ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି ଆମ ଓଡ଼ିଆତ୍ୱ। ଆମ ସଂସ୍କୃତି କଥା ଚିନ୍ତା କଲାବେଳେ ଅନେକ ସମୟରେ ପଛରୁ ଗୋଟେ ପ୍ରକାରର ମାନସିକ ଧିକ୍କାର ଖାଇଲା ଭଳି ଲାଗେ। ଲାଗେ ଯେମିତି ପଛପଟୁ କେହିଜଣେ ତଣ୍ଟିଆ ମାରି କହୁଚି ଧିକ୍‌ ଧିକ୍‌ ତୁମ ଓଡ଼ିଆତ୍ୱକୁ ଧିକ୍‌।
କିଛି ବର୍ଷ ତଳର କଥା। ମୁଁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଭାବେ କାମ କରୁଥାଏ। ତଦନୁଯାୟୀ ପ୍ରଦପ୍ରଯୁକ୍ତ ଭାବେ ମୁଁ ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟର ପରିଚାଳନା କମିଟି ଓ ପାଠ୍ୟକ୍ରମ ବିଷୟ ସଂକ୍ରାନ୍ତୀୟ କମିଟିରେ ସଦସ୍ୟ ଥାଏ। ୨୦୨୦ ମସିହାରେ ଥରେ ଗୋଟିଏ ସମୀକ୍ଷା ବୈଠକ ସମୟରେ ଜଣାପଡ଼ିଲା ଯେ ସେଠି ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ନାହିଁ। ଅଥଚ ଜୈନ୍‌ ଓ ତାମିଲ ଷ୍ଟଡିଜ୍‌ ବିଭାଗ ଥାଏ। ଆମ ମୁଣ୍ଡରେ ବଜ୍ର ପଡ଼ିଲା ପରି ଲାଗିଲା। ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟରେ କେମିତି ଓଡ଼ିଆ ଭାଷା ସାହିତ୍ୟ ବିଭାଗ ରହିବ ନାହିଁ? ସେଦିନ ନିଷ୍ପତ୍ତି ହେଲା ଏ ବିଭାଗ ପୂର୍ଣ୍ଣାଙ୍ଗ ଭାବେ ନ ଖୋଲିବା ପର୍ଯ୍ୟନ୍ତ ଆଉ କୌଣସି ବିଷୟ ଆଲୋଚନା କରାଯିବ ନାହିଁ। ପରେ ଅବଶ୍ୟ ୨୦୨୧ରେ ସରକାରଙ୍କ ତ୍ୱରିତ୍‌ ନିଷ୍ପତ୍ତି ଯୋଗୁ ସେ ବିଭାଗ ଖୋଲିଲା। ବିଭାଗ ଖୋଲିବା ସହ ଉଚ୍ଚତର ଗବେଷଣା ପାଇଁ ଶ୍ରୀଜଗନ୍ନାଥ ଚେୟାର, ଭୀମଭୋଇ ଚେୟାର ଓ ଶାରଳାଦାସ ଚେୟାର ଆଦି ପ୍ରତିଷ୍ଠା