ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ ଅଫିସ,୧୭।୧୦: ଅଦିନରେ ପୁଣି ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଛି। ଗତ ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋରଠାରେ ଏହି ରଥଯାତ୍ରା ହୋଇଥିଲା। ସେଠାକାର ଇସ୍କନ ପକ୍ଷରୁ ଉକ୍ତ ରଥଯାତ୍ରାକୁ ସୋସିଆଲ ମିଡିିଆରେ ପୋଷ୍ଟ କରାଯାଇଛି। ଏ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଦିନିଆ ରଥଯାତ୍ରାକୁ ଚତୁର୍ଦ୍ଧାବିଗ୍ରହଙ୍କ ଲୀଳାସ୍ଥଳ ଶ୍ରୀକ୍ଷେତ୍ରରେ ଘୋର ବିରୋଧ କରାଯାଇଛି। ଇସ୍କନ ବାରମ୍ବାର ଏଭଳି ଆଚରଣ ଦେଖାଇ ବିଧି ପରମ୍ପରାକୁ ବେଖାତିର କରୁଥିବାରୁ ଶ୍ରୀମନ୍ଦିର ସେବାୟତ, ଭକ୍ତ, ବୁଦ୍ଧିଜୀବୀ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପୁରୀ ଜିଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ଏହା ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ଆମେରିକାର ଇସ୍କନ ପକ୍ଷରୁ ପୋଷ୍ଟ ହୋଇଥିବା ଭିଡିିଓରେ ଦାରୁ ବିଗ୍ରହମାନଙ୍କୁ ଦାମୀ କାର୍‌ରେ ବସାଇ ରଥଯାତ୍ରା ପାଳନ କରାଯାଉଥିବା ଦେଖିବାକୁ ମିଳିଛି। ବହୁସଂଖ୍ୟକ ଭାରତୀୟ ଓ ଆମେରିକୀୟ ଏଥିରେ ସାମିଲ ହୋଇଥିଲେ। ସମ୍ମୁଖ ଭାଗରେ ଭାରତର ଜାତୀୟପତାକା ଉଡୁଥିବା ଭିଡିିଓରୁ ସ୍ପଷ୍ଟ ଜଣାପଡୁଛି। ତେଣୁ ଏଭଳି ଅସମୟରେ ରଥଯାତ୍ରା ଆୟୋଜନ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଶକ୍ତ ଆଘାତ ଦେଇଛି ବୋଲି ଅଭିଯୋଗ କରି ସିଂହଦ୍ୱାର ଥାନାରେ ଯୁବ ଅଧିବକ୍ତା ସଂଘର ଆବାହକ ଅନିଲ କୁମାର ସାହୁ ଏତଲା ଦେଇଛନ୍ତି। ଏହି ରଥଯାତ୍ରା ଆୟୋଜନ କରିଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସେ ଅନୁରୋଧ କରିଛନ୍ତି। ଏ ସଂକ୍ରାନ୍ତରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ପରମ୍ପରା ଅନୁଯାୟୀ ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ବିଶ୍ୱବ୍ୟାପୀ କୌଣସି ଜାଗାରେ ଯେପରି ଅସମୟରେ ରଥଯାତ୍ରା ହେବ ନାହିଁ ସେଥିଲାଗି ଗବେଷକ, ବୁଦ୍ଧିଜୀବୀ ପ୍ରମୁଖଙ୍କୁ ନେଇ ଏକ ବୈଠକ ହୋଇଥିଲା। ଏ ସଂକ୍ରାନ୍ତରେ ଆଲୋଚନା ପରେ ବିଭିନ୍ନ ସଙ୍ଗଠନଙ୍କୁ ଅବଗତ କରାଯାଇଥିଲା। ତେଣୁ ପରମ୍ପରା ବିରୋଧୀ କାମ ନ କରିବାକୁ ଉନ୍ନୟନ ପ୍ରଶାସକ ପରାମର୍ଶ ଦେଇଛନ୍ତି।