ଆମ ସଂସ୍କାର, ଆମ ପରିଚୟ

ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭାଇରାଲ ଭିଡିଓ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ନେପାଳର ଏକ ରାସ୍ତାରେ ଦୁଇଜଣ ଭାରତୀୟ ପର୍ଯ୍ୟଟକ ଗୁଟ୍‌ଖା ଛେପ ପକାଇବା ସମୟରେ ଜଣେ ନେପାଳୀ ବ୍ୟକ୍ତି ସେମାନଙ୍କୁ ଅପମାନିତ କରି ରାସ୍ତା ସଫା କରାଇଥିଲେ। ନେପାଳୀ ବ୍ୟକ୍ତି କହିଥିଲେ, ଏହା ଭାରତ ନୁହେଁ ଭାଇ, ଏହା ନେପାଳ। ପାଣି ଢାଳ ଶୀଘ୍ର। ତୁମେ ଏତେ ବଡ଼ ଦେଶ ଭାରତରୁ ଆସି ଏମିତି କୁତ୍ସିତ କାର୍ଯ୍ୟ କରୁଛ? ଏହି ଘଟଣା କେବଳ ଏକ ବ୍ୟକ୍ତିଗତ ଅପମାନ ନୁହେଁ ବରଂ ଭାରତୀୟ ସଂସ୍କୃତି, ସଂସ୍କାର ଏବଂ ସଭ୍ୟତାର ଅପମାନର ଏକ ଉଦାହରଣ ।
ଜଣେ ବ୍ୟକ୍ତିର ଅସଭ୍ୟ ଆଚରଣ ସମଗ୍ର ଦେଶର ପ୍ରତିଛବିକୁ କଳଙ୍କିତ କରୁନାହିଁ କି? ଆମେ ଏହି ମାଟିରେ ଜନ୍ମ ନେଇଛେ, ଯେଉଁଠି ଅନେକ ଧର୍ମ ସ୍ଥାନ ମାନ ରହିଛି। ସ୍ବର୍ଗରୁ ଗଙ୍ଗା ଅବତରଣ କରିଛନ୍ତି ଏହି ମାଟିରେ। ଆମ ସଂସ୍କାରରେ କେଉଁଠି ତ୍ରୁଟି ରହିଗଲା ଯେ, ଗୁଟ୍‌ଖା ଖାଇବା, ମଦ ପିଇବା, ରାସ୍ତା କଡ଼ରେ ପରିସ୍ରା କରିବା ଭଳି କଦର୍ଯ୍ୟ ଅଭ୍ୟାସ ସବୁ ଆରମ୍ଭ ହେଲା?
କିଛିବର୍ଷ ପୂର୍ବର ଘରଗୁଡିକ ଦେଖିବେ, ପାଇଖାନା ସବୁ ଥାଏ ଘରଠାରୁ କିଛି ଦୂରରେ। ପ୍ରତି ବ୍ୟବହାର ପରେ ଗାଧୋଇ ସଫାସୁତର ହୋଇ ଘରେ ପଶିବାକୁ ହୁଏ। ମୋ ମନେପଡ଼େ, ମନ୍ଦିରରେ ପରିବା କାଟିବା ବେଳେ କଥା ହୁଅନ୍ତି ନାହିଁ। କେହି କିଛି ପଚାରିଲେ ମୁଣ୍ଡ ହଲେଇ ଜଣେଇ ଦିଅନ୍ତି। କାରଣ ହେଉଛି କଥା କହିଲେ ଛେପ ପଡିଯାଇପାରେ ପରିବାରେ। ପବିତ୍ର ଓ ସଫା ରଖିବା ପାଇଁ ଆଗରୁ ଘରଗୁଡିକୁ ବାରମ୍ବାର ଧୋଇଦିଆଯାଏ। ଆମେ ସେଭଳି ପରିବେଶରେ ବଢ଼ିଆସିଥିବା ମଣିଷମାନେ ଏତେ କେମିତି ଓ କାହିଁକି ବଦଳିଗଲେ?
