ଛତ୍ରପୁର ହସ୍ପିଟାଲରେ ସ୍ଥାପନ ହେବ ଅକ୍ସିଜେନ ପ୍ଲାଣ୍ଟ

ଛତ୍ରପୁର,୨୦।୫(ଡି.ଏନ୍‌.ଏ.): ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଉଦ୍‌ବେଗଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଅତ୍ୟନ୍ତ ଭୟାନକ ହୋଇଥିବା ବେଳେ ଦୈନିକ ସଂକ୍ରମଣ ଓ ରୋଗୀଙ୍କ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ କରୋନା ସହ ଲଢ଼ିବା ପାଇଁ ଗଞ୍ଜାମ ଜ଼ିଲା ହେଡକ୍ୱାର୍ଟରରେ ଥିବା ଛତ୍ରପୁର ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ ହେବା ନେଇ ଯୋଜନା କରାଯାଇଛି। ଏଥିପାଇଁ ଗୁରୁବାର ଗଞ୍ଜାମ ଜ଼ିଲାପାଳ ବିଜୟ ଅମୃତା କୁଳାଙ୍ଗେଙ୍କ ଉପସ୍ଥିତିରେ ସାଇଟ ଚୟନ କରାଯାଇଛି। ୨୦କିଲୋ ଲିଟର ବିଶିଷ୍ଟ ଉକ୍ତ ପ୍ଲାଣ୍ଟରୁ ଏହି ଅକ୍ସିଜେନ ପାଇପ ଯୋଗେ ହସ୍ପିଟାଲର ରୋଗୀଙ୍କୁ ଯୋଗାଇ ଦିଆଯିବ। ଅନ୍ୟପଟେ ଅକ୍ସିଜେନ ପ୍ଲାଣ୍ଟ ଲାଗି ସାଇଟ୍‌ ଚୟନ ପାଇଁ ଜ଼ିଲାପାଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଚିଠି ଆସିଛି। ଯେଉଁଥିରେ ପ୍ଲାଣ୍ଟ ସର୍ମ୍ପକିତ ସବିଶେଷ ରିପୋର୍ଟ ସରକାରଙ୍କୁ ଦିଆଯିବା ନେଇ ଉଲ୍ଲେଖ କରାଯାଇଛି। ତେବେ ସାଇଟ୍‌ ଚୟନ ସମୟରେ ହସ୍ପିଟାଲ ସୁପରିଟେଡେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ରାସ୍ତା ଓ କୋଠାବାଡି ବିଭାଗ-୨ର ନିର୍ବାହୀଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ ଓ ସହକାରୀ ଯନ୍ତ୍ରୀ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଗୁରୁବାର ବ୍ରହ୍ମପୁରର ଏମ୍‌କେସିଜିରେ ଅକ୍ସିଜେନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ।