କରୋନାକୁ ନେଇ ବୋମାମାଡ଼, ଜଣେ ଆହତ

ବ୍ରହ୍ମଗିରି,୨୪ା୭(ଡି.ଏନ୍‌.ଏ.): ବ୍ରହ୍ମଗିରି ବ୍ଲକରେ ଜଣେ କରୋନା ପଜିଟିଭ୍‌ ବାହାରିବା ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ସହ ବୋମାମାଡ଼ରେ ଜଣେ ଆହତ ହୋଇଛନ୍ତି। ଗାଁରେ ପୋଲିସ ମୁତୟନ ରହିଛି। ଏଭଳି ଘଟଣା ଘଟିଛି ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ନିଶିଭଅଁର ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ବ୍ରହ୍ମଗିରି ବ୍ଲକରେ ୫ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ଉକ୍ତ ବ୍ଲକ ଅନ୍ତର୍ଗତ ନିଶିଭଁଅର ଗ୍ରାମର ଜଣେ ଯୁବକ ରହିଥିଲେ। ଏହି ଯୁବକଙ୍କ ସଂସ୍ପର୍ଶରେ ଆସିଥିବା ଜଣେ ଯୁବକଙ୍କୁ ଅନ୍ୟ ଗ୍ରାମରେ ବିରୋଧ କରିବା ପରେ ଏହି ଯୁବକ ଜଣଙ୍କ ତାଙ୍କ ଗ୍ରାମର ବିରୋଧୀମାନଙ୍କୁ ଗାଳିଗୁଳଜ କରିଥିଲେ। ଏହାକୁ ଆଉ ଜଣେ ବିରୋଧ କରିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ପୋଲିସ ଗୁରୁବାର ରାତିରେ ଉକ୍ତ ଯୁବକଙ୍କୁ ଉଠାଇ ନେଇଥିଲା। ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବୋମାମାଡ଼ ହୋଇ ବିଚିତ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଆହତ ହୋଇ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।