ଭାରତୀୟ ସଂସ୍କୃତି ସବୁଦିନିଆ ପରିବେଶ ସଫା ରଖିବା, ଅତିଥି ସେବା ଏବଂ ସମ୍ମାନର ପରମ୍ପରା ଉପରେ ପ୍ରତିଷ୍ଠିତ। ପ୍ରାଚୀନ କାଳରୁ ଆମେ ‘ଅତିଥି ଦେବୋ ଭବ’ ମନ୍ତ୍ର ପାଳନ କରୁଛୁ। କିନ୍ତୁ ଆଜିର ଆଧୁନିକ ଯୁଗରେ ସହରୀକରଣ, ବ୍ୟସ୍ତତା ଏବଂ ଶିକ୍ଷାର ଅଭାବ ଯୋଗୁ ସାଧାରଣ ନାଗରିକଙ୍କ ମଧ୍ୟରେ ନାଗରିକ ସଚେତନତା କମି ଯାଇଛି। ଗୁଟ୍‌ଖା, ପାନ ଖାଇ ରାସ୍ତାରେ ଛେପ ପକାଇବା,ସରକାରୀ ଅଫିସରେ ପାନଛେପରେ କାନ୍ଥ ସବୁ ଖରାପ ହୋଇଯିବା, ରାସ୍ତାରେ ”ଏଠାରେ ଛେପ ପକାଇବା ମନା“ ଲେଖାହେବା ଆମ ପାଇଁ ସାଧାରଣ କଥା ହୋଇଗଲାଣି। ଭାରତରେ ”ସ୍ବଚ୍ଛ ଭାରତ ଅଭିଯାନ“ ପରି କାର୍ଯ୍ୟକ୍ରମ ସରକାରଙ୍କ ଦ୍ବାରା କରାଯାଉଛି। କିନ୍ତୁ ଆମେ ସଚେତନ ହେଲେ ଏହା ସ୍ବତଃ ହୋଇପାରିବ। ଏଥିପାଇଁ ଭିନ୍ନ ଏକ ଅଭିଯାନ ଆବଶ୍ୟକ କାହିଁକି?
ଏହି ଅବନତିର ମୂଳ କାରଣ ହେଉଛି ଶିକ୍ଷା ଓ ସଚେତନତାର ଅଭାବ। ଆମ ସଂସ୍କାରରେ ପରିବେଶ ସୁରକ୍ଷା ଏକ ଧର୍ମ ଥିଲା, କିନ୍ତୁ ଆଧୁନିକତା ଏବଂ ଉପଭୋଗବାଦ ଏହାକୁ ଧ୍ୱଂସ କରୁଛି। ସରକାରୀ ଆଇନ ଥିଲେ ମଧ୍ୟ ଗୁଟ୍‌ଖା ନିଷିଦ୍ଧ ହୋଇଥିବା ସ୍ଥାନରେ ଲୋକେ ଏହା ଖାଉଛନ୍ତି। ପର୍ଯ୍ୟଟନ ସମୟରେ ଏହି ଅଭ୍ୟାସ ବଢ଼ିଯାଉଛି କାରଣ ବିଦେଶରେ ନିଜକୁ ଅଜ୍ଞାତ ଭାବି ଲୋକେ ନିୟମ ଭାଙ୍ଗନ୍ତି। ନେପାଳ ସହ ଭାରତର ସମ୍ପର୍କ ଐତିହାସିକ ଓ ସାଂସ୍କୃତିକ। ହଜାର ହଜାର ନେପାଳୀ ଭାରତରେ ପଢ଼ନ୍ତି ଓ କାମ କରନ୍ତି। ଏପରି ଘଟଣା ଦ୍ୱିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିପାରେ ଏବଂ ଭାରତୀୟଙ୍କ ପ୍ରତି ଭୁଲ୍‌ ଧାରଣା ସୃଷ୍ଟି କରେ। ସମଗ୍ର ଦେଶର ସଭ୍ୟତା ଜଣେ ବ୍ୟକ୍ତିଙ୍କ କର୍ମ ଯୋଗୁ ପରାଜିତ ହେବା ଏକ ଦୁଃଖଜନକ ବିଷୟ।
