୧ ସେପ୍ଟେମ୍ୱରରୁ ମହଙ୍ଗା ହେବ ଅନଲାଇନ ସପିଂ! ପାର୍ସଲ ପ୍ରତି ଏତେ ବଢିଯିବ ଡେଲିଭରୀ ଚାର୍ଜ

ନୂଆଦିଲ୍ଲୀ,୨୯।୮: ଯଦି ଆପଣ ବି ପାର୍ୱଣ ଋତୁରେ ଅନଲାଇନ ସପିଂ (Online Shopping) କରିବାକୁ ପ୍ରସ୍ତୁତି କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଜରୁରୀ ଖବର। ସେପ୍ଟେମ୍ୱର ୧ ତାରିଖରୁ ଇ-କମର୍ସ କମ୍ପାନୀଗୁଡ଼ିକରୁ ସାମଗ୍ରୀ ମଗାଇବା ଟିକିଏ ମହଙ୍ଗା ହୋଇପାରେ। ଦେଶର ପ୍ରମୁଖ ଲଜିଷ୍ଟିକ୍ସ କମ୍ପାନୀ ଡେଲିଭରୀ (Delhivery) ନିଜର ସିପିଂ ଫି (Shipping Fees) ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାର ସବୁଠାରୁ ଅଧିକ ପ୍ରଭାବ D2C (Direct-to-Consumer) ବ୍ରାଣ୍ଡଗୁଡ଼ିକ ଏବଂ ଶେଷରେ ଗ୍ରାହକଙ୍କ ପକେଟ ଉପରେ ଦେଖିବାକୁ ମିଳିପାରେ।

କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ, ଲଜିଷ୍ଟିକ୍ସ ସହ ଜଡ଼ିତ ଖର୍ଚ୍ଚରେ କ୍ରମାଗତ ବୃଦ୍ଧି ହେଉଥିବା କାରଣରୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ଏହି ପରିବର୍ତ୍ତନ ପରେ:

ଏକ୍ସପ୍ରେସ ସିପମେଣ୍ଟ (Express Shipment): ପ୍ରତି ପାର୍ସଲ ଉପରେ ୪ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ।
ସରଫେସ ସିପମେଣ୍ଟ (Surface Shipment):ପ୍ରତି ପାର୍ସଲ ଉପରେ ୨ ଟଙ୍କାର ଅତିରିକ୍ତ ଶୁଳ୍କ ଲାଗିବ।
୫୦୦ ଗ୍ରାମରୁ ଅଧିକ ଓଜନ ବିଶିଷ୍ଟ ସାମଗ୍ରୀର ଡେଲିଭରୀ ଖର୍ଚ୍ଚରେ ପ୍ରାୟ ୫% ରୁ ୧୦% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।

ଏହି ନୂଆ ଶୁଳ୍କ ବର୍ତ୍ତମାନର ଡେଲିଭରୀ ଫି’ ଉପରେ ଅଲଗା ଭାବେ ଯୋଡ଼ାଯିବ। ବର୍ତ୍ତମାନ ଡେଲିଭରୀର ମୋଟ ଖର୍ଚ୍ଚ ପାର୍ସଲର ଓଜନ ଏବଂ ଦୂରତା (Distance) ଆଧାରରେ ସ୍ଥିର କରାଯାଏ।

ଡେଲିଭରୀ (Delhivery) ର ଏହି ନିଷ୍ପତ୍ତିର ସବୁଠାରୁ ବଡ଼ ପ୍ରଭାବ ଡାଇରେକ୍ଟ-ଟୁ-କଞ୍ଜ୍ୟୁମର (D2C) ବ୍ରାଣ୍ଡଗୁଡ଼ିକ ଉପରେ ପଡ଼ିବ, ଯେଉଁମାନେ ନିଜ ୱେବସାଇଟ ମାଧ୍ୟମରେ ସିଧାସଳଖ ଗ୍ରାହକଙ୍କୁ ସାମଗ୍ରୀ ବିକ୍ରି କରନ୍ତି। Mamaearth, boAt ଏବଂ Wakefit ଭଳି ଲୋକପ୍ରିୟ ବ୍ରାଣ୍ଡଗୁଡ଼ିକ D2C ମଡେଲରେ କାମ କରନ୍ତି। ଅନେକ D2C କମ୍ପାନୀ ବହୁତ କମ ମାର୍ଜିନ୍ରେ କାମ କରନ୍ତି। ଡେଲିଭରୀ ଖର୍ଚ୍ଚ ବଢ଼ିଲେ ଏହି କମ୍ପାନୀଗୁଡ଼ିକ କିଂବା ଡେଲିଭରୀ ଚାର୍ଜ ଗ୍ରାହକଙ୍କଠାରୁ ଆଦାୟ କରିବେ ନଚେତ ପ୍ରଡକ୍ଟଗୁଡ଼ିକର ଦାମ ବଢ଼ାଇ ପାରନ୍ତି।

ସାଧାରଣତଃ ଡେଲିଭରୀ କମ୍ପାନୀଗୁଡ଼ିକ ଅକ୍ଟୋବରରେ ଦୀପାବଳି ଆଖପାଖରେ ରେଟ ବଢ଼ାନ୍ତି, କିନ୍ତୁ ଏଥର ସେପ୍ଟେମ୍ୱରରୁ ହିଁ ନୂଆ ରେଟ ଲାଗୁ କରାଯାଉଛି। ଏହା ପଛରେ ୩ଟି ମୁଖ୍ୟ କାରଣ ଦର୍ଶାଯାଇଛି:

1. ବିମାନ ଇନ୍ଧନ (Aviation Fuel) ର ବୃଦ୍ଧି ପାଉଥିବା ଦାମ: ଏୟାର କାର୍ଗୋ ଜରିଆରେ ସାମଗ୍ରୀ ପଠାଇବାର ଖର୍ଚ୍ଚ ବଢ଼ିଯାଇଛି।
2. ଗ୍ରାଉଣ୍ଡ ଷ୍ଟାଫ ଉପରେ ବଢ଼ୁଥିବା ଖର୍ଚ୍ଚ: ଲଜିଷ୍ଟିକ୍ସ ନେଟୱାର୍କରେ ନିୟୋଜିତ କର୍ମଚାରୀଙ୍କ ଦରମା ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ପାଇଛି।
3. ନେଟୱାର୍କରେ ମୁଦ୍ରାସ୍ଫୀତିର ଚାପ:ସମ୍ପୂର୍ଣ୍ଣ ସପ୍ଲାଇ ଚେନର (Cost) ରେ ବୃଦ୍ଧି ଘଟିଛି।

 

Share