ସମ୍ପୃକ୍ତି ରହିଥିବା ଯୋଗୁ ବିଭିନ୍ନ ସମୟରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଚାଷୀ ଅସନ୍ତୋଷ ବଢିଚାଲିଛି। ବୁଧବାର ଜିଲାର କୁରୁଆଁ ଧାନ ମଣ୍ଡିରେ ଏଭଳି ସ୍ଥିତି ଉପୁଜିବା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଅନ୍ୟ କେତେକ ମଣ୍ଡିରେ ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟାରେ କଟନୀଛଟନୀ ଏବଂ ଫଲ୍ସ ଏଣ୍ଟ୍ରି ଜୋର୍ ଧରିଥିବା ଅଭିଯୋଗ ହୋଇଛି। ଏଭଳି ଅନିୟମିତତା ଯୋଗୁଁ ଚାଷୀମାନଙ୍କୁ କ୍ଷତି ସହିବାକୁ ପଡୁଥିବାବେଳେ ସମ୍ପୃକ୍ତ ବେପାରୀ, ବିଭାଗୀୟ କର୍ମଚାରୀ ମାଲେମାଲ ହେଉଥିବା ସାଧାରଣରେ ଆଲୋଚିତ ହେଉଛି।