ପାଚିକା ସହାୟିକା ସଂଘର ବିକ୍ଷୋଭ

ବ୍ରହ୍ମପୁର ଅଫିସ୍‌,୨୭ା୫: ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ଗଞ୍ଜାମ ଜିଲା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ଶୁକ୍ରବାର ଜିଲା ଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସହାୟିକା ସଂଘର ଏକ ରାଲି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରୁ ବାହାରି ଗିରିରୋଡ଼ ସ୍ଥିତ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପାଚିକା, ସହାୟିକାଙ୍କୁ ୨୮ ମାସର ବର୍ଦ୍ଧିତ ବକେୟା ଦରମା ପ୍ରଦାନ, ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ମୁତାବକ ୨୦୧୮ ଏପ୍ରିଲରୁ ମାସିକ ୨ ହଜାର ଟଙ୍କା ପ୍ରଦାନ, ମଧ୍ୟାହ୍ନଭୋଜନ କାମ ବ୍ୟତୀତ ପାଚିକାଙ୍କୁ ଅନ୍ୟ କାମରେ ନିୟୋଜିତ ନ କରିବା, ବର୍ଷକୁ ଦୁଇ ହଳ ଶାଢ଼ୀ, ପିଲା ସଂଖ୍ୟା କମ୍‌ ପାଇଁ ସ୍କୁଲ ବନ୍ଦ ଓ ମିଶ୍ରଣ ଏବଂ ୬୦ବର୍ଷ ଯୋଗୁ ବାଦ ପଡ଼ିଥିବା ପାଚିକାଙ୍କୁ ପୁନଃନିଯୁକ୍ତି, ସରକାରୀ କର୍ମଚାରୀର ମାନ୍ୟତା, ସର୍ବନିମ୍ନ ମାସିକ ମଜୁରୀ ୨୬ ହଜାର ଟଙ୍କା, ସରକାରଙ୍କ ଘୋଷିତ ୧୪,୩୭୯ ସ୍କୁଲ ବନ୍ଦ ନିଷ୍ପତ୍ତି ବାତିଲ, ୬୦ ବର୍ଷ ପରେ ପେନସନ ଲାଗୁ, ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ପାରିଶ୍ରମିକ ପ୍ରଦାନ, ଦୁର୍ଘଟଣା ଜନିତ ଚିକିତ୍ସା ସହାୟତା ଓ ଶ୍ରମିକ ବିରୋଧୀ ଶ୍ରମିକ କୋଡ ବାତିଲ ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ସଂଘର ରାଜ୍ୟ ସଭାପତି ବିଷ୍ଣୁ ଦାସ, ସ୍କିମ ୱାର୍କସ ଫେଡେରେଶନର ରାଜ୍ୟ ନେତ୍ରୀ ଏଲିନା ସାମନ୍ତରାୟ, ସଂଘ ଜିଲା ଉପସଭାପତି ପପୁନ ସାହୁଙ୍କ ସମେତ ସୁଜାତା ସାହୁ, ଲିଲି ପାତ୍ର, ଯୋତ୍ସନା ଡାକୁଆ, ସୁଜାତା ରାଉତଙ୍କ ସମେତ ଶତାଧିକ ପାଚିକା ସହାୟିକା ଉପସ୍ଥିତ ଥିଲେ।