ଚକା ତଳେ ଚାପିହୋଇ ଚାଲିଗଲା ଜୀବନ

ବ୍ରହ୍ମପୁର ଅଫିସ,୧ା୧: ୧୬ ନମ୍ବର ଜାତୀୟ ରାଜପଥର ଲାଞ୍ଜିପଲ୍ଲୀ ବାଇପାସ୍‌ ଇସ୍କନ ମନ୍ଦିର ସମ୍ମୁଖରେ ରବିବାର ନୂତନ ବର୍ଷରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚକା ତଳେ ଚାପିହୋଇ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଖବର ପାଇ ଟ୍ରାଫିକ ପୋଲିସ ପହଞ୍ଚି କ୍ରେନ୍‌ ସାହାଯ୍ୟରେ ଟ୍ରକ୍‌କୁ ରାସ୍ତାରୁ ହଟାଇ ମୃତଦେହ ଜବତ କରିଛି। ମୃତକ ହେଲେ କୋଦଳା ଲକିପୁର ଗ୍ରାମର କେଦାର ଚନ୍ଦ୍ର ପଲାଇ(୫୪)। ଏ ନେଇ ପୋଲିସ ଏକ ମାମଲା(ନଂ.୧/୨୦୨୩) ରୁଜୁକରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ଘଟାଇବା ପରେ ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ଟ୍ରକ୍‌ଟିକୁ ଜବତ କରିଛି। ପ୍ରାଥମିକ ଅନୁସନ୍ଧାନରୁ ଚାଳକଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୋଲିସ ସନ୍ଦେହ କରୁଛି।

ପ୍ରକାଶ ଯେ, କେଦାର ଜଣେ ଏଲ୍‌ଆଇସି ଏଜେଣ୍ଟ। ସେ ରବିବାର କୌଣସି କାମରେ ଛତ୍ରପୁରରୁ ବ୍ରହ୍ମପୁର ବାଇକ୍‌ରେ ଆସୁଥିଲେ। ଲାଞ୍ଜିପାଲି ବାଇପାସ୍‌ ଇସ୍କନ ମନ୍ଦିର ସମ୍ମୁଖରେ ପଛପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ କେଦାର ବାଇକ୍‌ରୁ ପଡ଼ି ଯାଇଥିଲେ। ହେଲେ ତାଙ୍କ ମୁଣ୍ଡ ଉପରେ ଟ୍ରକ ଚକା ମାଡ଼ି ଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ।