ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର ବେହେରା କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ।
ମୁଖ୍ୟ ଅତିଥି ଭାବେ ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସୁନୀଲ କୁମାର ପାତ୍ର ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ନେତାଜୀ ସୁଭାଷ ବୋଷ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିଶେଶ୍ୱର ଆଚାର୍ଯ୍ୟ, ତୁମୁଡ଼ିବନ୍ଧ ବ୍ଲକ ସାମ୍ବାଦିକ ସଂଘର ସାଧାରଣ ସମ୍ପାଦକ ଦୀପକ କୁମାର ପରାସେଠ ଏବଂ ଅଧ୍ୟାପକ ସୀତାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହାପରେ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।
ମୁଖ୍ୟ ଅତିଥି ଡ଼ଃ ପାତ୍ର ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଆଦର୍ଶ ଛାତ୍ରଛାତ୍ରୀ ହୋଇ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ଅନୁଷ୍ଠାନର ସୁନାମ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ।
ତତ୍ପରେ ବିଦ୍ୟାଳୟରେ ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଛାତ୍ରୀଛାତ୍ରଙ୍କ ଦ୍ୱାରା ଏକ ଛୋଟ ନାଟକ ପରିବେଷଣ କରାଯାଇଥିଲା। ଶେଷରେ ଧନ୍ୟବାଦ ଅର୍ପଣ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା।

