ଓୟୋ ବି କରିବ ଛଟେଇ, ଚାକିରି ହରାଇବେ ୬୦୦ କର୍ମଚାରୀ

ନୂଆଦିଲ୍ଲୀ,୩।୧୨: ଛଟେଇ କରିବ ଓୟୋ। ମୋଟ ୩,୭୦୦ କର୍ମଚାରୀଙ୍କ ମଧ୍ୟରୁ ଅନେକଙ୍କୁ ଛଟେଇ କରିବାର ଯୋଜନା ରହିଥିବା ନେଇ ଶନିବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି, ଆମେ ଆମର ଉତ୍ପାଦ ଏବଂ ଇଞ୍ଜିନିୟରିଂ, କର୍ପୋରେଟ ମୁଖ୍ୟାଳୟ ଏବଂ ଓୟୋ ଭ୍ୟାକେସନ୍‌ ହୋମ୍‌ର ଦଳକୁ କମ୍‌ କରିବାକୁ ଯାଉଛୁ। ହେଲେ ସହଭାଗୀ ସମ୍ପର୍କ ପରିଚାଳନା(ପାର୍ଟନର ରିଲେଶନସିପ୍‌ ମ୍ୟାନେଜମେଣ୍ଟ) ଏବଂ ବ୍ୟବସାୟ ବିକାଶ(ବିଜିନେସ୍‌ ଡେଭଲପ୍‌ମେଣ୍ଟ) ଟିମ୍‌ରେ କିଛି ଲୋକଙ୍କୁ ନିଯୁକ୍ତି ମିଳିବ। ବିଶେଷକରି କମ୍ପାନୀ ଏହାର ୧୦% କର୍ମଚାରୀ ସଂଖ୍ୟା ହ୍ରାସ କରିବ ବୋଲି କହିଛି।

ଓୟୋର ପ୍ରତିଷ୍ଠାତା ତଥା ଗ୍ରୁପ୍‌ ସିଇଓ ରିତେଶ ଅଗ୍ରଓ୍ବାଲ କହିଛନ୍ତି, ଆମେ ଛଟେଇ କରୁଥିବା କର୍ମଚାରୀଙ୍କୁ ଭଲ ସ୍ଥାନରେ ନିଯୁକ୍ତି ମିଳିବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିବୁ। ଏସବୁ କର୍ମଚାରୀଙ୍କୁ ସମର୍ଥନ କରିବା ଲାଗି ଓୟୋ ଟିମର ପ୍ରତ୍ୟେକ ସଦସ୍ୟ ଏବଂ ନିଜେ ମୁଁ ସକ୍ରିୟ ଭାବେ କାର୍ଯ୍ୟ କରିବୁ ବୋଲି ସେ କହିଛନ୍ତି।

ତେବେ ଏହି କମ୍ପାନୀ ଓୟୋ ହୋଟେଲ୍ସ ଏବଂ ହୋମ୍‌ ନାମରେ ଜଣାଶୁଣା। ୨୦୧୨ରେ ରିତେଶ ଏହାର ପ୍ରତିଷ୍ଠା କରିଥିଲେ। ବିଶେଷକରି କମ୍‌ ବଜେଟ୍‌ରେ ଭଲ ହୋଟେଲର ସୁବିଧା ଯୋଗାଉଥିବାରୁ ଲୋକଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇଛି।

Share