ମାଛ ବଜାର ସ୍ଥାନାନ୍ତରକୁ ବିରୋଧ

ବ୍ରଜରାଜନଗର,୮ା୧୨(ଡି.ଏନ.ଏ.): ବ୍ରଜରାଜନଗର ପୌରାଞ୍ଚଳ ଅଧୀନ ଗୋଲ ଛକଠାରେ ଦୀର୍ଘ ଦିନରୁ ଚାଲିଆସୁଥିବା ମାଛ ବଜାରକୁ ବୁଧବାର ଥାନା ପାର୍ଶ୍ୱରେ ଥିବା ଓରିଏଣ୍ଟ ପେପର ମିଲ ଅଧୀନରେ ଥିବା ଜାଗାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ଅଞ୍ଚଳବାସୀ ନିନ୍ଦା କରିବା ସହ ପୌର ପ୍ରଶାସନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ସେମାନଙ୍କ କହିବା କଥା ସହରର ୭୫ ପ୍ରତିଶତ ଲୋକ ଗୋଲ ଛକଠାରେ ଥିବା ପରିବା ଓ ମାଛ ବଜାର ଉପରେ ନିର୍ଭରଶୀଳ। ମାଛ ବଜାର ସ୍ଥାନାନ୍ତର ହେବା ଦ୍ୱାରା ଲୋକଙ୍କୁ ଅଯଥାରେ ୩କି.ମି. ଯିବାକୁ ପଡିବ। ସେଠାରେ ପାର୍କିଂ ବ୍ୟବସ୍ଥା ମଧ୍ୟ ନାହିଁ। ତେଣୁ ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ମାଛ ବଜାରକୁ ପୂର୍ବ ସ୍ଥାନକୁ ଫେରାଇ ଅଣାଯାଉ। ଏ ସମ୍ପର୍କରେ ପୌରାଧ୍ୟକ୍ଷା ଯାଜ୍ଞସେନୀ ଓରାମଙ୍କୁ ପଚାରିବାରେ ମାଛ ଓ ମାଂସ ଦୋକାନୀଙ୍କୁ ଗୋଟିଏ ଜାଗାରେ ଥଇଥାନ କରାଯିବାକୁ ଯୋଜନା କରାଯାଇଛି। ଯଦି ସେଠାରେ ଅସୁବିଧା ହୁଏ ତେବେ ସେମାନଙ୍କୁ ପୂର୍ବ ଜାଗାରେ ପିଣ୍ଡି କରାଯାଇ ଥଇଥାନ କରାଯିବ ବୋଲି ପ୍ରକାଶ କରିଥିଲେ।