ଅମରପାଲି,୨୦ା୮(ପୀତାମ୍ବର ସାହୁ): ମାଲିକ ଗାଈ ପାଳନ କରି କ୍ଷୀର ବିକ୍ରି କରୁଛନ୍ତି। ଗାଈ କ୍ଷୀର ଦେଉଥିବା ପର୍ଯ୍ୟନ୍ତ ତାହାର ଯତ୍ନ ନେଉଛନ୍ତି। ହେଲେ କ୍ଷୀର ଦେବା ବନ୍ଦ କରିଦେଲେ ବୁଢ଼ୀ ଗାଈ, ବାଛୁରି ଓ ଅନ୍ୟ ଗୋରୁଙ୍କୁ ଖୋଲାରେ ଛାଡ଼ି ଦେଉଛନ୍ତି। ଫଳରେ ବୀରମହାରାଜପୁର ବ୍ଲକର ବିଭିନ୍ନ ଗଁାରେ ବୁଲା ଗୋରୁଙ୍କ ସଂଖ୍ୟା ବଢ଼ିବା ସହ ଚାଷୀଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ବୁଲା ଗୋରୁ ଚାଷଜମିରେ ପଶି ଫସଲ ଖାଇ ନଷ୍ଟ କରୁଥିବାରୁ ଏହାର ନିୟନ୍ତ୍ରଣ ପାଇଁ ପ୍ରତି ପଞ୍ଚାୟତରେ କାଞ୍ଜିଆହୁଦା ବ୍ୟବସ୍ଥା କରିବାକୁ ଦାବି ହେଉଛି। ବୀରମହାରାଜପୁର ବ୍ଲକ ଅଞ୍ଚଳର ଅମରପାଲି, ଗୌଡ଼ଗାଡ଼, ବହଲପଦର, ଦୁର୍ଜନତୈଲା, ଲୁତୁରପଙ୍କ, ଘିଚାପାଲି, ଖଣ୍ଡହତା, ମୁର୍ଷୁଣ୍ଢୀ, କମିରା, ସୁବଳୟା, ପିତାମହୁଲ, ସଂଗ୍ରାମପୁର, ଯୁବରାଜପୁର, ଲକ୍ଷ୍ମୀ, ଟେଭାପଦର, ଜଟେସିଂହା, ବାଗବାର, ଉଫୁଲା, ଲାତୁରପେଟ, ମେଣ୍ଡାମାଳ, ମାଣିକପୁର, ବାରଝୁଲା, ହିଲୁଙ୍ଗ ଓ କେନଝିରିଆପାଲି ଆଦି ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଥିବା ଅଭିଯୋଗ ହୋଇଛି।
ପୂର୍ବରୁ ଗୋରୁ ଚରାଇବା ପାଇଁ ଗୋ-ଚରାଳିମାନେ ଗଁାରେ ଉପଲବ୍ଧ ଥିଲେ। ଏବେ ଅନେକ ସ୍ଥାନରେ ଗୋ-ଚରାଳି ମିଳୁନାହାନ୍ତି। ଏହାସହ ବିଭିନ୍ନ ସ୍ଥାନରେ ଗୋଚର ଜମି ଓ ଅନ୍ୟ ସରକାରୀ ଜମି ଜବରଦଖଲ ହୋଇଥିବାରୁ ଚାରଣ ଭୂମିର ଅଭାବ ଦେଖାଦେଇଛି। ଫଳରେ ଗୋରୁ ଚରାଇବା ପାଇଁ ଗୋ-ଚରାଳି ନିଯୁକ୍ତ କରିବା ମଧ୍ୟ ମାଲିକଙ୍କ ପାଇଁ କଷ୍ଟକର ହେଉଛି। ଯେଉଁଠାରେ ଗୋ-ଚରାଳି ମିଳୁଛନ୍ତି, ସେଠାରେ ଅଧିକ ଟଙ୍କା ଦାବି ହେଉଥିବାରୁ ମାଲିକମାନେ ଗୋରୁଙ୍କୁ ଖୋଲାରେ ଛାଡ଼ି ଦେଉଥିବା ଅଭିଯୋଗ ରହିଛି। ଖୋଲାରେ ବୁଲୁଥିବା ଗାଈ, ବଳଦ ଓ ବାଛୁରି ଚାଷଜମିରେ ପଶି ଧାନ ସମେତ ବିଭିନ୍ନ ଫସଲ ନଷ୍ଟ କରୁଛନ୍ତି। ବିଶେଷକରି ଚାଷୀମାନେ ଫସଲକୁ ଜଗିବାକୁ ବାଧ୍ୟ ହେଉଛନ୍ତି। ବୁଲା ଗୋରୁଙ୍କ ଉତ୍ପାତ ଯୋଗୁ ଚାଷୀଙ୍କ ଶ୍ରମ ଓ ଅର୍ଥ ଉଭୟ ବିପଦରେ ପଡ଼ୁଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପୂର୍ବରୁ ପ୍ରାୟ ସବୁ ପଞ୍ଚାୟତ ଅଞ୍ଚଳରେ କାଞ୍ଜିଆହୁଦା ଥିଲା। ଖୋଲାରେ ବୁଲୁଥିବା ଗୋରୁଙ୍କୁ ପଞ୍ଚାୟତ କର୍ମଚାରୀ କିମ୍ବା ଦାୟିତ୍ୱରେ ଥିବା କର୍ମଚାରୀ ଧରି କାଞ୍ଜିଆହୁଦାରେ ରଖୁଥିଲେ। ଗୋରୁ ମାଲିକ ନିୟମ ଅନୁସାରେ ଜରିମାନା ଦେଇ ନିଜ ଗୋରୁଙ୍କୁ ନେଉଥିଲେ। ଫଳରେ ଗୋରୁଙ୍କୁ ଖୋଲାରେ ଛାଡ଼ିବା ଉପରେ ନିୟନ୍ତ୍ରଣ ରହୁଥିଲା। ଏବେ ସେହି ବ୍ୟବସ୍ଥା ନ ଥିବାରୁ ସମସ୍ୟା ବଢ଼ିଥିବା ଲୋକେ ମତ ଦେଇଛନ୍ତି।
ଅମରପାଲି ଗ୍ରାମର ସୁବ୍ରତ ସାହୁ କହିଛନ୍ତି, ଆମ ଗଁାରେ ପ୍ରାୟ ୩୦ରୁ ୪୦ଟି ଗୋରୁ ଖୋଲାରେ ବୁଲୁଛନ୍ତି। ସେମାନେ ଗଁାର ଧାନ ଫସଲ ଖାଇ ନଷ୍ଟ କରୁଛନ୍ତି। ତେଣୁ ଏଠାରେ କାଞ୍ଜିଆହୁଦା କରାଯିବା ଆବଶ୍ୟକ। ସେହିପରି ଖଣ୍ଡହତା ପଞ୍ଚାୟତ ବଡକିରାସିରା ଗ୍ରାମର ଯୁବଚାଷୀ ସୁମନ୍ତ ପ୍ରଧାନ କହିଛନ୍ତି, ଚାଷ ସମୟରେ କିଛି ଲୋକ ଗୋରୁ ଛାଡ଼ିଦେବା ଫଳରେ ବ୍ୟାପକ ଫସଲ ନଷ୍ଟ ହେଉଛି। ପ୍ରଶାସନ କାଞ୍ଜିଆହୁଦା କରି ବାହାରେ ବୁଲୁଥିବା ଗୋରୁଙ୍କୁ ଭର୍ତ୍ତି କରନ୍ତୁ। ସେହି ଗୋରୁ କେହି ନ ନେଲେ ସରକାର ଗୋଶାଳା ତିଆରି କରି ସେଠାରେ ରଖନ୍ତୁ, ଫଳରେ ଚାଷୀଙ୍କ ଫସଲ ନଷ୍ଟରୁ ରକ୍ଷା ମିଳନ୍ତା। ତେଣୁ ବୁଲା ଗୋରୁଙ୍କ ଦ୍ୱାରା ଫସଲ ନଷ୍ଟ ରୋକିବା, ଗୋରୁ ମାଲିକଙ୍କ ଦାୟିତ୍ୱବୋଧ ବଢ଼ାଇବା ଓ ଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ପ୍ରତି ପଞ୍ଚାୟତରେ କାଞ୍ଜିଆହୁଦା ସ୍ଥାପନ ସହ ଗୋଚର ଜମିର ସୁରକ୍ଷା ଓ ଜବରଦଖଲ ହଟାଇବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।