ଓଏଲ୍‌ଏକ୍ସରେ ଗାଡ଼ି କିଣି ଫସିଥାନ୍ତେ ଯୁବକ, ଏମିତି ପାରିଲେ ଜାଣି…

ସୋରଡ଼ା,୨୮ା୫(ଡି.ଏନ୍‌.ଏ.): ଅନ୍‌ଲାଇନ ଠକେଇ ଏବେ ବଢ଼ିଚାଲିଛି। ଗଞ୍ଜାମ ଜିଲା ସୋରଡ଼ାର ଜଣେ ଯୁବକ ଓଏଲ୍‌ଏକ୍ସରେ ଗୋଟିଏ ହିରୋ ଗାଡ଼ି ୨୮୦୦୦ ଟଙ୍କାରେ ବିକ୍ରି ବିଜ୍ଞାପନ ଦେଖି ସମ୍ପୃକ୍ତ ବିଜ୍ଞାପନ ଦାତାଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ବିକ୍ରେତାଙ୍କ(୮୮୪୭୮୩୦୬୩୧) ନମ୍ବରରୁ କଲ୍‌ ଆସିଥିଲା। ସମ୍ବଲପୁରରେ କାର୍ଯ୍ୟରତ ଜଣେ ସେନା କର୍ମଚାରୀ ଓ ସେ କଶ୍ମୀରକୁ ବଦଳି ହୋଇଯିବାକୁ ଥିବାରୁ ଗାଡ଼ିଟି ବିକ୍ରିକରି ଦେବେ ବୋଲି ହିନ୍ଦୀରେ କହିଥିଲେ। ଗାଡ଼ିର ଆର୍‌ସି, ଇନ୍‌ସ୍ୟୁରାନ୍ସ କାଗଜ,ଗାଡ଼ିର ଫଟୋ,ସବୁ ହ୍ବାଟ୍ସଆପ୍‌ରେ ପଠାଇଥିଲେ। ଗାଡ଼ିଟି ବ୍ରହ୍ମପୁର ବାସୁମତୀ କଲୋନୀ,ଜଗନ୍ନାଥ ବିହାର ତୃତୀୟ ଲାଇନ୍‌ ବୋଲି ଆରସିରେ ଲେଖା ହେବା ସହ ୨୦୨୧ରେ କିଣାଯାଇଥିବା ଓ ୫ ବର୍ଷର ଇନ୍‌ସ୍ୟୁରାନ୍ସ ମଧ୍ୟ ଅଛି। ଫୋନ ପେ’ ରେ ଅର୍ଥ ପଠାନ୍ତୁ ଗାଡ଼ି ଆପଣଙ୍କ ପାଖରେ ପହଞ୍ଚିଯିବ ବୋଲି କହିଥିଲେ। ବ୍ରହ୍ମପୁରର ଗାଡ଼ିମାଲିକ ହିନ୍ଦୀରେ କଥାବାର୍ତ୍ତା କରିବା ଏବଂ ଦେଖାସାକ୍ଷାତ ପାଇଁ ମନା କରିବାରୁ ଯୁବକଙ୍କ ମନରେ ସନ୍ଦେହ ଆସିଥିଲା। ତେବେ ଗାଡ଼ି ବିକ୍ରି ଚଳିତ ଦିନରେ କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ବେଳେ ବିକ୍ରେତା ଏବଂ କ୍ରେତାଙ୍କ ଉପସ୍ଥିତି ଅନଲାଇନ ଟ୍ରାନ୍ସଫର ସମୟରେ ବାଧ୍ୟତାମୂଳକ ହୋଇଥିବା ବେଳେ ଅନ୍‌ଲାଇନ୍‌ରେ ଗାଡ଼ି କିଣିବା ସମ୍ଭବ ନୁହେଁ। ଏପରିକି ଗାଡ଼ି କିଣିବାକୁ ଚାହୁଁଥିବା ଯୁବକ ଗ୍ରାହକ ସେବା କେନ୍ଦ୍ର ସଞ୍ଚାଳକ ରୂପେ ୩ ବର୍ଷ ହେଲା କାର୍ଯ୍ୟ କରି ଆରଟିଓ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରେ ନିପୁଣ ଥିବାରୁ ଉକ୍ତ ଗାଡ଼ିଟିକୁ ଟ୍ରାଫିକ ଚାଲାଣ ପୋର୍ଟାଲରେ ସର୍ଚ୍ଚ କରିଥିଲେ। ବାଇକ୍‌ଟିରେ ୩୧ା୦୫ା୨୦୨୧ ଓ ୪ା୧୨ା୨୦୨୧ରେ ବିନା ହେଲମେଟ୍‌ ପାଇଁ ୭୦୦୦ ଟଙ୍କାର ଚାଲାଣ କଟାଯାଇଥିବା ଜଣାପଡ଼ିଛି। ଯାହାର ଅର୍ଥ ମଧ୍ୟ ପଇଠ ହୋଇନି । ଏ ସବୁ ଜାଣି ଯୁବକ ଜଣଙ୍କ ଏହା ଠକେଇ କାରବାର ବୋଲି ଜାଣିଯାଇଥିଲେ ଏବଂ ଅନ୍ୟମାନଙ୍କୁ ଏ ବିଷୟରେ ମଧ୍ୟ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।