ରେଲ୍‌ଓ୍ବେ ପକ୍ଷରୁ ଓଭରବ୍ରିଜ କାମ ଶେଷ ପର୍ଯ୍ୟାୟରେ

ଜଟଣୀ,୧୭ା୪(ଡି.ଏନ୍‌.ଏ.): ଜଟଣୀ ସୀତାରାମ ଛକସ୍ଥିତ ଆନ୍ଧ୍ର ବ୍ୟାଙ୍କଠାରୁ କୁଦିଆରୀ ବଜାର ପର୍ଯ୍ୟନ୍ତ ଓଭରବ୍ରିଜ କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ବେଳେ ରେଳ ପ୍ରଶାସନ ପକ୍ଷରୁ ରେଲ୍‌ଓ୍ବେ ଅଂଶର ଓଭରବ୍ରିଜ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତେବେ ରେଲ୍‌ଓ୍ବେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ବସିଥିବା ବେଳେ ଜିଲା ପ୍ରଶାସନ ପକ୍ଷରୁ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଫଳରେ ଆସନ୍ତା ମେ’୨୫ରେ ବ୍ରିଜ ଉଦ୍‌ଘାଟନ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି।
ଯେ, ୧୧୩୩ ମିଟର ଲମ୍ବର ଏହି ଓଭରବ୍ରିଜ କାର୍ଯ୍ୟ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା। ସେତେବେଳେ ୫୪ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟରେ କାର୍ଯ୍ୟ ଠିକା ସଂସ୍ଥା ଦ୍ୱାରା ଆରମ୍ଭ କରାଯାଇଥିବା ବେଳେ ୨୦୧୭ ଶେଷ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ ନିମ୍ନମାନର କାର୍ଯ୍ୟ, ବାଦବିବାଦ ଯୋଗୁ ବର୍ତ୍ତମାନ ଏହାର ବ୍ୟୟ ଅଟକଳ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରହିଛି। ୨୦୨୨ ଏପ୍ରିଲ ପହିଲାରେ ଉକ୍ତ ବ୍ରିଜ୍‌ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବା ନେଇ ସେତେବେଳର ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ କହିଥିଲେ। ତେବେ ବଡ଼ବଜାର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ ହୋଇ ନ ଥିବାରୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ସରିଲା ନାହିଁ। ପରବର୍ତ୍ତୀ ସମୟରେ ଜବରଦଖଲ ଉଚ୍ଛେଦ ହୋଇଥିଲା। ଆସନ୍ତା ମେ’ ୨୫ରେ ଓଭରବ୍ରିଜ ଲୋକାର୍ପିତ ହେବ ବୋଲି ପୁଣି ବିଧାୟକ ରାଉତରାୟ କହିଥିଲେ। ତେବେ ବର୍ତ୍ତମାନ ବଡ଼ବଜାର ଅଂଶରେ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବାରୁ ମେ’ ୨୫ ସୁଦ୍ଧା କାର୍ଯ୍ୟ ସରିବ କି ନାହିଁ ସାଧାରଣରେ ଆଲୋଚନା ହେଉଛି। ଏନେଇ ଜଟଣୀର ପୂର୍ବତନ ନଗରପାଳ ଡ. ଗୌରୀପ୍ରସାଦ ସିଂ କୁହନ୍ତି, ଜିଲା ପ୍ରଶାସନ ତତ୍ପରତା ଦେଖାଇ ବଡ଼ବଜାର ଅଞ୍ଚଳର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିପାରିଲେ ଆସନ୍ତା ମେ’୨୫ ରେ ଜନସାଧାରଣ ବ୍ରିଜ୍‌ରେ ଚଳପ୍ରଚଳ କରିପାରିବେ। ଅନ୍ୟପକ୍ଷରେ ରାଜନୈତିକ ଛକାପଞ୍ଝା ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ବ୍ରିଜ୍‌ କାମ ସରୁ ନ ଥିବାରୁ ସାଧରଣ ଲୋକେ ପ୍ରଭାବିତ ହେଉଛନ୍ତି ବୋଲି ସ୍ଥାନୀୟ ସ୍ବେଚ୍ଛାସେବୀ ଟିକି ଦେଓ କହିଛନ୍ତି।