ହେଲା। ଆଉ ଗୋଟିଏ ବିଷୟ ସେତେବେଳେ ଆମକୁ ଆନ୍ଦୋଳିତ କରିଥିଲା। ବିଷୟଟି ହେଲା ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ଅନେକଗୁଡ଼ିଏ ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ ଇନ୍‌ଷ୍ଟିଚ୍ୟୁଟ୍‌କୁ ସ୍ବୀକୃତି ଓ ଅନୁବନ୍ଧନ ମିଳିଥିଲା। ଅନେକଗୁଡ଼ିଏ ଇନ୍‌ଷ୍ଟିଚ୍ୟୁଟ୍‌ର ପାଠ୍ୟକ୍ରମ ଆଦି ଅନୁଧ୍ୟାନ କଲାପରେ ଜଣାପଡ଼ିଲା ଯେ ସେମାନେ ଚାଇନିଜ୍‌ କଣ୍ଟିନେଣ୍ଟାଲ୍‌, ଥାଇ, ମୋଗଲାଇ ଆଦି ରନ୍ଧନ କୌଶଳ ଶିକ୍ଷା ଦେଉଛନ୍ତି। ମାତ୍ର ପାରମ୍ପରିକ ଓଡ଼ିଆ ଖାଦ୍ୟପ୍ରଣାଳୀ ଉପରେ କାହାର ଧ୍ୟାନ ନ ଥିଲା। ପାଠ୍ୟକ୍ରମ କମିଟିର ସଦସ୍ୟମାନେ ନିଷ୍ପତ୍ତି ନେଲେ ଯେ ଏସବୁ କଲେଜମାନେ ତୁରନ୍ତ ଓଡ଼ିଆ ଖାଦ୍ୟ ପ୍ରଣାଳୀ ଉପରେ ପାଠ୍ୟକ୍ରମ ଆରମ୍ଭ କରିବା ସହ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରଦର୍ଶନୀ କରନ୍ତୁ। ଯଦି ଜଣେ ଓଡ଼ିଆ ହୋଟେଲ୍‌ ମ୍ୟାନେଜମେଣ୍ଟ ଛାତ୍ର ମହୁର, ବେସର, ଆମ୍ବୁଲ ରାଇ, ପଖାଳ, ଶାଗମୁଗ ଏବଂ ଓଡ଼ିଶା ପିଠାପଣା ଜାଣିବ ନାହିଁ ବା ଏଭଳି ଅନୁଷ୍ଠାନମାନେ ତାଙ୍କୁ ଏ ବିଷୟ ଶିଖାଇବେ ନାହିଁ ତେବେ ତାଙ୍କୁ ସ୍ବୀକୃତି ଦେଇ ଲାଭ କ’ଣ? ବରଂ ଏଭଳି ଅନୁଷ୍ଠାନ ବନ୍ଦ ହୋଇଗଲେ ଅନୁଶୋଚନା ଆସିବ ନାହିଁ। କିଛିଦିନ ପରେ ଏଭଳି ଏକ ପ୍ରଦର୍ଶନୀ ହେଲା ମଧ୍ୟ। ଏସବୁ କେବଳ ଥରେ କରିଦେଲେ ହୋଇଯିବ ନାହିଁ। ନିରନ୍ତର ଭାବେ ଏହାକୁ ଜାରି ରଖିବାର ଆବଶ୍ୟକତା ଥିଲା। ମାତ୍ର ତାହା ହେଲା ନାହିଁ।
ଗତ କିଛିବର୍ଷ ହେଲା ଓଡ଼ିଆ ଅସ୍ମିତାକୁ ନେଇ ଚର୍ଚ୍ଚା ଚାଲିଛି। ମାତ୍ର କ’ଣ ସେ ଅସ୍ମିତା? କେବଳ ଫମ୍ପାମାଠିଆର ଶବ୍ଦ? ସତରେ କ’ଣ ଆମ ସଂସ୍କୃତିରେ ଗର୍ବ କରିବାର କିଛି ବିଷୟ ନାହିଁ ଯେ ଆମେ ବିକଳ ହୋଇ ଅନ୍ୟଠାରୁ ଧାର ଆଣୁଛୁ? ନା ଯାହା ବି ଗର୍ବ କରିବାର ବିଷୟ ଅଛି ଆମେ ତାକୁ ଚିହ୍ନଟ କରିପାରୁ ନାହୁଁ? ଘରେ ଘରେ ଆଜି ପାରମ୍ପରିକ ଓଡ଼ିଆ ଖାଦ୍ୟ ସବୁ ହଜିଗଲାଣି। ମଣ୍ଡା, ଆରିସା, ଏଣ୍ଡୁରିଠାରୁ ଆରମ୍ଭ କରି ପୋଡ଼ପିଠା, ଛୁଞ୍ଚିପତ୍ର ପିଠା ଭଳି ଅନେକ ପ୍ରକାର ପିଠା ଆମ ସଂସ୍କୃତିର ପ୍ରାଣକେନ୍ଦ୍ର ଜଗନ୍ନାଥ ମନ୍ଦିରରେ ପ୍ରଚଳିତ। ମାତ୍ର ଘରେ ଏବେ କେକ୍‌, ପିଜା, ମୋମୋ, ସ୍ପ୍ରିଙ୍ଗରୋଲ୍‌, ରୋଲ, ହଟଡଗ୍‌, ବର୍ଗର, ମାଗି ଏପରି କି ଇଟିଲି ଦୋଷା ବେଶ୍‌ ଲୋକପ୍ରିୟ। ହେଲେ ଆମେ ଚିନ୍ତା କରିଚେ କେବେ ଆମ ବରା, ପିଆଜି, ଚକୁଳି, ଡାଲମା, ସନ୍ତୁଳା, ଛେନାପୋଡ଼, ମାଛ ବେସର, ପାଳୁଅଲଡ଼ୁ ଅନ୍ୟ କୋଉ ରାଜ୍ୟରେ ବିକ୍ରି ହେବାର? ଅନ୍ୟ ରାଜ୍ୟର ଲୋକେ ତାକୁ ଆଗ୍ରହରେ ଖାଇବାର ଦେଖିଛନ୍ତି? ଆମର ଏଠି ଯେତିକି ଢାବା ଅଛି, ପଞ୍ଜାବରେ ସେତିକି ନନା ଭାଇନା ହୋଟେଲ ଅଛି, ଯେଉଁଠି ପଖାଳ, ବଡ଼ିଚୂରା, ଶାଗଭଜା ମିଳିବ? ଓଡ଼ିଶାରେ ଯେତିକି ସାଉଥ୍‌ ଇଣ୍ଡିଆନ୍‌ ହୋଟେଲ ଦୋଷା, ଇଟିଲି ବିକୁଛନ୍ତି ଆନ୍ଧ୍ର, ତାମିଲନାଡୁରେ ସେତିକି ବରା, ଗୁଲୁଗୁଲା, ପିଆଜି, ଛେନାପୋଡ଼ ବିକୁଥିବା ହୋଟେଲ ଥିବ? ନା ସେମାନେ ତାଙ୍କ ସଂସ୍କୃତିକୁ ଛାଡ଼ିବେନି। ତେବେ ଆମେ କାହିଁକି ଏତେ ବିକଳ ଅନ୍ୟର ଖାଦ୍ୟକୁ ଆପଣେଇବାକୁ, ଅନ୍ୟର ରୁଚିକୁ ଗ୍ରହଣ କରିବାକୁ?
