ଦୁଇ ସଉତୁଣୀ କଳି ଲାଗି ଜଣେ କଲେ ଆତ୍ମହତ୍ୟା

ପାଟଣା,୧୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ବିଲ ପଞ୍ଚାୟତ ଖିଞ୍ଚିବେଡ଼ା ଗ୍ରାମର ମୁଣ୍ଡାସାହିରେ ଅଭାବନୀୟ ଘଟଣା ଘଟିଛି। ଶନିବାର ସକାଳୁ ଘର ଭିତରୁ ବିଷ୍ଣୁ ମୁଣ୍ଡାଙ୍କ ଦ୍ୱିତୀୟ ସ୍ତ୍ରୀ ରୀନା ମୁଣ୍ଡା (୩୫)ଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି। ସେ ପିନ୍ଧା ଲୁଗାରେ ଘର ରୁଅରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟ, ଗ୍ରାମର ବିଷ୍ଣୁ ମୁଣ୍ଡା ୧୨ ବର୍ଷ ତଳେ ବିବାହ କରିଥିଲେ। ପ୍ରଥମ ସ୍ତ୍ରୀ ଛାଡ଼ି ପଳାଇବା ପରେ ସେ ରୀନାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୨ ଦିନ ତଳେ ଗ୍ରାମରେ ଏକ ଭୋଜିରେ ଦୁଇ ସଉତୁଣୀଙ୍କ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ମାନସିକ ଭାରସାମ୍ୟ ହରାଇ ରୀନା ଶୁକ୍ରବାର ବିଳମ୍ବିତ ରାତିରେ ପିନ୍ଧା ଲୁଗାକୁ ବେକରେ ଲଗାଇ ଘର ଭିତରେ ଆତ୍ମହତ୍ୟା କରିଛନ୍ତି। ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।