ବିମାନବନ୍ଦର, ରେଳଷ୍ଟେଶନ ଏବଂ ଟୁରିଜମ ଡିପାର୍ଟମେଣ୍ଟ ମାଧ୍ୟମରେ ନାଗରିକ ଦାୟିତ୍ୱ ବିଷୟରେ ପ୍ରଚାର କରାଯାଏ। କିନ୍ତୁ ଅନାବଶ୍ୟକ ବୋଲି ଏହାକୁ ଅନେକେ ଆଡେଇ ଯାଆନ୍ତି। ଶିକ୍ଷା ବ୍ୟବସ୍ଥାରେ ନାଗରିକ ସଚେତନତା ଓ ପରିବେଶ ସୁରକ୍ଷାକୁ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଉ। ପରିବାର ସ୍ତରରେ ମଧ୍ୟ ପିଲାମାନଙ୍କୁ ଏହି ସଂସ୍କାର ଶିଖାଯିବା ଦରକାର। ଆମେ ନିଜ ଦେଶରେ ଯେପରି ସଫା ରଖୁ, ବିଦେଶରେ ମଧ୍ୟ ସେହିପରି ଆଚରଣ କରିବା ଉଚିତ। ଏହା କେବଳ ବ୍ୟକ୍ତିଗତ ଗୌରବ ନୁହେଁ, ଜାତୀୟ ଗୌରବର ପ୍ରଶ୍ନ।
କହିବାକୁ ହେବ ଯେ, ବିଦେଶରେ ଆମ ଆଚରଣ ସମଗ୍ର ଦେଶର ସଂସ୍କୃତିକୁ ପ୍ରତିନିଧିତ୍ୱ କରେ। ନେପାଳରେ ହୋଇଥିବା ଏହି ଘଟଣା ଆମକୁ ଆତ୍ମନିରୀକ୍ଷଣ କରିବାକୁ ବାଧ୍ୟ କରୁଛି। ଆମ ପୂର୍ବପୁରୁଷଙ୍କ ସଂସ୍କାରକୁ ଧ୍ୱଂସ ହେବାରୁ ରକ୍ଷା କରିବାକୁ ହେବ। ପ୍ରତ୍ୟେକ ଭାରତୀୟ ଏକ ସଚେତନ ନାଗରିକ ହୋଇ ବିଦେଶରେ ମଧ୍ୟ ନିଜ ଦେଶର ଗୌରବ ରକ୍ଷା କରିବା ଉଚିତ। ଯଦି ଆମେ ଏହି ଦିଗରେ କାର୍ଯ୍ୟ କରିବା, ତେବେ ଏକ ଦିନ ଭାରତୀୟ ସଂସ୍କୃତି ଆହୁରି ଉଜ୍ଜ୍ୱଳ ହେବ ଏବଂ ପୂରା ବିଶ୍ୱରେ ସମ୍ମାନିତ ହେବ। ଏହା କେବଳ ଏକ ଆଶା ନୁହେଁ ବରଂ ଆମର ଦାୟିତ୍ୱ। ଜଣେ ଜଣେ ଲୋକଙ୍କ ପାଇଁ ପୂରା ଦେଶର ସଭ୍ୟତା ପରାଜିତ ହେବା ଏକ ଲଜ୍ଜାଜନକ ବ୍ୟାପାର। ଆମେ ସମସ୍ତେ ମିଳିମିଶି ଏହି ସଂସ୍କାରକୁ ରକ୍ଷା କରିବା ଉଚିତ। ଆଗକୁ କେହି ରାସ୍ତାରେ ଛେପ ପକାଇବା ଦେଖିଲେ ଆପଣ ବି କହିବେ।

ଚିନ୍ମୟୀ ପଣ୍ଡା

ମୋ:୯୮୬୧୧୯୧୯୬୯

Share