Categories: ବାଣିଜ୍ୟ

ଅନ୍‌ଲାଇନ ନେଣଦେଣ ୮୦% ବଢ଼ିଛି

ନୂଆଦିଲ୍ଲୀ,୧୪।୧: ବର୍ଷ ୨୦୨୦ରେ ଦେଶ ମଧ୍ୟରେ ଅନ୍‌ଲାଇନ ନେଣଦେଣ ପ୍ରାୟ ୮୦% ବୃଦ୍ଧି ପାଇଛି। ଛୋଟ ଏବଂ ମଧ୍ୟମ ବର୍ଗ ସହରଗୁଡିକରେ ଅନ୍‌ଲାଇନ ପ୍ଲାଟ୍‌ଫର୍ମ ଗ୍ରହଣ ହାର ଏବେ ଦ୍ରୁତ ହୋଇଛି। ଫଳରେ ଡିଜିଟାଲ କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ବିତ୍ତୀୟ କମ୍ପାନୀ ରେଜରପେ ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଛି ଯେ, ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌(ୟୁପିଆଇ) ଜରିଆରେ ମୋବାଇଲ ଦ୍ୱାରା ନେଣଦେଣ ସୁବିଧା ୧୨୦% ବଢ଼ିଛି। ଏହା ନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ମୋବାଇଲ ଓ୍ବାଲେଟକୁ ମଧ୍ୟ ପଛରେ ପକାଇ ଦେଇଛି। ଟାୟାର ୨ ଏବଂ ୩ ସହରଗୁଡିକରେ ଡିଜିଟାଲ ନେଣଦେଣକୁ ଲୋକମାନେ ଅଧିକ ପସନ୍ଦ କରୁଛନ୍ତି। ଲକଡାଉନ ସମୟରେ ଡିଜିଟାଲ ନେଣଦେଣ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲା।
ବଜାରର ସ୍ଥିତି ସ୍ବାଭାବିକ ହେବା କାରଣରୁ ପରେ ଏଥିରେ ୨୩% ବୃଦ୍ଧି ପରିଲକ୍ଷିତ ହୋଇଥିଲା। ରିପୋର୍ଟ ମୁତାବକ, ୨୦୧୯ ତୁଳନାରେ ୨୦୨୦ରେ ଅନ୍‌ଲାଇନ ନେଣଦେଣରେ ୮୦% ବୃଦ୍ଧି ରେକର୍ଡ କରାଯାଇଛି। ଗ୍ରାହକ ଏବଂ କମ୍ପାନୀଗୁଡିକ ଡିଜିଟାଲ ନେଣଦେଣକୁ ଅଧିକ ପସନ୍ଦ କରୁଥିବା କୁହାଯାଉଛି। ଗତ ବର୍ଷ ଶେଷ ୬ ମାସରେ ଫିନ୍‌କର୍ପ କମ୍ପାନୀଗୁଡିକର କାରବାରରେ ମଧ୍ୟ ସୁଧାର ପରିଲକ୍ଷିତ ହେଉଛି। ୨୦୨୦ ଜୁଲାଇ-ଡିସେମ୍ବର ସମୟରେ ଡିଜିଟାଲ ନେଣଦେଣ ଏହାର ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୭୩% ବଢିଥିବା ରେକର୍ଡ କରାଯାଇଛି।

Share