ଅକ୍ସିଜେନ ବୋଝେଇ ଟ୍ରେନ୍‌ରୁ ଦୀର୍ଘ ୧୧ ଘଣ୍ଟା ଧରି ଅକ୍ସିଜେନ ଲିକ୍‌

କେସିଙ୍ଗା,୯ା୬(ଡି.ଏନ୍‌.ଏ.): ସମ୍ବଲପୁର ରେଲଓ୍ବେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲଓ୍ବେ ଷ୍ଟେଶନରେ ଏକ ଅକ୍ସିଜେନ ବୋଝେଇ ଟ୍ରେନ୍‌ରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲିକ୍‌ ହୋଇଥିଲା। କେସିଙ୍ଗା ରେଲଓ୍ବେ ଷ୍ଟେଶନ ମାଷ୍ଟର ସ୍ଥାନୀୟ ଅଗ୍ନିଶମ ବିଭାଗର ଓଆଇସି ଅନିଲ କୁମାର ମିଶ୍ରଙ୍କୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗତ ରାତିରୁ ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ଲିକେଜ ଅକ୍ସିଜେନରେ ପାଣି ସିଞ୍ଚନ କରିଥିଲେ। ରାଉରକେଲାରୁ ରାୟଗଡ଼ା ଅଭିମୁଖେ ଏହି ଟ୍ରେନ୍‌ ଯାଉଥିଲା। ଏହି ଟ୍ରେନ୍‌ରେ ୨୦ଟି ଅକ୍ସିଜେନ ଟ୍ୟାଙ୍କର ଥିଲା। ଶେଷ ଟ୍ୟାଙ୍କରରେ ଲିକେଜ ୧୧ ଘଣ୍ଟା ଧରି ହୋଇଥିଲା। ଲିକେଜ ବନ୍ଦ ନ ହେବାରୁ ଏକ୍ସପୋର୍ଟ ଟିମ୍‌ ବୁଧବାର ରାଉରକେଲାରୁ ଆସି ପହଞ୍ଚି ଲିକେଜ ହେଉଥିବା ସ୍ଥାନକୁ ବନ୍ଦ କରିଥିଲେ। ପରେ ଟ୍ରେନ୍‌ଟି ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି।