ଚିଠା ସଂରକ୍ଷଣ ତାଲିକାକୁ ବିରୋଧ

କାମାକ୍ଷାନଗର, ୪ ।୨(ଡି.ଏନ୍‌.ଏ.) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାରେ ପକ୍ଷପାତିତା କରାଯାଇଥିବା ଅଭିଯୋଗ ଆଣିଛି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମିଳିତ ଆଦିବାସୀ ସଂଘ। ଏହାର ପ୍ରତିବାଦରେ ସୋମବାର ସଂଘର ଶତାଧିକ ମହିଳାପୁରୁଷ କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି। ଏଥିସହ ରାଜ୍ୟ ନିର୍ବାଚନ କମିଶନଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କ ଅନୁପସ୍ଥିତିରେ ବିଡିଓ ବିକାଶ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅଭିଯୋଗ ଅନୁଯାୟୀ, ଗତ ଡିସେମ୍ବର ୨୭ରେ ଜିଲା ପ୍ରଶାସନ ପକ୍ଷରୁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇଥିଲା। ଏଥିରେ କଙ୍କଡ଼ାହାଡ଼ ସଦର ପଞ୍ଚାୟତର ସରପଞ୍ଚ ପଦବୀ ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି। ଆଦିବାସୀବହୁଳ ଏହି ପଞ୍ଚାୟତରେ ସରପଞ୍ଚ ପଦବୀକୁ ସାଧାରଣବର୍ଗ ମହିଳାଙ୍କ ଲାଗି ଉଦ୍ଦିଷ୍ଟ ରଖାଯିବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ପଞ୍ଚାୟତର ଶତାଧିକ ଆଦିବାସୀ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମରୁ ଏକ ଶୋଭାଯାତ୍ରାରେ ବାହାରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାର ବିଚାର କରା ନ ଗଲେ ଭୋଟ ବର୍ଜନ କରାଯିବ ବୋଲି ସଂଘ ସଭାପତି ଲାଲ୍‌ମୋହନ ମୁର୍ମୁ, ସମ୍ପାଦକ ପ୍ରତାପ ଚନ୍ଦ୍ର ମାରାଣ୍ଡି ପ୍ରମୁଖ ଚେତାବନୀ ଦେଇଛନ୍ତି।