ନୂଆଦିଲ୍ଲୀ,୧୨।୧୦: ଦଶହରା, ଦୀପାବଳି ଏବଂ ଛଠ ପରି ପ୍ରମୁଖ ପର୍ବପର୍ବାଣୀ ଗୋଟିଏ ପରେ ଗୋଟିଏ ଆସୁଥିବା ବେଳେ, ପିଆଜର ବୃଦ୍ଧି ପାଉଥିବା ଦର ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ବର୍ତ୍ତମାନ ପିଆଜର ଖୁଚୁରା ଦର କିଲୋଗ୍ରାମ ପିଛା ପ୍ରାୟ ୫୨.୯୯ ଟଙ୍କା ରହିଛି, ଯାହା ଗତ ବର୍ଷ ତୁଳନାରେ ପ୍ରାୟ ଦ୍ୱିଗୁଣଅନ୍ୟପକ୍ଷରେ ହୋଲସେଲ ଦର ବାର୍ଷିକ ଭିତ୍ତିରେ ୧୨୩% ବୃଦ୍ଧି ପାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ପିଆଜର ଏହି ଅତ୍ୟଧିକ ଦରରୁ କେବେ ଆଶ୍ୱସ୍ତି ମିଳିପାରିବ?
ଏହା ସହ ସମ୍ପୃକ୍ତ ବିଶେଷଜ୍ଞଙ୍କ ମତରେ, ଆଗାମୀ ସପ୍ତାହଗୁଡ଼ିକରେ ପିଆଜ ଦର ହ୍ରାସ ପାଇପାରେ। ପୂର୍ବ ଅମଳରୁ ବଳକା ଥିବା ପିଆଜ ସହିତ ନୂତନ ଖରିଫ ଫସଲ ବଜାରକୁ ଆସିବା ଫଳରେ ଯୋଗାଣ ବୃଦ୍ଧି ପାଇବ ଏବଂ ଏହାର ପ୍ରଭାବରେ ଖୁଚୁରା ଦର କମିବ ବୋଲି ଆଶା କରାଯାଉଛି।
ଉତ୍ସବର ଋତୁ ପୂର୍ବରୁ ଏହା ଲୋକଙ୍କୁ ଆଶ୍ୱସ୍ତି ଦେଇପାରେ। ସାଧାରଣତଃ, ଖରିଫ ଫସଲ ସେପ୍ଟେମ୍ବର ଶେଷ ଭାଗରୁ ନଭେମ୍ବର ମଧ୍ୟରେ ହୋଲସେଲ ବଜାର (ମଣ୍ଡି) ଏବଂ ତା’ପରେ ଖୁଚୁରା ବଜାରରେ ପହଞ୍ଚିବା ଆରମ୍ଭ ହୋଇଥାଏ।
ମହାରାଷ୍ଟ୍ର ଏବଂ ଅନ୍ୟାନ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟରୁ ଯୋଗାଣ ବୃଦ୍ଧି ପାଇବା ସହ ନଭେମ୍ବର ସୁଦ୍ଧା ଉପଲବ୍ଧତା ବୃଦ୍ଧି ପାଇବ ବୋଲି ବ୍ୟବସାୟୀମାନେ ଆଶା କରୁଛନ୍ତି। ‘ହିନ୍ଦୁସ୍ତାନ ଟାଇମ୍ସ’ର ଏକ ରିପୋର୍ଟ ଅନୁଯାୟୀ, ହର୍ଟିକଲଚର୍ ପ୍ରଡ୍ୟୁସ ଏକ୍ସପୋଟର୍ର୍ ଆସୋସିଏସନର ବିକାଶ ସିଂହ କହିଛନ୍ତି ଯେ, ‘ଅନେକ ବଜାରରେ ଖରିଫ ଫସଲ ଆସିବା ଆରମ୍ଭ ହୋଇଗଲାଣି।’
ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ନଭେମ୍ବର ତୃତୀୟ ସପ୍ତାହ ପର୍ଯ୍ୟନ୍ତ ଚାହିଦା ପୂରଣ କରିବା ପାଇଁ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ପାଖରେ ପୁରୁଣା ଫସଲର ଯଥେଷ୍ଟ ମହଜୁଦ ରହିଛି। କର୍ନାଟକ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରୁ ଯୋଗାଣ ନଭେମ୍ବର ଶେଷ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି, ଯେତେବେଳେ କି ମହାରାଷ୍ଟ୍ରର ପ୍ରାରମ୍ଭିକ ଖରିଫ ଫସଲ ଅକ୍ଟୋବର ଶେଷ ସୁଦ୍ଧା ଆସିବା ଆରମ୍ଭ ହୋଇପାରେ।
ସରକାରୀ ତଥ୍ୟ ଅନୁଯାୟୀ, ଅକ୍ଟୋବର ୧୦ରେ ସମଗ୍ର ଭାରତରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା ୫୨.୯୯ ଟଙ୍କା ଥିଲା; ଏହା ଗୋଟିଏ ମାସ ପୂର୍ବର ୫୩.୧୦ ଟଙ୍କା ତୁଳନାରେ ସାମାନ୍ୟ କମ ଥିଲେ ମଧ୍ୟ ଗୋଟିଏ ବର୍ଷ ପୂର୍ବର ୨୬.୬୫ ଟଙ୍କା ତୁଳନାରେ ଯଥେଷ୍ଟ ଅଧିକ ଥିଲା। ସେହିଭଳି, ହୋଲସେଲ (କୋ-କାରବାର) ମୂଲ୍ୟ କୁଇଣ୍ଟାଲ ପିଛା ହାରାହାରି ୪,୫୯୧ ଟଙ୍କା ରହିଥିଲା, ଯାହାକି ପୂର୍ବ ମାସ ତୁଳନାରେ ୨.୪% ଏବଂ ଗୋଟିଏ ବର୍ଷ ପୂର୍ବ ତୁଳନାରେ ୧୨୩.୩% ବୃଦ୍ଧିକୁ ସୂଚିତ କରେ।