ଭବାନୀପାଟଣା, ୧୦।୧ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଆରମ୍ଭରୁ ମନ୍ଥର ଗତିରେ ଚାଲୁଥିବା ଦେଖିବାକୁ ମିଳିଛି। ଗତ ୫ ରୁ ୭ ମିଲର୍ସଙ୍କ ଆନ୍ଦୋଳନ ଯୋଗୁ ମଣ୍ଡିରେ ଅଚଳାବସ୍ଥା ଦେଖାଦେଇଥିଲା। ମିଲର୍ସଙ୍କ ଆନ୍ଦୋଳନ ସ୍ବଭାବିକ ହେବା ପରେ ୮ତାରିଖ ଠାରୁ ମଣ୍ଡିରୁ ଧାନ ଉଠାଣ ଆରମ୍ଭ ହୋଇଥିଲା। ଗୁରୁବାର ସୁଦ୍ଧା ଜିଲାରେ ୫୩ ହଜାର ୨୨୭ ଜଣ ଚାଷୀ ୨୪ ଲକ୍ଷ ୨୨ ହଜାର ୬୬୧ କୁଇଣ୍ଟାଲ ଧାନ ବିକ୍ରି କରିଥିବା ଜଣାପଡିଛି। ସେହିପରି ଜିଲାରେ ପ୍ରଥମ ପର୍ଯ୍ୟାୟରେ ୩୬ଲକ୍ଷ ୫ହଜାର ୮ ଶହ କୁଇଣ୍ଟାଲ ଟାର୍ଗେଟ ଆସିଥିବାବେଳେ ଶୁକ୍ରବାର ଜିଲାକୁ ପୁଣି ଆହୁରି ଅତିରିକ୍ତ ୧୭ ଲକ୍ଷ ୫ ହଜାର କୁଇଣ୍ଟାଲ ଟାର୍ଗେଟ ଦିଆଯାଇଛି। ଫଳରେ ବର୍ତ୍ତମାନ ଜିଲାର ଧାନ କିଣା ଟାର୍ଗେଟ ୫୪ ଲକ୍ଷ ୮ ଶହ କୁଇଣ୍ଟାଲରେ ପହଞ୍ଚିଛି। ଜିଲାର ୨୩୦ଟି ମଣ୍ଡିରେ ମିଲର୍ସମାନେ କମ ସଂଖ୍ୟକ ଟ୍ରକ ପଠାଉଥିବା ଯୋଗୁ ଧାନ ଉଠାଣରେ ବିଳମ୍ବ ଦେଖାଦେଉଛି । ମଣ୍ଡିମାନଙ୍କରେ ଚାଷୀମାନେ ଧାନକୁ ତାରପୋଲିନ ଢାଙ୍କି ହାଡ଼ଭଙ୍ଗା ଶୀତ କାକରରେ ପଡି ରହିଛନ୍ତି। ତେବେ ଏହାରି ମଧ୍ୟରେ ଗତ ୭ ତାରିଖଠାରୁ ରବି (ଡାଲୁଅ) ଚାଷ ପାଇଁ ଇନ୍ଦ୍ରାବତୀରୁ ପାଣି ଛଡା ଯାଇଥିବାବେଳେ ଏପର୍ଯ୍ୟନ୍ତ ଚାଷୀ ମଣ୍ଡିରେ ଖରିଫ ଧାନ ବିକ୍ରୀ କରିପାରିନାହାଁନ୍ତି। ଅନ୍ୟପକ୍ଷରେ ରବିଚାଷ ଆରମ୍ଭ ହେବାକୁ ଥିବା ଯୋଗୁ ବହୁ ଚାଷୀ ଅଣ୍ଡର ରେଟରେ ଦଲାଲମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଦଲାଲମାନେ ମିଲର୍ସମାନଙ୍କ ଜରିଆରେ ମିଲମାନଙ୍କୁ ଧାନ ଯାଉଥିବା ଯୋଗୁ ଜିଲା ପ୍ରଶାସନ ପକ୍ଷରୁ ମିଲ ପଏଣ୍ଟଗୁଡିକର ଷ୍ଟକ ଭେରିଫିକେସନ କରାଯିବାକୁ ଚାଷୀ ମହଲରେ ଦାବି ହୋଇଛି। ଗୋଟିଏ ପଟେ ଟୋକନ ବିଭ୍ରାଟ ଅନ୍ୟପଟେ ବିଳମ୍ବରେ ଧାନ ଉଠାଣ ଯୋଗୁ ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଗତ କିଛି ଦିନ ଧରି ଶୀତ ବଢିବାରେ ଲାଗିଥିବାବେଳେ ମଣ୍ଡିରେ ଖୋଲା ଆକାଶ ତଳେ ଧାନ ଧରି ଜଗି ରହିଥିବା ଚାଷୀଙ୍କ ଚିନ୍ତା ମଧ୍ୟ ସେତିକି ବଢିବାରେ ଲାଗିଛି । ଧାନ ମଣ୍ଡି ପାଇଁ ରାଜନେତାଠାରୁ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତେ ନିରବଦ୍ରଷ୍ଟା ଥିବା ଯୋଗୁଁ ମଣ୍ଡିମାନଙ୍କରେ ଅଚଳାବସ୍ଥା ଦେଖାଦେଇଛି ।
Dharitri – Odisha’s No.1 Odia Daily