ଆଜିକାଲି ବାହାଘରରେ ଦେଖିଥିବେ ଓଡ଼ିଆ ସ୍ତ୍ରୀ ଲୋକମାନେ ମାରୱାଡ଼ି ଷ୍ଟାଇଲ୍‌ରେ ଶାଢ଼ି ପିନ୍ଧିଥିବାର। ନବବଧୂମାନେ ଲେହେଙ୍ଗା ପିନ୍ଧିଥିବାର ଦୃଶ୍ୟ ତ ଆଜିକାଲି ସାର୍ବଜନୀନ। କେତେଜଣ ଆଜି ଏଭଳି ଉତ୍ସବରେ ଓଡ଼ିଆଣୀ ଷ୍ଟାଇଲରେ ଶାଢ଼ି ପିନ୍ଧୁଛନ୍ତି? ମାରୱାଡ଼ି ଯଦି ତାଙ୍କ ଷ୍ଟାଇଲ୍‌ରେ, ବଙ୍ଗାଳୀ ଯଦି ତାଙ୍କ ଷ୍ଟାଇଲ୍‌ ଓ ଦକ୍ଷିଣ ଭାରତୀୟମାନେ ଯଦି ତାଙ୍କ ଷ୍ଟାଇଲ୍‌ର ପୋଷାକ ପିନ୍ଧି ବାହା ହେଉଛନ୍ତି ପୁଅ ଝିଅଙ୍କ ବାହାଘରରେ ଆମ ମାଆ ଓ ଶାଶୁମାନେ କାହିଁକି ମାରୱାଡି ଷ୍ଟାଇଲକୁ ପସନ୍ଦ କରୁଛନ୍ତି ବୁଝି ହୁଏନା। ଓଡ଼ିଆ ବାହାଘରରେ କନ୍ୟାପିତା ବା ବରପିତାମାନେ ଆଉ ଧୋତି ପଞ୍ଜାବୀ ପିନ୍ଧିବା ଅବସ୍ଥାରେ ନାହାନ୍ତି। ସେମାନେ ଯଦିବା ପିନ୍ଧିବାକୁ ବାହାରନ୍ତି ତାଙ୍କୁ ସ୍ତ୍ରୀ ପିଲାଛୁଆ ଏମିତି ଟାହିଟାପରା କରୁଛନ୍ତି ଯେ ସେମାନେ ପ୍ରାଣ ବିକଳରେ ପାଶ୍ଚାତ୍ୟ ପୋଷାକ ପିନ୍ଧିବାକୁ ତର ପାଇବେ ନାହିଁ। ଓଡ଼ିଆ ବାହାଘରରେ ଆଜିକାଲି ନିର୍ବନ୍ଧର ସ୍ଥାନ ନେଲାଣି ରିଙ୍ଗ ସେରିମନି। ମଙ୍ଗନର ସ୍ଥାନ ନେଲାଣି ହଳଦୀ, ମେହେନ୍ଦୀ। ଲଜ୍ଜାହୋମ ପୂର୍ବରୁ ହିଁ ପ୍ରି-ୱେଡିଂ ଫଟୋସେଶନ ସମୟରେ ଆମ ଝିଅବୋହୂମାନେ ତାଙ୍କର ସବୁ ଲଜ୍ଜାର ବିସର୍ଜନ କରି ଦେଉଛନ୍ତି। ଏ ଅନୁପ୍ରବେଶ ସବୁ କୋଉଠୁ କେମିତି କାହା ମାଧ୍ୟମରେ ଆସିଲା ଜଣାପଡୁନାହିଁ। ଆମ ୱେଡିଂ ଅର୍ଗାନାଇଜରମାନେ ଆମକୁ ଯେତେବେଳେ ନୂଆନୂଆ କଥା ଦେଖଉଛନ୍ତି ଆମେ କିଛି ନୂଆ କରୁଚୁ ବୋଲି ଦେଖାଇବାକୁ ଯାଇ ଏସବୁ ଗ୍ରହଣ କରିନଉଚୁ। ନୂଆ କିଛି ଗ୍ରହଣ କରିବା ଖରାପ ନୁହେଁ। ମାତ୍ର ସବୁ ପୁରୁଣା ପରମ୍ପରାକୁ ଏଡ଼େଇ ଯିବା ଦୁଃଖର ବିଷୟ। ଏହା ଆମ ଓଡ଼ିଆତ୍ୱର ସ୍ବାଦ ଓ ମହକକୁ ହିଁ ଚୋରେଇ ନଉଚି। ଭାଷାକୁ ଆସନ୍ତୁ। ଆଜିକାଲି ଯଦି କୋଉ ପିଲା ଓଡ଼ିଆ କି ସଂସ୍କୃତକୁ ବିଷୟ ରଖି ପଢ଼ିବାକୁ ଚାହୁଁଛି ତାକୁ ଲୋକେ ଆଶ୍ଚର୍ଯ୍ୟ ହୋଇ ଚାହୁଁଛନ୍ତି। ଟାହିଟାପରା କରୁଛନ୍ତି। ରେଡିଓ ଓ ଟିଭିରେ ତ ସମ୍ବାଦ ପାଠକ ପାଠିକାମାନେ ଇଂଲିଶ ହିନ୍ଦୀ ମିଶା ଅଦ୍ଭୁତ ଓଡ଼ିଆ କହୁଛନ୍ତି। ରାଜନୈତିକ ସଭାମାନଙ୍କରେ ଦେଖିବେ କେନ୍ଦ୍ରୀୟ ନେତାମାନଙ୍କୁ ସମ୍ବୋଧନ କଲାବେଳେ ଓଡ଼ିଆ ନେତାମାନେ ତାଙ୍କ ନାମ ପଛରେ ଜୀ ଲଗେଇ ସମ୍ବୋଧନ କରନ୍ତି। ସେଠି ମହାଶୟ ବା ମହୋଦୟ ବା ଆଜ୍ଞା ଲଗେଇଲେ ଚଳନ୍ତା। ସମୟ ଏମିତି ହେଲାଣି ଯେ ଓଡ଼ିଆ ଖାଦ୍ୟ ଖାଇଲେ, ଓଡ଼ିଆ ଗୀତ ଶୁଣିଲେ ଲୋକେ ପୁରୁଣାକାଳିଆ ବୋଲି ଭାବୁଛନ୍ତି। କିଛି ନବ୍ୟ ଶିକ୍ଷିତ ମଧ୍ୟ ଓଡ଼ିଆ ଖବରକାଗଜ ମଗାନ୍ତି ନାହିଁ କି ପଢ଼ନ୍ତି ନାହିଁ। ଓଡ଼ିଆ ଟିଭି ନିଉଜ ଦେଖନ୍ତି ନାହିଁ। ସେମାନଙ୍କ ଭାଷାରେ ଏଥିରେ କିଛି କଣ୍ଟେଣ୍ଟ ନାହିଁ।
ଆଧୁନିକତା, ଅତ୍ୟାଧୁନିକତା ଓ ଉତ୍ତର-ଆଧୁନିକତାର ଏ ଦୌଡ଼ରେ ଆମେ ଅନେକ ସମୟରେ ଘରୁ ବାହାରି ଏକ ଅଜଣା ପୃଥିବୀର ସନ୍ଧାନରେ ଦୌଡୁଚେ। ଆମେ ଜାଣିନେ ସେ ଦୁନିଆରେ କ’ଣ ଅଛି ଓ କେତେ ଅଜଣା ତାହା। ସେଠି ପହଞ୍ଚିଲା ପରେ ସେ ଦୁନିଆ ଆମକୁ କେତେ ଆପଣେଇବ ତାହା ମଧ୍ୟ ଜଣାନାହିଁ। ତଥାପି ଆମେ ଦୌଡୁଚେ। ନିଜର ସବୁ ପରିଚୟ, ସବୁ ଐତିହ୍ୟ, ସବୁ ଅସ୍ମିତା, ନିଜର ଭାଷା, ଭାବନା, ଚେତନା, ନିଜ ପର୍ବପର୍ବାଣି ଚଳଣି ସବୁକୁ ଭୁଲି ଆମେ ଏକ ଅଜ୍ଞାତ ପ୍ରତିଷ୍ଠାର ସନ୍ଧାନରେ ପାଗଳପ୍ରାୟ ଦୌଡୁଚେ। ଲଜ୍ଜା ନାହିଁ ଆମକୁ ଯାହା ଏ ଅନ୍ଧାନୁସରଣ ପାଇଁ!
ଲେଖକ ଭାରତୀୟ ପ୍ରଶାସନିକ ସେବାରୁ ଅବସରପ୍ରାପ୍ତ ଅଧିକାରୀ
ମୋ:୯୪୩୭୨୮୬୫୧୨

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri