ପୁରୁଷୋତ୍ତମପୁର,୨୩ା୨(ସବିତା ମିଶ୍ର): ରାଜ୍ୟ ସରକାର ଗଞ୍ଜାମ ଜିଲାରେ ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ଆଣିବା ସହ ପର୍ଯ୍ୟଟକଙ୍କ ସୁବିଧା ଲାଗି ହେଲିଟ୍ୟାକ୍ସି ସେବା ଯୋଜନା ହାତକୁ ନେଇଛନ୍ତି। ଏନ୍ଜୟ ରାଇଡ୍ ନାମରେ ଆରମ୍ଭ ହୋଇଥିବା ଏହି ହେଲି ଟ୍ୟାକ୍ସି ସେବା। ଏହା ରଙ୍ଗେଇଲୁଣ୍ଡା ବିମାନଘାଟିରୁ ଉଡ଼ାଣ ଭରି ଧବଳେଶ୍ବର ଦେଇ ତାରାତାରିଣୀ ଯାଏ ଆସିବ। ଏହି ସମୟରେ ଲୋକେ ଆକାଶ ମାର୍ଗରୁ ମଜା ନେଇପରିବେ। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରଥମଥର ପାଇଁ ଏଭଳି ସେବା ଆରମ୍ଭ ହୋଇଥିବା ବେଳେ ଏହି ହେଲିକପ୍ଟର ପବନହଂସର ସୋମବାର ସଫଳତାର ସହ ପରୀକ୍ଷଣ ସରିଛି। ପବନହଂସ ଭୁବନେଶ୍ବରରୁ ସିଦ୍ଧା ତାରାତାରିଣୀ ଆସି ସେଠାରୁ ରଙ୍ଗେଇଲୁଣ୍ଡା ହେଲିଷ୍ଟିପ୍କୁ ଯାଇଛି। ଏହି ସମୟରେ ପୁରୁଷୋତ୍ତମପୁର ଥାନା ଆଇଆଇସି ରାଜେଶ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ପୋଲିସ କର୍ମଚାରୀମାନେ ଜଗିରହି ପବନହଂସକୁ ଚତୁଃପାର୍ଶରୁ ସମ୍ପୂର୍ଣ୍ଣ ସୁରକ୍ଷା ଦେଇଥିଲେ।

