ଜୈବିକ ପଦ୍ଧତିରେ ଚାଷ ଦେଇଛି ସଫଳତା

ଦଶମନ୍ତପୁର,୨୧ା୧୧(ଡି.ଏନ୍‌.ଏ.):ଜୈବିକ ପଦ୍ଧତିରେ ଚାଷକରି ଉଦାହରଣ ସୃଷ୍ଟି କରିଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଗୁଲିମୂଷା ଗ୍ରାମର ଶୋଭା ପ୍ରଧାନୀ। ଏକ୍ଷେତ୍ରରେ ଅଗ୍ରଗାମୀ ସଂସ୍ଥା ତାଙ୍କୁ ସହାୟତା ଯୋଗାଇ ଦେଇଛି। ପୂର୍ବରୁ ରାସାୟନିକ ସାର ବ୍ୟବହାରକରି ଶୋଭା ନିଜ ୫ଏକର ଜମିରେ ବିଭିନ୍ନ ପ୍ରକାର ଚାଷ କରୁଥିଲେ। ଏଥିରେ ସେ ଅଧିକ ଅମଳ କରିବାରେ ବିଫଳ ହୋଇ ଆସୁଥିଲେ। ତାଙ୍କ ପାଖରେ ୨୧ କିସମର ଧାନ ଯଥା କଳା ଚୁଡ଼ି, ସମୁଦ୍ର ବାଲି ଧାନ, ଟିକି ଚୁଡ଼ି, ମୁଣ୍ଡା ଧାନ, ରଙ୍ଗ ଚୁଡ଼ି, ବଲାକ ବ୍ରିଡ୍‌, ମିର୍ଲ, ଦୁଧ ମିର୍ଲ, ଦେଶୀ ସାରଳା, କଳା ଜିରା, ରତନ ଚୁଡି, ଜୟଜାତି, କରାଣ୍ଡି, କାନ୍ଦୁଲ କାଟି, ଲାଇସାରି, ସାଧା ଲକ୍ଟି ମଚିଧାନ ଭଳି କିସମର ଧାନ ନିଜ ଜମିରେ ଚାଷ କରି ଆସୁଥିଲେ। ଏ କ୍ଷେତ୍ରରେ ପରିଶ୍ରମ ଅନୁସାରେ ତାଙ୍କୁ ଉତ୍ପାଦନରେ ସୁଫଳ ମିଳୁ ନ ଥିଲା। ଶେଷରେ ଶୋଭା ଚାଷ କାର୍ଯ୍ୟ ଛାଡ଼ିଦେବାକୁ ନିଷ୍ପତ୍ତି ନେଇଥିଲେ। ଏକଦା ୨୦୧୮ରେ ଚାଷୀମାନଙ୍କୁ ନେଇ ଦଶମନ୍ତପୁର ବ୍ଲକର ସ୍ବେଚ୍ଛାସେବୀ ସଙ୍ଗଠନ ଅଗ୍ରଗାମୀର ଅତୁଲ ନାୟକ ଗୁଲିମୂଷା ଗ୍ରାମକୁ ଯାଇଥିଲେ। ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରି ୬ ଦିନିଆ ଜୈବିକ ପଦ୍ଧତିରେ ଚାଷ କାର୍ଯ୍ୟ ପାଇଁ ତାଲିମ ଦେଇଥିଲେ। ପରବର୍ତ୍ତୀ ସମୟରେ ଶୋଭା ଅଗ୍ରଗାମୀ ସହାୟତାରେ ଦଶମନ୍ତପୁରଠାରୁ ଆରମ୍ଭକରି କୋରାପୁଟ, ରାୟଗଡ଼ା ପର୍ଯ୍ୟନ୍ତ ଅନୁଷ୍ଠିତ ତାଲିମରେ ଅଂଶଗ୍ରହଣ କରି ତାଲିମ ନେଇଥିଲେ। ପ୍ରଥମେ ସେ ବୈପାରିଗୁଡ଼ାଠାରୁ ୩୫୦ ଟଙ୍କା ଦେଇ ଅଧ କିଲୋ ଜିଆ ଆଣି ଟାଙ୍କି ନିର୍ମାଣ କରି ଖତ ପ୍ରସ୍ତୁତ କଲେ। ପରେ ମିଠା ଖତ ଓ ଜିବାମୃତ ଦ୍ୱାରା ହାଣ୍ଡିଖତ ପ୍ରସ୍ତୁତ କରି ପ୍ରଥମେ ଅଧା ଏକର ଜମିରେ ଜୈବିକ ପଦ୍ଧତିରେ ଚାଷ କରିବା ଆରମ୍ଭ କଲେ। ସେଥିରେ ଜିବାମୃତ ଖତ ଓ ଜିଆଖତ ପକାଇଲେ। ୧୫ଦିନ ପରେ ହାଣ୍ଡିଖତ ବ୍ୟବହାର କଲେ। ଏହି ପ୍ରଣାଳୀରେ ଚାଷକରି ସେ ଭଲ ଫସଲ ଉତ୍ପାଦନ କଲେ। ସେବେଠାରୁ ଶୋଭା ଆଉ ଚାଷରେ ରାସାୟନିକ ସାର ବ୍ୟବହାର କରିନାହାନ୍ତି। ଜୈବିକ ପଦ୍ଧତି ତାଙ୍କ ପାଇଁ ସଫଳତା ଆଣି ଦେଇଛି। ବର୍ତ୍ତମାନ ସେ ଧାନ ସହ ୫ ସେଣ୍ଟ ଜମିରେ ମାଣ୍ଡିଆ ରୁଆ, ଦେଢ଼ ଏକର ଜମିରେ ସୁଆଁ ଚାଷ, ଅଧା ଏକର ଜମିରେ ଅଳସି ଚାଷ, ୨ସେଣ୍ଟ ଜମିରେ ମରିଚ ଚାଷ, ୧ ଏକର ଜମିରେ ମକାଚାଷ, ୩ ସେଣ୍ଟ ଜମିରେ କୋଳଥ ଚାଷ ଏବଂ ୨ ସେଣ୍ଟ ଜମିରେ ବିରି ଚାଷ କରୁଛନ୍ତି। ଏଭଳି ଭାବେ ସେ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହେବାକୁ ଲାଗିଲେ । ଅନେକ ସ୍ଥାନରୁ ଚାଷୀମାନେ ଆସି ଶୋଭାଙ୍କ ଠାରୁ ବିଭିନ୍ନ କିସମର ଚାରା ନେଉଥିବା ଦେଖିବାକୁ ମିଳୁଛି।