ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିବାର ଅଭିଯୋଗ କରି ସୁବର୍ଣ୍ଣପୁର ଜିଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ନିଆରା ଢଙ୍ଗରେ ଏହାର ପ୍ରତିବାଦ କରାଯାଇଛି । ସଂପୃକ୍ତ ଗ୍ରାମର ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଆଦିବାସୀ ନୃତ୍ୟର ତାଳେ ତାଳେ ବୀରମହାରାଜପୁର ମେଲଣ ପଡିଆ ଠାରୁ ବ୍ଲକ କାର୍ଯ୍ୟାଳୟ ଯାଏ ଏକ ଶୋଭାଯାତ୍ରାରେ ଆସି ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଜିଲା ଆଦିବାସୀ କଲ୍ୟାଣ ସଂଘର ବୀରମହାରାଜପୁର ଶାଖା ସଭାପତି ଯୋଗୀନ୍ଦ୍ର ମିର୍ଦ୍ଧା ଏହାର ନେତୃତ୍ୱ ନେଇଥିଲେ । ଦାବିପତ୍ର ପ୍ରଦାନ ସମୟରେ ସ୍ଥାନୀୟ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମଧ୍ୟ ଉପସ୍ଥିତ ଥିଲେ। ଜିଲା ଆଦିବାସୀ କଲ୍ୟାଣ ସଂଘ ବୀରମହାରାଜପୁର ଶାଖା ଉପସଭାନେତ୍ରୀ ବିବିଆନା ସୋରେନ, ସମ୍ପାଦକ ପ୍ରମୋଦ ଭୋଇ, ସହସଂପାଦକ ଯୁଶୋବ ଲାକ୍ରା, କୋଷାଧ୍ୟକ୍ଷ ଦୁଃଖିଶ୍ୟାମ ଭୋଇ ପ୍ରମୁଖଙ୍କ ସମେତ ବହୁ ଆଦିବାସୀ ମହିଳା ଓ ପୁରୁଷ ଏଥିରେ ସାମିଲ ହୋଇଥିଲେ ।
ମିଳିଥିବା ସୂଚନା ଅନୁସାରେ ବହଲପଦର ପଞ୍ଚାୟତର ହୋତାପାଲି ଠାରେ ଏକ କମ୍ୟୁନିଟି ସେଣ୍ଟର୍ ନିର୍ମାଣ ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଏହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି। ତେବେ ଏବେ ଏହାକୁ ଅନ୍ୟ କୌଣସି ପଞ୍ଚାୟତକୁ ସ୍ଥାନାନ୍ତର ପାଇଁ ଉଦ୍ୟମ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


