ଢେଙ୍କାନାଳ,୧୫।୩(ରତନ ନାୟାର): ଢେଙ୍କାନାଳ ସହର ମହିଷାପାଟ ଛକ ନିକଟସ୍ଥ ଇଡକୋ ଟାୱାର ସମ୍ମୁଖସ୍ଥିତ ୫୫ ନମ୍ବର ଜାତୀୟ ରାଜପଥରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବାଲି ବୋଝେଇ ହାଇୱା ଧକ୍କାରେ ସ୍ଥାନୀୟ ଅଞ୍ଚଳର ମୁରଲୀ ନାୟକ (୫୭)ଙ୍କର ମୃତ୍ୟୁଘଟିଛି। ରାତିରେ ମୁରଲୀ ରାଜପଥ କଡ଼ରେ ଥିବା ନିଜ ଚାହା ଦୋକାନରୁ ଫେରୁଥିବା ବେଳେ ମହିଷାପାଟ ଆଡୁ କୋରିଆ ଆଡ଼କୁ ଯାଉଥିବା ବାଲି ବୋଝେଇ ହାଇୱାଟି ତାଙ୍କୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାର ପ୍ରଦିବାଦରେ ରାତିରୁ ଶନିବାର ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ଉତ୍ୟକ୍ତ ଲୋକମାନେ ରାଜପଥକୁ ଅବରୋଧ କରିଥିଲେ। ଫଳରେ ୫୫ ନମ୍ବର ଜାତୀୟ ରାଜପଥରେ ବହୁସଂଖ୍ୟାରେ ଯାନବାହନ ଅଟକି ଟ୍ରାଫିକ ସମସ୍ୟା ସୃଷ୍ଟି କରିଥିଲା । ଖବରପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାଜପଥ ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାପଡ଼ିଛି ।


