ତଳି ରୋଇବାକୁ ଗଲାବେଳେ ଓଲଟିଲା ଅଟୋ, ୩ ଗୁରୁତର,୧୧ ଆହତ

ଦିଗପହଣ୍ଡି,୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ମୁଖ୍ୟ ରାସ୍ତାର ଶଶ୍ମାନ ନିକଟରେ ବୁଧବାର ସକାଳେ ଦୁର୍ଘଟଣା ଘଟିଛି। ଏକ ଏକ ଡାଲା ଅଟୋ ଓଲଟି ପଡିବାରୁ ଫାସିଗୁଡ଼ା ଗ୍ରାମ ବଡ଼ସାହିର ୧୪ ମହିଳା ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଆହତଙ୍କୁ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ଫୁଲ ଦାସ, ଆରତି ଦାସ, ବଙ୍ଗାଳୀ ଦାସଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
୧୪ ଜଣ ମହିଳା ଚାଷଜମିରେ ଧାନ ତଳି ରୋଇବାକୁ ଡାଲା ଅଟୋଟି ଯୋଗେ ଯାଉଥିଲେ । ତେବେ ଭାରସାମ୍ୟ ହରାଇ ଅଟୋଟି ରାସ୍ତାକଡର ଏକ ଚାଷ ଜମିରେ ଓଲଟି ପଡିଥିଲା । ଖବରପାଇ ସାନଖେମୁଣ୍ଡି ଅଗ୍ନିଶମ ଅଧିକାରୀ ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ କର୍ମଚାରୀମାନେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ ।