ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ ପରିଷଦ(ସିସିଆଇଏମ୍‌) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ବିଜ୍ଞପ୍ତିକୁ ଭାରତୀୟ ଚିକିତ୍ସକ ସଂଘ (ଆଇଏମ୍‌ଏ) ପକ୍ଷରୁ ସାରା ଦେଶରେ ବିରୋଧ କରାଯାଉଛି। ଏହିମର୍ମରେ ଆଇଏମ୍‌ଏ ଯାଜପୁର ରୋଡ୍‌ ଶାଖା ସଭାପତି ଡା.ହେମନ୍ତ କିଶୋର ସାହୁ ଓ ସମ୍ପାଦକ ଡା. ଗୌରୀ ଶଙ୍କର ଷଡ଼ଙ୍ଗୀ ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଜଣେ ଆୟୁର୍ବେଦ ଚିକିତ୍ସକ ମାତ୍ର ୨ ବର୍ଷରେ ଖେଚୁଡି ଶଲ୍ୟ ଚିକିତ୍ସା ପ୍ରଶିକ୍ଷଣ ଲାଭ କରି ଆୟୁର୍ବେଦ ସ୍ନାତକୋତ୍ତର ଶଲ୍ୟତନ୍ତ୍ର ଓ ଶାଲ୍ୟକତନ୍ତ୍ର ଉପାଧି ହାସଲ କରିପାରିବେ। ଏହିମାନେ ୩୮ପ୍ରକାର ଶଲ୍ୟ ଅପରେଶନ ତଥା କାନ, ନାକ, ଗଳା, ପେଟ ଆଦି ସାଧାରଣ ଓ ସୁପର ସ୍ପେଶାଲିଷ୍ଟ ଅପରେଶନ କରିବାକୁ ଆଇନତଃ ହକଦାର ହେବେ। ଏଥିଯୋଗୁ ଭବିଷ୍ୟତରେ ଯେଉଁ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ତା’ର କୁପରିଣାମ ସର୍ବସାଧାରଣଙ୍କୁ ଭୋଗିବାକୁ ପଡ଼ିବ ଓ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଚିକିତ୍ସା ଏପରି ନିମ୍ନ ଶିକ୍ଷାଗତ ଯୋଗ୍ୟତା ପ୍ରାପ୍ତ ଚିକିତ୍ସକଙ୍କ ଦ୍ୱାରା କରାଗଲେ ଅନେକ ସମସ୍ୟା ସୃଷ୍ଟି ହେବ। ସୁପର ସ୍ପେଶାଲିଷ୍ଟ ଯୋଗ୍ୟତା ନିମନ୍ତେ ଏମବିବିଏସ୍‌ ଶିକ୍ଷା ୬ ବର୍ଷ ପରେ ସ୍ନାତକୋତ୍ତର ଶିକ୍ଷା ୩ ବର୍ଷ ଓ ଉଚ୍ଚ ସ୍ନାତକୋତ୍ତର ଶିକ୍ଷା ୩ବର୍ଷ ଏପରି ୬ବର୍ଷର ଅବଧି ଜରୁରୀ। ଏପରି ଶିକ୍ଷା ସତ୍ତ୍ବେ ପ୍ରବୀଣ ଶଲ୍ୟ ଚିକିତ୍ସକଗଣ ଅସ୍ତ୍ରୋପଚାର ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଭାରତୀୟ ପୁରାତନ ଚିିକିତ୍ସା ପଦ୍ଧତି ଆଧୁନିକ ଚିକିତ୍ସା ପଦ୍ଧତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିବା ସତ୍ତ୍ୱେ ଏହି ୨ଟି ପଦ୍ଧତିକୁ ମିଶ୍ରଣ କରି ଏକ ଖେଚୁଡି ଚିକିତ୍ସା ବ୍ୟବସ୍ଥା ସୃଷ୍ଟି କରିବା ଓ ଉଭୟ ପଦ୍ଧତିକୁ ନଷ୍ଟ କରିବା ସଙ୍ଗେ ସମାନ। ତେଣୁ ଉପରୋକ୍ତ ବିଜ୍ଞପ୍ତିକୁ ବିରୋଧ କରି ଭାରତୀୟ ଚିକିତ୍ସକ ସଂଘ ଯାଜପୁର ରୋଡ୍‌ ଶାଖା ପକ୍ଷରୁ ଆସନ୍ତା ୮ତାରିଖରେ ବ୍ୟାସନଗର ସହରର ବିଭିନ୍ନ ସ୍ଥାନରେ ସମସ୍ତ କରୋନା ପ୍ରତିଷେଧକ ବ୍ୟବସ୍ଥା ଆପଣାଇ ପ୍ରତିବାଦ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ସରକାର ନ ଚେତିଲେ ଆସନ୍ତା ୧୧ ତାରିଖ ଶୁକ୍ରବାର ସକାଳ ୬ଟାଠାରୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସମସ୍ତ ବେସରକାରୀ ଚିକିତ୍ସାଳୟ ବନ୍ଦ ରହିବ ଏବଂ କୌଣସି ଅଣକୋଭିଡ ଚିକିତ୍ସା କରାଯିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।