କେବଳ ସାଧୁସନ୍ଥଙ୍କୁ ଅନୁମତି

ଢେଙ୍କାନାଳ ଅଫିସ, ୯।୨: ମହିମା ଧର୍ମପୀଠ ଯୋରନ୍ଦାରେ ବିଶ୍ୱପ୍ରସିଦ୍ଧ ମାଘମେଳା ଫେବୃୟାରୀ ୧୫ରେ ଅନୁଷ୍ଠିତ ହେବ। କୋଭିଡ୍‌ ସଂକ୍ରମଣ ଆଶଙ୍କା ଥିବାରୁ ଚଳିତବର୍ଷ ଜନସାଧାରଣଙ୍କ ସମାଗମକୁ ବାରଣ କରାଯାଇଛି। ପାରମ୍ପରିକ ନୀତିକାନ୍ତି ପାଇଁ କେବଳ ସାଧୁସନ୍ଥଙ୍କୁ ଅନୁମତି ଦିଆଯାଇଛି। ମହିମା ଧର୍ମର ପ୍ରମୁଖ କେନ୍ଦ୍ରସ୍ଥଳ ଭାବେ ପରିଚିତ ମହିମା ଗାଦିରେ ମାଘମେଳା କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମାପନ କରିବା ଲାଗି ମଙ୍ଗଳବାର ଜିଲାପାଳ ସରୋଜ କୁମାର ସେଠୀଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ଯୋରନ୍ଦା ଗସ୍ତକରି ପ୍ରସ୍ତୁତି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏଥିସହ ସାଧୁସନ୍ନ୍ୟାସୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ଗତବର୍ଷ ଭଳି ଚଳିତବର୍ଷ ନିରାଡ଼ମ୍ବରରେ ଯୋରନ୍ଦା ମାଘମେଳା ଅନୁଷ୍ଠିତ ହେବ। ସାଧୁସନ୍ନ୍ୟାସୀଙ୍କ ସୁବିଧା ଲାଗି ଆବଶ୍ୟକ ଆଲୋକୀକରଣ, ପାନୀୟ ଜଳ ଯୋଗାଣ, ପରିଷ୍କାର ପରିଚ୍ଛନ୍ନତା ଏବଂ ସାନିଟାଇଜେଶନ ଉପରେ ଗୁରୁତ୍ୱ ଦିଆଯିବ। ସ୍ବତନ୍ତ୍ର ଶିବିର କରି ସାଧୁସନ୍ଥଙ୍କ କୋଭିଡ୍‌ ପରୀକ୍ଷା ସମେତ ଟିକାକରଣ ବ୍ୟବସ୍ଥା କରାଯିବ। ସାନିଟାଇଜେଶନ ପାଇଁ ୨ଟି ସ୍ବତନ୍ତ୍ର ମେଶିନ ପୃଥକ୍‌ ସ୍ଥାନରେ ଲାଗିବ। ଏସବୁ ବ୍ୟବସ୍ଥା ସମ୍ପର୍କରେ ବଡ଼ମଠ ଭଜନ ମଣ୍ଡପରେ ଜିଲାପାଳଙ୍କ ଉପସ୍ଥିତିରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।
ପିଡି ଡିଆରଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ସ୍ନିଗ୍ଧାରାଣୀ ଧଳ, ବିଡିଓ ଆଶିଷ କୁମାର ସାହୁ, ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ବେହେରା, ଥାନାଧିକାରୀ ବିଷ୍ଣୁ ଚରଣ ବାରିକ, ସତ୍ୟ ମହିମା ଧର୍ମଧାମ ପରିଚାଳନା ସମିତିର ନିତ୍ୟାନନ୍ଦ ବାବା, ପ୍ରସନ୍ନ ବାବା, ପ୍ରଭାକର ବାବା, ଦୀନବନ୍ଧୁ ବାବା, ସତ୍ୟ ମହିମା ଅଲେଖ କୌପୀନଧାରୀ ମହିମା ସମାଜର ସୁଶାନ୍ତ ବାବା, ମହିମା ଜ୍ୟୋତିଯାତ୍ରା ସଂଯୋଜକ ପ୍ରଦ୍ୟୁମ୍ନ ରଥ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।